Search for:
  • Home/
  • ରାଜ୍ୟ/
  • ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ 7 ଅକ୍ଟୋବର ରାଜ୍ୟଵ୍ୟାପୀ ପ୍ରତିବାଦ

ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ 7 ଅକ୍ଟୋବର ରାଜ୍ୟଵ୍ୟାପୀ ପ୍ରତିବାଦ

Spread the love

Loading

ଗଣ ମାଧ୍ୟମ, ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା, ବିରୋଧୀ ରାଜନେତା ମାନଙ୍କର ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ବିରୋଧ ରେ
7 ଅକ୍ଟୋବର ରାଜ୍ୟଵ୍ୟାପୀ ପ୍ରତିବାଦ

ଭୁବନେଶ୍ୱର: ଆର ଏସ ଏସ ପରିଚାଳିତ ନରେନ୍ଦ୍ର ମୋଦି ସରକାର ଫାସିଷ୍ଟ କାଇଦା ରେ ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l ଅକ୍ଟୋବର 3 ତାରିଖ ରେ ଦିଲ୍ଲୀସ୍ଥିତ “ନ୍ୟୁଜ କ୍ଲିକ” ଅନ ଲାଇନ ସମ୍ବାଦ ପତ୍ର ର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରବୀର ପୂରକାୟସ୍ଥଙ୍କ ବାସଗୃହ ଉପରେ ଇ ଡ଼ି ତରଫରୁ ଚଢ଼ାଉ କରିବା ସହିତ ତାଙ୍କର ଲାପଟପ, ମୋବାଇଲ ଫୋନ ଇତ୍ୟାଦି ଜବତ କରା ଯାଇଛି l ଏହା ସହିତ ବହୁ ବରିଷ୍ଠ ସାମ୍ବାଦିକ,ପ୍ରଖ୍ୟାତ ଐତିହାସିକବିଦ, ବ୍ୟଙ୍ଗ ଚିତ୍ରକାର,ସମେତ ‘ନ୍ୟୁଜ କ୍ଲିକ’ ପ୍ରତିଷ୍ଠାନ ର 46 ଜଣ ସାମ୍ବାଦିକ ଏବଂ କର୍ମଚାରୀ ମିଶି ମୋଟ 80 ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କର ଲାପଟପ, ମୋବାଇଲ ଫୋନ ଏବଂ ନାନାଦି ଡକ୍ୟୁମେଣ୍ଟ, ଆଦି ଜବତ କରିବା ସହିତ ସେମାନଙ୍କୁ ଘଣ୍ଟା ଘଣ୍ଟା ଜେରା କରାଯାଇ ଅଟକ ରଖାଯିବା ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନିଆଯାଇଛି l ‘ନ୍ୟୁଜ କ୍ଲିକ’ ର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଅତି ସଙ୍ଗୀନ ଆଇନ
ୟୁ ଏ ପି ଏ(ଵେଆଇନ କାର୍ଯ୍ୟ କଳାପ ପ୍ରତିରୋଧ ଆଇନ) ରେ ଗିରଫ କରାଯାଇଛି l

ଦେଶର ଐତିହାସିକ ଚାଷୀ ଆନ୍ଦୋଳନ, ସାହିନବାଗ ର ନାଗରିକ ଅଧିକାର ଆନ୍ଦୋଳନ, ଜବହାରଲାଲ ବିଶ୍ୱ ବିଦ୍ୟାଳୟ ଛାତ୍ର ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଆଦି ସହିତ ସେମାନଙ୍କର କ’ଣ ସମ୍ପର୍କ ରହିଛି ସେ ବିଷୟରେ ତୁହାକୁ ତୁହା ପ୍ରଶ୍ନ କରି ସେମାନଙ୍କୁ ଭୀତଗ୍ରସ୍ତ କରିବାକୁ ପ୍ରଚେଷ୍ଟା ହୋଇଛି l ଅନେକ ସାମ୍ବାଦିକ ମାନଙ୍କ ବିରୋଧ ରେ ମଧ୍ୟ ଅଭିଯୋଗ ପତ୍ର ଏବଂ ଏଫ ଆଇ ଆର ଦରଜ ହୋଇଛି l

ତଥ୍ୟ ଏବଂ ସତ୍ୟ ଉପରେ ଆଧାରିତ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ ଅନବରତ କାମ କରି ସମ୍ବାଦ ପରିବେଷଣ କରୁଥିବା ଗଣ ସାମ୍ବାଦିକ ଏବଂ ଗଣ ସମ୍ବାଦପତ୍ର ଉପରେ ଏହିଭଳି ଆକ୍ରମଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ l ଏହା ମୋଦି ସରକାରଙ୍କ ଏକଛତ୍ରବାଦୀ,ଫାସିଷ୍ଟ ସୁଲଭ ଏବଂ ପ୍ରତିଶୋଧ ପରାୟଣ ଚରିତ୍ର କୁ ହିଁ ପରିପ୍ରକାଶ କରୁଛି l

