ସେଲ୍ପି ଲାଗି ଖଣିରେ ବୁଡି ଚାଲିଗଲା ଯୁବକଙ୍କ ପ୍ରାଣ
କାଳହେଲା ସେଲ୍ଫି ନିଶା;
ସେଲ୍ପି ଲାଗି ଖଣିରେ ବୁଡି ଚାଲିଗଲା ଯୁବକଙ୍କ ପ୍ରାଣ
ଭୁବନେଶ୍ୱର:ଖୋର୍ଦ୍ଧା,୬ା୧୦: ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗେଣୀ-୧ ପାହାଡ ଖଣି ରେ କାଳହେଲା ସେଲ୍ଫିନେବା । ସେଲ୍ଫି ନେଉଥିବା ଯୁବତୀକୁ ପାଣିରୁ ବଂଚାଇବାକୁ ଯାଇ ଯୁବକ ଜଣକ ଖଣିରେ ବୁଡି ମୃତୁ୍ୟବରଣ କରିଛନ୍ତି । ମୃତକ ହେଲେ କଟକ ସିଡିଏ ସେକ୍ଟର-୧୩ ଅଂଚଳର ଆଶୁତୋଷ ବେହେରା (୨୧) । ଆଶୁୂତୋଷ ବନ୍ଧୁମାନଙ୍କ ସହ ଏଠାକୁ ଆସି ସେଲ୍ଫି ନେବାବେଳେ ଏଭଳି ଅଘଟଣ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ନିଜଗଡ ତାପଙ୍ଗ ଅଂଚଳରେ ଥିବା ଏହି ପାହାଡରେ ସୃଷ୍ଟି ହୋଇଥିବା କୁତ୍ରିମ ହ୍ରଦର ନୀଳ ଜଳରାଶି ତଥା ମନୋରମ ପ୍ରାକୃତିକ ଦୃଶ୍ୟ ସମ୍ପର୍କରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପାହଡ ଚାରିପଟୁ ପଥର କଟାଯିବା ଫଳରେ ଚାରିଆଡେ ତଳ ନିମ୍ନ ଅଂଶରେ ପ୍ରାୟ ଅଢେଇ ଶହଫୁଟ ରୁ ଉଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି । ଲଘୁଚାପ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଘାଇ ଜଳପୂର୍ଣ୍ଣ ହୋଇ କୁତି୍ରମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ପଥର ଚାରିପଟେ ସିଉଳି ଲଟା, ଅନାବନା ଗଛଲତା ମାଡି ଜଳରାଶୀରେ ପଡି ନୀଳବର୍ଣ୍ଣ ଦେଖାଯାଉଛି ।ଏଠାରେ ସକାଳର ସୂର୍ଯ୍ୟକୀରଣ ପଡିବା ପରେ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରୁଛି । ଏହି ନୀଳ ଜଳରାଶୀ ଏବଂ ଚାରିପଟେ ପାହାଡର ଦୃଶ୍ୟ ଏହାର ପରିବେଶକୁ ଅତି ଆକର୍ଷଣୀୟ କରୁଛି । ଫଳରେ ଏହାର ପ୍ରାକୃତିକ ବାତାବରଣ ଯୁବପିଢିଙ୍କୁ ଆକୃଷ୍ଟ କରୁଛି । ଏହାର ମନୋରମ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବପିଢିଙ୍କ ସୁଅ ଛୁଟିଛି । ସକାଳ ସମୟରେ ସୂର୍ଯ୍ୟଙ୍କ ପ୍ରଥମ କୀରଣ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି । ତେବେ ନୀଳଜଳରାଶୀର ମଜା ଏବଂ ଘାଇର ଗଭୀରତାକୁ ନଜାଣି ସେଲ୍ଫି ନେବାରେ ମସଗୁଲ ହୋଇ ବିପଦକୁ ଟାଣି ଆଣୁଛନ୍ତି । ବିଗତ ଦିନରେ ଏଠାକୁ ଆସିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ପାହାଡ ଖଣି ବିପଦ ସଙ୍କୁଳ ରହିଥିବାରୁ ଏଠାରେ ସେଲ୍ଫି ନେବା ଉପରେ କଟକଣା କରିଥିଲା ଜିଲ୍ଲା ପ୍ରଶାସନ । କେବଳ କଟକଣା କରି ପ୍ରଶାସନ ବସିଥିବାବେଳେ ଏଠାକୁ ଆସୁଥିବା ଯୁବଗୋଷ୍ଠିଙ୍କୁ ଅଟକାଇବାକୁ କେହି ଉଦ୍ୟମ କରୁନଥିବା ଅଭିଯୋଗ ହେଉଛି । ତେବେ ପାହାଡର ସୌନ୍ଦର୍ଯ୍ୟ ଦେଖିବାକୁ ଆଶୁତୋଷଙ୍କ ସମେତ ୩ଜଣ ପୁରୁଷ ଓ ୩ଜଣ ଯୁବତୀ ତାପଙ୍ଗ ପଥର ଖଣି ଅଂଚଳକୁ ଆଜି ଅପରାହ୍ନରେ ଆସିଥିଲେ । ଏହି ସମୟରେ ଖଣି ମଧ୍ୟରେ ସେଲ୍ଫି ନେଉଥିବା ଯୁବତୀ ଜଣକ ଅସାବଧାନତାରୁ ପାଣିରେ ଖସିପଡିବାରୁ ଉଦ୍ଧାର ପାଇଁ ଆଶୁତୋଷ ଯାଇ ବୁଡ଼ିଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ତେବେ ଯୁବକ ଓ ଯୁବତୀମାନେ କଲେଜ ଛାତ୍ରଛାତ୍ରୀ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୁଲିସ, ଅଗ୍ନିସମ, ଓଡ୍ରାଫ ଟିମ ପହଁଚି ଯୁବକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଣାଯାଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପରିବାର ଲୋକ ପହଁଚି ନଥିବାରୁ ଥାନାରେ ଅଭିଯୋଗ ହୋଇନଥିବା ପୁଲିସ ପ୍ରକାଶ କରିଛି ।