ଚୋରା ବାଇକ ଉଦ୍ଧାର:୫ଗିରଫ
ଚୋରା ବାଇକ ଉଦ୍ଧାର:୫ଗିରଫ
ବାରିପଦା:ପେଟ୍ରୋଲିଂ ବେଳେ ଏକ ବାଇକ ଚୋର ଗ୍ୟାଙ୍ଗକୁ ବାରିପଦା ଟାଉନ ଥାନା ପୁଲିସ ଧରିବାରେ ସଫଳ ହୋଇଛି। ଏନେଇ ଶନିବାର ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଲିସ ଦ୍ଵାରା ଗତ ଗୁରୁବାର ରାତ୍ରିକାଳୀନ ପେଟ୍ରୋଲିଂ ଉକ୍ତ ଚୋର ଗ୍ୟାଙ୍ଗର ୫ଜଣଙ୍କୁ ପୁଲିସ ଗିରଫ କରିଛି ।
୧୮ନଂ ଜାତୀୟ ରାଜପଥର ପାଲବଣୀ ଗୋଲେଇ ନିକଟରେ ରାତି ପ୍ରାୟ ୨ଟା ବେଳେ ପେଟ୍ରୋଲିଂ ଜାରି ଥିଲା। ବାଲେଶ୍ବର ପଟୁ କିଛି ଲୋକ ବାଇକରେ ବାରିପଦା ପଟକୁ ଆସୁଥିଲେ। ତେବେ ଥାନା ଗାଡିକୁ ଦେଖି ବାଇକ ବୁଲାଇ ପଳାଇଯିବାକୁ ଚେଷ୍ଟା କରୁଥିଲେ। ଯାହାକୁ ଦେଖି ପୁଲିସର ସନ୍ଦେହ ହୋଇଥିଲା ଆଉ ତିନି ଜଣ ଯୁବକଙ୍କୁ ତିନୋଟି ମୋଟର ସାଇକେଲ ସହ ଧରିଥିଲେ। ଅନ୍ୟ କିଛି ଲୋକ ଅନ୍ଧାରର ସୁଯୋଗ ନେଇ ବାଇକରେ ଫେରାର ହୋଇ ଯାଇଥିଲେ। ଧରା ପଡିଥିବା ତିନି ଜଣଙ୍କୁ ପଚରାଉଚରା କରିବା ସହ ଗାଡି ଯାଞ୍ଚ କରିବାରୁ ପ୍ଳାସ, ସ୍କ୍ରୁ ଡ୍ରାଇଭର,
ଲୁହା ରଡ, ମଟର ସାଇକେଲ ଚାବି, ଆଧାର କାର୍ଡ ସମେତ ଅନ୍ୟାନ୍ୟ ସରଞ୍ଜାମ ପାଇଥିଲେ। ତଦନ୍ତ କରିବାରୁ ବାଇକ ଚୋର ଗ୍ୟାଙ୍ଗ ବୋଲି ଜଣାପଡ଼ିଥିଲା। ସେମାନେ ହେଲେ ବାଲେଶ୍ଵର ଅଞ୍ଚଳର କାଦେଶ୍ବର ଦାସ ଓରଫ କାଦୁ, ବାରିପଦା ଅଞ୍ଚଳର ବିକାଶ ପାଣିଗ୍ରାହୀ ଓରଫ ନିଲୁ ଓ ନୀଳକଣ୍ଠ ସିଂ ବୋଲି ପରିଚୟ ମିଳିଥିଲା। ଫେରାର ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଅଞ୍ଚଳର ଜଗଦୀଶ ରାଉଳ, ବାବୁ ଦଳେଇ, ଜ୍ୟୋତି ରଞ୍ଜନ ପୁହାଣ ବୋଲି ଜଣାପଡିଛି। ପରେ ୨ଜଣଙ୍କୁ ପୁଲିସ ଗିରଫ କରିଛି । ଜଣେ ଫେରାର ରହିଛି । ସେମାନେ ବିଭିନ୍ନ ଅଞ୍ଚଳରୁ ମଟର ସାଇକେଲ ଚୋରି କେସରେ ଏବଂ ଅନ୍ୟାନ କେସରେ ସମ୍ପୃକ୍ତ ଥିବାର ସ୍ୱୀକାର କରିଛନ୍ତି। ଏଥି ସହିତ ବାରିପଦା ଅଞ୍ଚଳକୁ ଡକାୟତ କରିବା ଯୋଜନା ଆସିଥିବା ନେଇ କହିଛନ୍ତି। ସେମାନେ ଆଣିଥିବା ବାଇକର କୌଣସି କାଗଜ ପାତ୍ର ଦେଖାଇ ପାରିନାହାନ୍ତି। ଯାହାକୁ ନେଇ ପୁଲିସ ଉକ୍ତ ବାଇକକୁ ଜବତ କରିଛି। ସେଥିରେ ଦୁଇଟି ହୋଣ୍ଡା ସାଇନ (ଓଡ଼ି ୦୧ଏଏମ ୩୫୦୨), (ଓଡ଼ି ୦୧ଏଏମ ୧୪୬୦), ଗ୍ଲାମର ବାଇକ (ଓଡ଼ି ୧୧ ଏଫ ୪୩୫୪), ତିନି ଗୋଟି ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରିବା ସହ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପେଟ୍ରୋଲିଂ ସମୟରେ ନବନିଯୁକ୍ତ ବାରିପଦା ଟାଉନ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ବିଶ୍ବରଞ୍ଜନ ପରିଡା, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତି, ହୋମଗାର୍ଡ ଧର୍ମେନ୍ଦ୍ର ପାତ୍ର, ବିନୋଦ ସିଂବାବୁ, ଏମଡି ନୁର ପ୍ରମୁଖ ଟିମରେ ସାମିଲ ଥିଲେ।