ଏହା ପୂର୍ବରୁ ମୋଦି ସରକାର ବି ବି ସି, ନ୍ୟୁଜ ଲଣ୍ଡ୍ରି, ୱାୟାର, ଦୈନିକ ଭାସ୍କର, ଭାରତ ସମାଚାର ଆଦି ସମ୍ବାଦ ସରବରାହ ସଂସ୍ଥା ବିରୋଧ ରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛନ୍ତି l ସେହିଭଳି ଆମ ଆଦମୀ ପାର୍ଟି ର ସାଂସଦ ଶ୍ରୀ ସଞ୍ଜୟ ସିଂହଙ୍କ ବିରୋଧ ରେ ପ୍ରତିଶୋଧ ପରାୟଣ ହୋଇ ଗିରଫ କରାଯାଇଛି l ଏହା ପୂର୍ବରୁ ସରକାରଙ୍କ ଜନ ବିରୋଧୀ ନିତୀ କୁ ବିରୋଧ କରୁଥିବା ପ୍ରମୁଖ ବିରୋଧୀ ଦଳ ର ଅନେକ ନେତାଙ୍କୁ ଇ ଡ଼ି ଦ୍ୱାରା ଜେରା କରାଯାଇଛି ଏବଂ ଏବେ ମଧ୍ୟ ଅନେକ ବିରୋଧୀ ରାଜନେତା, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଜେଲ ରେ ଅଛନ୍ତି l

ସାମଗ୍ରିକ ଭାଵେ ଏହା ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ, ନାଗରିକ ଅଧିକାର, ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ନଗ୍ନ ଆକ୍ରମଣ l ଏହା ଅଘୋଷିତ ଜରୁରୀ ପରିସ୍ଥିତି ସହିତ ସମାନ l

ଏହି ଆକ୍ରମଣ ଏବଂ ଗିରଫଦାରି କୁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶା ର ବିରୋଧୀ ରାଜନୈତିକ ଦଳ ମାନେ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରିଛନ୍ତି l ଏହି ନଗ୍ନ ଆକ୍ରମଣ ବିରୋଧ ରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ 7 ଅକ୍ଟୋବର ରେ ପ୍ରତିବାଦ ଦିବସ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି l
ଜରୁରୀ ଭାବେ ସି ପି ଆଇ(ଏମ) ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ସି ପି ଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ସି ପି ଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସି ପି ଆଇ-ଏମ ଏଲ(ଲିବେରେସନ) ରାଜ୍ୟ ନେତା ମହେନ୍ଦ୍ର ପରିଡା, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଆମ ଆଦମୀ ପାର୍ଟି ରାଜ୍ୟ ମୁଖପାତ୍ର ସୌମ୍ୟ ରଞ୍ଜନ ସ୍ୱାଇଁ, ଆର ପି ଆଇ ରାଜ୍ୟ ସଭାପତି ସେକ ଅବଦୁଲ ୱାଲୀ ସମେତ ସୁରେଶ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର ଏବଂ ଶମ୍ଭୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l

ଉପରୋକ୍ତ ଦଳ ମାନଙ୍କ ବ୍ୟତୀତ ଭାରତୀୟ ଜାତୀୟ କଂଗ୍ରେସ,ଏନ ସି ପି, ଆର ଜେ ଡ଼ି,
ଜେ ଡ଼ି(ୟୁ),ଜେ ଏମ ଏମ, ଟି ଏମ ସି,ସି ପି ଆଇ-ଏମ ଏଲ(ରେଡ ଷ୍ଟାର),ସମୃଦ୍ଧ ଓଡିଶା, ସମତା କ୍ରାନ୍ତି ଦଳ ପ୍ରମୁଖ ଦଳ ମାନେ ଏହି ପ୍ରତିବାଦ ଅଭିଯାନ ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି l

ଓଡିଶାବାସୀ ଦେଶର ଏହି ସଂକଟ ସମୟରେ ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଏବଂ ସମ୍ବାଦପତ୍ର ର ସ୍ୱାଧୀନତା କୁ ରକ୍ଷା କରିବା ପାଇଁ ଆଗେଇ ଆସିବା ନିମନ୍ତେ ମିଳିତ ବିରୋଧୀ ରାଜନୈତିକ ଦଳ ମାନଙ୍କ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ନିବେଦନ କରାଯାଇଛି l

ଆପଣଙ୍କ ଗଣ ମାଧ୍ୟମ ରେ ସଦୟ ପ୍ରକାଶନ ନିମନ୍ତେ ବିଶେଷ ଅନୁରୋଧ l

Leave A Comment

All fields marked with an asterisk (*) are required