ଥୁଆମୁଳ-ରାମପୁର ବ୍ଲକ କେରପାଇ ଜନଶୁଣାଣୀରେ ମଧ୍ୟ ବେଦାନ୍ତକୁ ଖଣି ଦେବାକୁ ପ୍ରବଳ ବିରୋଧ
ବକ୍ସାଇଟ ମାଳି ପେଟରେ ରହୁ
ଖଣି ଖୋଳା କେବେ ନ ହେଉ
ଥୁଆମୁଳ-ରାମପୁର ବ୍ଲକ କେରପାଇ ଜନଶୁଣାଣୀରେ ମଧ୍ୟ ବେଦାନ୍ତକୁ ଖଣି ଦେବାକୁ ପ୍ରବଳ ବିରୋଧ
ଭୁବନେଶ୍ୱର ତା,୧୯/୧୦: ଗତ ୧୮ ଅକ୍ଟୋବର, ୨୦୨୩ରେ କଳାହାଣ୍ତି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ହାଇସ୍କୁଲ ପରିସର ମଧ୍ୟରେ ବେଦାନ୍ତ ଦ୍ୱାରା ପ୍ରସ୍ତାବିତ ସିଜିମାଳି ଖଣି ଖନନ ପ୍ରକଳ୍ପ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ନିମନ୍ତେ ଦ୍ୱିତୀୟ ଜନଶୁଣାଣିରେ ମଧ୍ୟ ବେଦାନ୍ତକୁ ଖଣି ଦେବାକୁ ସ୍ଥାନୀୟ ଅଧିବାସୀ ପ୍ରବଳ ବିରୋଧ କରିଛନ୍ତି । ଆନୁଷ୍ଠାନିକ ଭାବେ ଜନଶୁଣାଣି ଆରମ୍ଭ ହେବାର ବହୁ ପୂର୍ବରୁ କମ୍ପାନୀ ଏଜେଣ୍ଟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଏ ସଂପର୍କିତ ବିବରଣୀରୁ ପ୍ରକାଶ ଯେ,
• ୧୭ ଅକ୍ଟୋବର ରାତି ୩.୩୦ ପୂର୍ବରୁ କମ୍ପାନୀ ଏଜେଣ୍ଟମାନେ ସେମାନଙ୍କ ସମର୍ଥକମାନଙ୍କୁ ବାହାର ଅଞ୍ଚଳରୁ ନେଇ ଆସିଥିଲେ । ପାହାଡ଼ର ଚାରିପାଖରୁ ଲୋକମାନେ ପହଞ୍ଚି କମ୍ପାନୀ ସମର୍ଥକମାନଙ୍କୁ ବିଦା କରି ଦେଇଥିଲେ । ସରକାରୀ ଭାବେ ଜନଶୁଣାଣି ଆରମ୍ଭ ହେବା ପୂର୍ବରୁ କିଛି ଚେୟାର ଭଙ୍ଗାଯାଇ ସାରିଥିଲା । • ଜନଶୁଣାଣି ଦିନ ୧୦ଟାରେ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିଲା । କେରପାଇ ପଞ୍ଚାୟତର ତାଡ଼ାଦେଇ ଓ ତଲାଂପଦର ତଥା ସୁଙ୍ଗେର ପଞ୍ଚାୟତର କଣ୍ଟାମାଳ ଓ ବନ୍ତେଜୀ ଆଦି ଗାଁର ୧୨ରୁ୧୩ ଜଣ ମହିଳା ଓ ପୁରୁଷ ଜନଶୁଣାଣିରେ ବକ୍ତବ୍ୟ ରଖିଲେ । ସଭା ମଣ୍ଡପର ଆଖପାଖ ତଥା ବାହାର ପଡ଼ିଆରେ ପାଖାପାଖି ୧୫୦୦ ଲୋକ ଉପସ୍ଥିତ ଥିଲେ । ଅନେକ ଲୋକଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ ।
