କାଶୀପୁର ଓ ଥୁଆମୂଳ- ରାମପୁର ବ୍ଲକରେ ବେଦାନ୍ତ ସପକ୍ଷରେ ତିନି ରାଜନୈତିକ ଦଳର ଓକିଲାତି ଏବଂ ସାମାଜିକ କର୍ମୀଙ୍କୁ ଧମକ୍
କାଶୀପୁର ଓ ଥୁଆମୂଳ- ରାମପୁର ବ୍ଲକରେ ବେଦାନ୍ତ ସପକ୍ଷରେ ତିନି ରାଜନୈତିକ ଦଳର ଓକିଲାତି ଏବଂ ସାମାଜିକ କର୍ମୀଙ୍କୁ ଧମକ୍ କାହା ସ୍ୱାର୍ଥରେ ?
ଭୁବନେଶ୍ୱର,ତା୨୩/୦୯/୨୩:ଓଡ଼ିଶାକୁ ଲୁଟ କରୁଥିବା ଅନ୍ୟତମ ବେଦାନ୍ତ କମ୍ପାନୀ ପାଇଁ ଶାସକ ଦଳ ସହ ଦୁଇ ବିରୋଧୀଦଳର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ କର୍ମକର୍ତ୍ତା ଖଣି ଲୁଟ୍ କୁ ଖୋଲମଖୋଲା ସମର୍ଥନ ଖଣି ଖନନକୁ ବିରୋଧ କରୁଥିବା ଜନସାଧାରଣଙ୍କ ମଧ୍ୟରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶାସକ ବିଜେଡ଼ି ସହ ବିରୋଧୀ କଂଗ୍ରେସ ଓ ବିଜେପିର ନେତୃବୃନ୍ଦ ବିଭିନ୍ନ ଜନ ଆନ୍ଦୋଳନର ନେତୃମଣ୍ଡଳୀ ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ନରେନ୍ଦ୍ର ମହାନ୍ତି ଓ ଭାଲଚନ୍ଦ୍ର ଷଡଙ୍ଗୀଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ମିଥ୍ୟା ଅଭିଯୋଗ କରି ଆଦିବାସୀ ଦଳିତ ତଥା ବଞ୍ଚିତ ଲୋକଙ୍କ ପାଖକୁ ଯାଇପାରିବେ ନାହିଁ ବୋଲି ଯେପରି ପ୍ରତ୍ୟକ୍ଷ ଧମକ ଦେଉଛନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ସହ ସମ୍ବିଧାନର ଧାରା ୨୧କୁ ଉଲଂଘନ କରୁଛି ବୋଲି ଆଜି ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।
ସମ୍ବିଧାନ ର ଧାରା ୫୧- ଏ(ଜି) ଅନୁସାରେ ଏକ ନାଗରିକର ଦାୟିତ୍ଵ ଦୃଷ୍ଟିରୁ ଅବିଚାରିତ ଖଣି ଖନନ ଦ୍ଵାରା ପରିବେଶ ଧ୍ଵଂସକୁ ରୋକିବାକୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ପ୍ରତିରୋଧ କରିବା ଓ ଜନସାଧାରଣଙ୍କ ପ୍ରତିବାଦକୁ ସହଯୋଗ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ଓ ଅଧିକାର। ଏହି ଅଧିକାର ଉପରେ ଆକ୍ରମଣ କରିବାକୁ ଖୋଲାରେ ଧମକ ଦେଉଥିବା ତିନି ଦଳର ରାଜ୍ୟ ମୁଖ୍ୟମାନେ ସର୍ବସାଧାରଣରେ ତଥା ଗଣମାଧ୍ୟମରେ ସେମାନଙ୍କ ଦଳୀୟ କର୍ମକର୍ତ୍ତା ମାନଙ୍କ ଧମକ ଗଣତାନ୍ତ୍ରୀକ ଅଧିକାରକୁ ହତ୍ୟା କରୁଛି ନା ନାହିଁ ତାହା ସ୍ପଷ୍ଟ କରିବାକୁ ନିବେଦନ ।