ପୁରୀ-ରାଉରକେଲା ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପୁରୀ-ରାଉରକେଲା ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ପୁରୀ-ରାଉରକେଲା ମଧ୍ୟରେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ।
ଅନ୍ୟପଟେ ଓଡ଼ିଶାରୁ ଏହା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ୟ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୦୫ ଘଟିକାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ସେହିପରି ରାଉରକେଲାରୁ ଦିନ ୨ଟା୧୦ରେ ଛାଡି ସେହି ଦିନ ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନମାନଙ୍କରେ ରହିବ।