• ସବୁଆଡ଼େ ପୁଲିସ ଓ ଅର୍ଦ୍ଧସାମରିକ ବଳକୁ ବ୍ୟାପକ ଭାବେ ମୁତୟନ କରାଯାଇଥିଲା । ସଭାସ୍ଥଳକୁ ଯାଇଥିବା ମୁଖ୍ୟରାସ୍ତାର ପାଞ୍ଚଟି ଜାଗାରେ ପୁଲିସ ଫାଣ୍ତି ଲଗାଯାଇଥିଲା । ପ୍ରତ୍ୟେକ ଫାଣ୍ତିରେ ପାଖାପାଖି ୨୦ ଜଣ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଥିଲେ । ସଭାସ୍ଥଳରେ ୬୦୦-୭୦୦ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା । ସଭାସ୍ଥଳଟି ପାହାଡ଼ ମୁଣ୍ତିଆ ଉପରେ କରାଯାଇଥିଲା ଏବଂ ଏହାର ଚାରିପାଖ କଣ୍ଟାବାଡ଼ରେ ଆବଦ୍ଧ କରାଯାଇଥିଲା ।
• ଫାଣ୍ଡିଗୁଡ଼ିକରେ ପୁଲିସମାନେ ଲୋକମାନଙ୍କ ଆଧାର କାର୍ଡ଼ ତନଖି କରୁଥିଲେ । ଆଧାର କାର୍ଡ଼ ଆଣି ନଥିବା ଲୋକମାନଙ୍କୁ ଧମକଚମକ ଦେଉଥିଲେ ଏବଂ ଜନଶୁଣାଣିକୁ ଯିବା ପାଇଁ ବାରଣ କରୁଥିଲେ । ସେଥିପାଇଁ ବହୁ ଲୋକ କେଇପାଇ ପହଞ୍ଚି ପାରିଲେ ନାହିଁ ।
• ଲୋକମାନେ ଜନଶୁଣାଣିରେ ବକ୍ତବ୍ୟ ରଖି ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରିବା ସହ ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଥିବା ଦୋଷତ୍ରୁଟି ଦର୍ଶାଇଲେ । ସେମାନଙ୍କ ମତରେ ଖଣି ଖନନ ଦ୍ୱାରା ସ୍ଥାନୀୟ ପରିବେଶ ଓ ପରିବେଷ୍ଟନୀର କିଛି କ୍ଷତି ହେବ ନାହିଁ ବୋଲି ଦର୍ଶେଇବା ପାଇଁ ରିପୋର୍ଟଟି ମନୋମୂଖୀ ତଥା ଏକପାଖିଆ ଢଙ୍ଗରେ ଲେଖାଯାଇଛି ।
• ପାହାଡ଼ ଢାଲୁରେ ପୋଡ଼ୁଚାଷ କରି ବହୁ ପ୍ରକାର ଶସ୍ୟ ଉତ୍ପାଦନ କରୁଛନ୍ତି ବୋଲି ମହିଳାମାନେ କହିଲେ ଏବଂ ସରକାରୀ ଓ କମ୍ପାନୀ କର୍ମକର୍ତ୍ତାମାନଙ୍କୁ ପ୍ରଶ୍ନ ପଚାରିଲେ ଯେ, ଖଣି ଖନନ ଦ୍ୱାରା ସେମାନଙ୍କର ଚାଷବାସ ନଷ୍ଟ ହେବ ନାହିଁ ବୋଲି ସେମାନେ କେମିତି ସିଦ୍ଧାନ୍ତ କରିପକେଇଲେ ।