ରାଜ୍ୟରେ ଖଣି ଲୁଟ୍ ତ୍ୱରାନ୍ୱିତ ହେଉଥିବାବେଳେ ବେଦାନ୍ତ ହଜାର ହଜାର କୋଟି ଟଙ୍କା ବିଭିନ୍ନ ସେସ୍ ଠକୁଥିବା ବେଳେ ବିରୋଧୀ ଦଳ ଗୁଡ଼ିକ ନିରବ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଗତ ୬ମାସ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ଓ କଂଗ୍ରେସର ରାଜ୍ୟ ମୁଖିଆ ମାନଙ୍କୁ ପତ୍ର ଜରିଆରେ ଓ ଜନ ଆନ୍ଦୋଳନ ପ୍ରତିନିଧିମାନଙ୍କ କନଭେନସନ୍ ଜରିଆରେ ରାଜ୍ୟରେ ଅବିଚାରିତ ଖଣି ଲିଜ ପ୍ରଦାନ ଉପରେ ବିତର୍କ କରିବାକୁ ଆହ୍ବାନ କରିଥିଲେ। କିନ୍ତୁ ସେହି ବିଷୟରେ କେହି କର୍ଣ୍ଣପାତ କରି ନାହାଁନ୍ତି।
ସରକାରକୁ ସମାଲୋଚନା ବା ଲୋକଙ୍କ ମଧ୍ୟରେ ସରକାରଙ୍କ ନୀତିକୁ ବିରୋଧ କରିବା ପାଇଁ ବିରୋଧୀ ଦଳମାନଙ୍କ ଯେତିକି ଅଧିକାର ଅଛି, ତାଠାରୁ ଅଧିକ ଅଧିକାର ଜଣେ ନାଗରିକର ଅଛି।
ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁଯାୟୀ ଗ୍ରାମସଭାର ବିନା ସମ୍ମତିରେ ପ୍ରାକୃତିକ ସମ୍ପଦ ଅନ୍ୟକୁ ହସ୍ତାନ୍ତର ହୋଇପାରିବ ନାହିଁ। ତେଣୁ ଖଣି ଲିଜ୍ ପ୍ରଦାନ ବେଆଇନ
ହୋଇଥିବାରୁ ଆଦିବାସୀ ମାନେ କମ୍ପାନୀକୁ ଓ ସରକାର ର ନିଷ୍ପତିକୁ ବିରୋଧ କରିବା ନ୍ୟାୟପୂର୍ଣ୍ଣ ତଥା ଯଥାର୍ଥ ଅଟେ । ବିଭିନ୍ନ ଜନ ଆନ୍ଦୋଳନର
ନେତା, ପରିବେଶବିତ୍ ଓ ସାମାଜିକ କର୍ମୀମାନେ ଆଦିବାସୀ ତଥା ପାରମ୍ପରିକ ଜଙ୍ଗଲବାସୀଙ୍କୁ ସେମାନଙ୍କର ନ୍ୟାୟ ସଙ୍ଗତ ଲଢ଼େଇରେ ସହାଯୋଗ କରିଆସୁଛନ୍ତି । ବକ୍ସାଇଟ୍ ଶେଷ ହୋଇଗଲେ ପ୍ରକୃତିର ବିନାଶ ହେବ ବୋଲି ଜାଗୃତ କରାଉଛନ୍ତି। କିନ୍ତୁ ବେଦାନ୍ତ ଓ ମୈତ୍ରୀ ଭଳି କମ୍ପାନୀ ମାନଙ୍କ ପ୍ରୋତ୍ସାହନରେ ସେମାନଙ୍କୁ ଗାଳି ଦେଉଥିବା ବିଭିନ୍ନ ଦଳୀୟ କର୍ମୀ ଓ ନେତା ମାନେ ସମାଲୋଚନା ବା ବିରୋଧ ବେଳେ ଭଦ୍ରତା ଅବଲମ୍ବନ କରିବା ସହିତ ସଠିକ୍ ତଥ୍ୟ ଦେଇ ଅଭିଯୋଗ ଦାଖଲ କରି ତଦନ୍ତ ପାଇଁ ସରକାରଙ୍କୁ ବାଧ୍ୟ କରନ୍ତୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସେମାନେ ଆହ୍ୱାନ କରିଛନ୍ତି। କମ୍ପାନୀ ପଇସାରେ ବିରୋଧ ବା ସମାଲୋଚନା ଜନ ଆନ୍ଦୋଳନ କୁ ମାରି ପାରିବ ନାହିଁ।
