ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
ସହିଦ ସ୍ମୃତି ଭବନରେ ଜିଲ୍ଲାସ୍ତରୀୟ ଦିବସବ୍ୟାପୀ କାର୍ଯ୍ୟକ୍ରମ
ମୟୂରଭଞ୍ଜ ଜିଲ୍ଲାର ୨.୦୫ଲକ୍ଷ ବୟସ୍କ ବ୍ୟକ୍ତିଙ୍କୁ ସରକାର ଦେଉଛନ୍ତି ୧୦.୬୧କୋଟି ଟଙ୍କାର ଭତ୍ତା
ବାରିପଦା,ଜନସଂଖ୍ୟା ବୃଦ୍ଧାବସ୍ଥା ଏକ ସର୍ବଭାରତୀୟ ଘଟଣା । ବାସ୍ତବରେ ବିଶ୍ବର ପ୍ରତ୍ୟେକ ଦେଶ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ଅନୁପାତରେ ଅଭିବୃଦ୍ଧିରେ ଅନୁଭବ କରୁଛନ୍ତି । ବୃଦ୍ଧ ବ୍ୟକ୍ତିମାନେ ଜ୍ଞାନ ଏବଂ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ଏବଂ ଶାନ୍ତି, ନିରନ୍ତର ବିକାଶ ଏବଂ ଆମ ସମାଜର ସୁରକ୍ଷା ଦିଗରେ ଅନେକ ଅବଦାନ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜିକୁ ୭୫ ବର୍ଷ ପୂର୍ବେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାର ଇତିହାସରେ ଏକ ସ୍ମାରକପତ୍ର ଭାବରେ ମାନବ ଅଧିକାର ଉପରେ ସର୍ବଭାରତୀୟ ଘୋଷଣାନାମା ଗ୍ରହଣ କରିଥିଲା । ବିଭିନ୍ନ ଆଇନଗତ, ସାଂସ୍କୃତିକ ଏବଂ ଭାଷାଭିତ୍ତିକ ପୃଷ୍ଠଭୂମି ସହିତ ବିଶ୍ବର ପ୍ରତିନିଧିଙ୍କ ଦ୍ୱାରା ଲିଖିତ, ତାହା ଥିଲା ପ୍ରଥମ ଦଲିଲ । ଯାହା ମାନବିକ ଅଧିକାରକୁ ଦର୍ଶାଇଛି । ଏହାକୁ ସ୍ୱୀକୃତି ଦେଇ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ବୟସ୍କ ବ୍ୟକ୍ତିଙ୍କର ମାନବିକ ଅଧିକାର ମୌଳିକ ସ୍ୱାଧୀନତାକୁ ଉପଭୋଗ ପ୍ରତିଶ୍ରୁତି ପ୍ରଦାନ ପାଇଁ ପ୍ରତି ବର୍ଷ ଅକ୍ଟୋବର ପହିଲାକୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳିତ ହେଉଛି ।
ଚଳିତ ବର୍ଷର ବିଷୟବସ୍ତୁ ଭାବରେ ‘ବୟସ୍କ ବ୍ୟକ୍ତିଙ୍କ ପାଇଁ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାର ପ୍ରତିଶ୍ରୁତି ପୂରଣ:ସମଗ୍ର ପିଢି’ ରହିଅଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବୟସ୍କ ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ସମସ୍ତ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହେଉଛି । ଚଳିତ ଆର୍ଥିକ ବର୍ଷରେ ୧୩ହଜାର ୬୬୪ଜଣ ନୂତନ ବୟସ୍କ ବ୍ୟକ୍ତିଙ୍କୁ ପେନସନ ବା ଭତ୍ତା ଯୋଜନାରେ ସାମିଲ କରାଯାଇଛି । ଏମାନଙ୍କୁ ମିଶାଇ ବର୍ତ୍ତମାନ ଜିଲ୍ଲାର ୪ଟି ସହରାଞ୍ଚଳ ଓ ୨୬ଟି ବ୍ଲକର ମୋଟ ୨ଲକ୍ଷ ୪ହଜାର ୭୫୧ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ସରକାର ୧୦କୋଟି ୬୦ଲକ୍ଷ ୮୬ହଜାର ଟଙ୍କା ଭତ୍ତା ବା ପେନସନ ଆକାରରେ ପ୍ରଦାନ କରୁଛନ୍ତି । ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରତି ଗ୍ରାମର ଓ୍ବାର୍ଡ ଅନୁସାରେ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୬୦ରୁ ୭୯ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ମାସକୁ ୫୦୦ଟଙ୍କାଲେଖାଏଁ ଓ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାସକୁ ୭୦୦ଟଙ୍କା ଲେଖାଏଁ ପଞ୍ଚାୟତ/ଓ୍ବାର୍ଡ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଛି । କାର୍ଯ୍ୟାଳୟ ଆସିପାରୁ ନଥିବା ବୟସ୍କଙ୍କ ଘରକୁ ଯାଇ ପ୍ରତିମାସ ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । ଏଥି ସହିତ ବିଭିନ୍ନ ସମୟରେ ଛତା, ଶୀତବସ୍ତ୍ର ଆଦି ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି । କୋରନା ସମୟରେ ସ୍ବତନ୍ତ୍ର ସହାୟତା ଅର୍ଥ ଆକାରରେ ମଧ୍ୟ ପ୍ରଦାନ କରାଯାଇଛି । ଭତ୍ତାପାଇଁ ଜିଲ୍ଲାରେ ୬ହଜାର ୭୫୧ଜଣ ବୟସ୍କ ଆବେଦନକାରୀ ରହିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଅଗଷ୍ଟ ୨୪ତାରିଖରୁ ଖାଲି ପଡିଥିବା ବେଳେ ବୃହତ୍ତ ଜିଲ୍ଲା ପାଇଁ ପଦବୀ ତୁରନ୍ତ ପୂରଣ ଜରୁରୀ ହୋଇପଡିଛି । ରବିବାର ଜିଲ୍ଲାସ୍ତରୀୟ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ସରିଥିବା ବେଳେ ସ୍ବାସ୍ଥ୍ୟ ଶିବିର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।