• ଉତ୍କଳ ଆଲୁମିନାର ଟିକିରିରେ କାରଖାନା ଓ ବାଫଲାମାଳି ବକ୍ସାଇଟ ଅଞ୍ଚଳରେ ଥିବା ସେମାନଙ୍କର ବନ୍ଧୁବାନ୍ଧବମାନଙ୍କ ଦୁଃସ୍ଥିତି ଦେଖିଛନ୍ତି ବୋଲି ମହିଳାମାନେ ଜନଶୁଣାଣିରେ ଦର୍ଶେଇଲେ ।
• ବନ୍ତେଜୀର ଜଣେ ମହିଳା କହିଲେ ଯେ କମ୍ପାନୀ ଦଲାଲ ଓ କର୍ମକର୍ତ୍ତାମାନେ ଯେବେ ଆମ ଗାଁକୁ ଆସିଲେ ଏବଂ ଖଣି ପ୍ରକଳ୍ପକୁ ସମର୍ଥନ କରିବା ପାଇଁ ଧମକାଇବା ସହ କମ୍ପାନୀକୁ ସମର୍ଥନ କରିବାକୁ ବାଧ୍ୟ କଲେ । ସେତେବେଳେ ସେମାନଙ୍କ ଆଖିକୁ ଆମେ ଗରିବ ଦିଶିଲୁ । ସେ ପୁଣି କହିଲେ, “ମୁଁ କମ୍ପାନୀକୁ ପଚାରୁଛି, ଆମେ ଯଦି ଗରିବ, ତେବେ ଆମ ପାଖରୁ ମାଳି ନବାକୁ ଆସିଛ କାହିଁକି? ତମେ ସବୁ ଭାବୁଛ ଆଦିବାସୀ ଓ ଦଳିତ ଲୋକମାନେ ଅଶିକ୍ଷିତ ଓ ମୁର୍ଖ । ଆମ ପୂର୍ବପୁରୁଷରୁ ଆମେ ଏହି ପାହାଡ଼ ଜଙ୍ଗଲରେ ସୁରୁଖୁରରେ ଚଳିଆସୁଛୁ, ସରକାରୀ କଳର ବିନା ସାହାଯ୍ୟରେ, କମ୍ପାନୀର ବିନା ହାତଟେକାରେ । ଆଗାମୀ ଦିନରେ ବି ଆମେ ସେମିତି ବଞ୍ଚିଯାଇ ପାରିବୁ” ।
• ମହିଳାମାନେ କହିଲେ କି ଆମେ ବିଶ୍ୱାସ କରିଥିଲୁ ଯେ ସରକାର ଆମର ମା’ ବାପ । କିନ୍ତୁ ସରକାର କମ୍ପାନୀ ସାଙ୍ଗରେ ଆସୁଛି ଆମ ମାଳି(ପର୍ବତ) ନେଇଯିବା ପାଇଁ ।
• ଜଣେ ଆଦିବାସୀ କହିଲେ, “ସରକାର ମଣିଷ ଭଳିଆ ଭାବିବା ଓ କାମ କରିବା କଥା । କିନ୍ତୁ ଏ ସରକାରର ମଣିଷ, ଜୀବଜନ୍ତୁ, ପଶୁପକ୍ଷୀ, ଗଛଲତା କାହାରି ପ୍ରତି ଶରଧା ନାହିଁ । ଆମେ ଆଦିବାସୀ ଯେମିତି ଭାବୁ ଏ ସରକାର ସେମିତି ଭାବେ ନାହିଁ” ।
• କେତେକ ବିକାଶର ଅବଧାରଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠେଇଲେ । ସେମାନଙ୍କର କହିବାର କଥା ଯେ ଲୋକମାନଙ୍କର ଜମି ଓ ମାଳିକୁ ଖୋଳି ତଥା ନଷ୍ଟଭ୍ରଷ୍ଟ କରି ଲାଭ ଓ ପଇସା କମେଇବା, ପୁଣି ଆଦିବାସୀ ଓ ଦଳିତମାନଙ୍କ ବିନା ସହମତିରେ ଏ ସବୁ କରିବା କି ପ୍ରକାର ବିକାଶ ଅଟେ ? ସେମାନେ ସରକାରଙ୍କୁ ନିବେଦନ କଲେ ଯେ ସିଜିମାଳି ଦେବା ପାଇଁ ସରକାର କମ୍ପାନୀ ପାଖରୁ ଯେଉଁ ପଇସା ଆଣିଛି ତାହା ଫେରେଇ ଦେଉ ।
• ଲୋକମାନଙ୍କ ଦୃଢ଼ ମତ ହେଲା ଯେ ସିଜିମାଳି, କୁଟ୍ରୁମାଳି ଓ ମାଝିଂମାଳି ସେମାନଙ୍କର ଆତ୍ମା । ଯଦି ଖଣି ଖୋଳି ଲୋକମାନଙ୍କ ଆତ୍ମାକୁ ମାରି ଦିଆଯାଏ, ତେବେ ଲୋକେ ବଞ୍ଚିବେ କେମିତି? ସରକାର ଯଦି ମାଳିକୁ ଯିବା ପାଇଁ ଦେବ ନାହିଁ, ତେବେ ଲୋକେ ମରିଯିବେ ।
• ବନ୍ତେଜୀର ଜଣେ ଯୁବକ କହିଲେ, ଥୁଆମୂଳ ରାମପୁରର କରଲାପାଟ ଅଭୟାରଣ୍ୟ ଖଣି ଅଞ୍ଚଳର ନିକଟରେ ଅବସ୍ଥିତ । ଯୁଗଯୁଗରୁ ସେଠି ହାତୀ, ସାପ, ସରିସୃପ, କେତେ ପ୍ରକାରର ଚଢ଼େଇ ଓ ବାଘ ବାସ କରି ଆସୁଛନ୍ତି । ସେ କହିଲେ, “ଆମେ ଦଳିତ ଓ ଆଦିବାସୀ ମାନଙ୍କର ଏହି ସବୁ ଜୀବଜନ୍ତୁଙ୍କ ସହ ନିବିଡ଼ ସମ୍ପର୍କ ଅଛି । ସେମାନେ ବି ଆମ ଭଳି ଅଭୟାରଣ୍ୟ ଉପରେ ନିର୍ଭରଶୀଳ । ଏଠି ଯଦି ଖଣି ଖୋଳା ହେବ, ଅଭୟାରଣ୍ୟ ଉପରେ ତାହାର ପ୍ରଭାବ ପଡ଼ିବ, ଆମମାନଙ୍କ ଉପରେ ବି । ଫଳରେ ଜୀବଜନ୍ତୁଙ୍କ ର ଆବାସସ୍ଥଳୀ ନଷ୍ଟ ହେବ । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ତମମାନଙ୍କର କଣ ଯୋଜନା ରହିଛି” ?
• ଆନ୍ଦୋଳନର ଜଣେ ଲଢ଼ୁଆ କର୍ମୀ ଉମାକାନ୍ତ ନାୟକ ଏବେ ବି ରାୟଗଡ଼ା ସବ୍-ଜେଲରେ ଅଛନ୍ତି । ତାଙ୍କ ମା ତାଙ୍କର କଅଁଳା ଛୁଆକୁ କାଖରେ ଧରି, ଘରେ ତାଙ୍କ ସ୍ତ୍ରୀ ଓ ପିଲା କିଭଳି କଷ୍ଟରେ ଦିନ କାଟୁଛନ୍ତି, ସେ କିପରି ଗିରଫ ହେଲେ ଆଦି ବିଷୟକୁ ଗୀତ ଆକାରରେ ଗାଇ ଗାଇ ଗାଇ ସଭା ମଣ୍ତପ ପାଖରେ ପହଞ୍ଚିଲେ । କିନ୍ତୁ ତାଙ୍କୁ କହିବାକୁ ଦିଆଗଲା ନାହିଁ ଓ ପୁଲିସମାନେ ତାଙ୍କୁ ବାହାରକୁ ନେଇ ଆସିଲେ ।
• “ବେଦାନ୍ତ ଫେରିଯାଅ”, “ମୈତ୍ରୀ ଫେରିଯାଅ”, “ସିଜିମାଳିରେ ଖଣି ଖୋଳା ହେବ ନାହିଁ” ଧ୍ୱନିରେ ସଭାସ୍ଥଳ କମ୍ପି ଉଠୁଥିଲା । ଶୁଣାଣି ଶେଷ ବେଳକୁ କେତେକ କମ୍ପାନୀ ସମର୍ଥକ ଗ୍ରାମବାସୀ ନିଜ ପକ୍ଷ ପରିବର୍ତ୍ତନ କରି ପ୍ରତିବାଦରେ ସାମିଲ ହେଲେ ।
• କଳାହାଣ୍ତି ଏଡିଏମ୍ ଆନୁଷ୍ଠାନିକ ଭାବେ ଜନଶୁଣାଣିର ସମାପ୍ତି ଘୋଷଣା କଲେ । କିନ୍ତୁ ନିୟମ ଅନୁଯାୟୀ ଜନଶୁଣାଣିରେ ପ୍ରଦତ୍ତ ମତଗୁଡ଼ିକର ସାରାଂଶ ପଢ଼ିକି ଶୁଣେଇଲେ ନାହିଁ । ସଭାସ୍ଥଳକୁ ଲାଗି ଛିଡ଼ା ହୋଇଥିବା ଦୁଇଟି ବୋଲେରେରେ ତୁରନ୍ତ କମ୍ପାନୀ ଓ ସରକାରୀ କର୍ମକର୍ତ୍ତାମାନଙ୍କୁ ପୁଲିସ ଓ ଅର୍ଦ୍ଧସାମରିକ ବଳ ସୁରକ୍ଷା ବଳୟରେ ନେଇ ବସେଇ ଦେଲେ । ଏପରି କି ଉପସ୍ଥିତ ଗଣମାଧ୍ୟମର ଲୋକମାନଙ୍କୁ ପ୍ରଶ୍ନ କରିବା ପାଇଁ ସୁଯୋଗ ଦିଆଗଲା ନାହିଁ ।
• ପୁଲିସ ଓ ସୁରକ୍ଷା ବାହିନୀ ଆଣିଥିବା ପାଣି ବୋତଲକୁ ଲୋକମାନେ ବୋଲେର ଉପରକୁ ମାଡ଼ କଲେ । କମ୍ପାନୀ ଫେରିଯାଅ ଫେରିଯାଅ ଧ୍ୱନି ଦେଇ ସିଜିମାଳି ମାଟି ନମାଡ଼ିବା ପାଇଁ ଚେତାବନୀ ଦେଲେ ।
• ଜନଶୁଣାଣି କିଭଳି ପରିଚାଳନା କରାଗଲା ବା ସେଥିରେ କଣ ମତ ପ୍ରକାଶ ପାଇଲା ସେ ସମ୍ୱନ୍ଧରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ କୌଣସି ସାର୍ବଜନୀନ ଭାବେ ବକ୍ତବ୍ୟ ଦେଇ ନାହିଁ । ସ୍ଥାନୀୟ ଜନସାଧାରଣଙ୍କ ପ୍ରତିରୋଧ ଓ ବିରୋଧ ପ୍ରତି ବିଭିନ୍ନ ଜନ ଆନ୍ଦୋଳନ, ଗଣତାନ୍ତ୍ରିକ ଅଧିକାର ଓ ମାନବାଧିକାର ସଂଗଠନ ପକ୍ଷରୁ ସମର୍ଥନ ଓ ସଂହତି ପ୍ରଦର୍ଶନ କରାଯାଇଛି ।
ସେମାନେ ସ୍ଥାନୀୟ ଜନସାଧାରଣଙ୍କ ଘୋଷଣା “ବକ୍ସାଇଟ ମାଳି ପେଟରେ ରହୁ, ଖଣି ଖୋଳା କେବେ ନ ହେଉ” କୁ ସ୍ୱାଗତ କରି ଏହିପରି ମତ ପରିବେଶର ସୁରକ୍ଷା ଓ ଚିରନ୍ତନ ବିକାଶ ପାଇଁ ବାଟ ଫିଟାଇବ ବୋଲି ମତପୋଷଣ କରିଛନ୍ତି ।