କାଶିପୁର ଓ ବାଫିଲିମାଳିରେ ଯେଉଁ ଖଣି ଖନନ ଚାଲିଛି ତାହାର ପ୍ରଭାବ ଦ୍ଵାରା ଅନେକ ଝରଣା ଶୁଖି ଗଲାଣି, ନଦୀ-ନାଳ ପାଣି ବିଷାକ୍ତ ହେଲାଣି । ଏବେ ପୁଣି ସିଜିମାଳି, କୁଟ୍ରୁମାଳିରେ ଖଣି ଖନନ ହେଲେ କାଶିପୁର ଥୁଆମୂଳ- ରାମପୁର ଅଞ୍ଚଳ ମରୁଭୂମି ପାଲଟିଯିବ ।
ଖଣି ପାଇଁ ଜଙ୍ଗଲ ହସ୍ତାନ୍ତର ଆଇନ ସମ୍ମତ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାବେଳେ,
ଜଙ୍ଗଲ ଅଧିକାର ଆଇନ ସେହି ଅଞ୍ଚଳର ଗ୍ରାମ ମାନଙ୍କରେ ଲାଗୁ ହୋଇ ନଥିବା ବେଳେ ,ବ୍ୟକ୍ତିଗତ ଜମି ଓ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ସମ୍ମତି ନଥିବା ବେଳେ ପରିବେଶ୍ ମଞୁରି ପାଇଁ ଜଣାଶୁଣାଣୀ କରିବା ଠିକ୍ ନୁହେଁ। ପୁଣି ଜନ ଶୁଣାଣି ପୂର୍ବରୁ ବେଦାନ୍ତ କମ୍ପାନୀର ଠିକା ଏଜେନ୍ସି ମୈତ୍ରୀ ଓ ପୋଲିସ ପ୍ରଶାସନ ମିଶି ଆତଙ୍କ ସୃଷ୍ଟିକାରୀ ଖଣି ବିରୋଧୀ ସ୍ଥାନୀୟ ଆଦିବାସୀ ଦଳିତ ଙ୍କୁ ଗିରଫକରି ମାଡ ମାରିବା, ଜେଲରେ ରଖି ଦମନ କରିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ଅଟେ।
ପରିବେଶ ଓ ପ୍ରକୃତିର ସୁରକ୍ଷା ତଥା ଲୋକଙ୍କ ଅଧିକାର ପାଇଁ ବେଆଇନ ଖଣି ଖନନ ନିଷେଧ ପାଇଁ ଲଢ଼ିବେ ଏବଂ ଲୋକଙ୍କ ସହ ରହିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦ ଘୋଷଣା କରିଛନ୍ତି।
ଗତ ୨୯ ଅଗଷ୍ଟରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କିଏ କାହିଁକି କରିଥିଲା ତାର କାହିଁକି ତଦନ୍ତ ପୋଲିସ କରୁନାହିଁ ସରକାର ତାର ଜବାବ ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।
ଆଦିବାସୀମାନେ ସରଳ କିନ୍ତୁ ବିବେକୀ ଓ ନିଜ
ଅଧିକାର ପାଇଁ ସ୍ୱାଭିମାନ ସହ ଲଢ଼େଇ କରିବା ଜାଣିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।ବାହାରିଆ ଲୋକ ଆସି ଆଦିବାସୀ ମାନଙ୍କୁ ଉସକାଉଥିବା ଅଭିଯୋଗ ଅତ୍ୟନ୍ତ ଭିତ୍ତିହୀନ ଏବଂ ତାହା ଆଦିବାସୀ ମାନଙ୍କ ସ୍ୱଭିମାନ ପ୍ରତି ଅସମ୍ମାନ। କମ୍ପାନୀ ଦ୍ଵାରା ପ୍ରଲୋଭିତ ହୋଇ ବିଭିନ୍ନ ଜନ ଆନ୍ଦୋଳନର ନେତା ଓ ସମର୍ଥକ
ମାନଙ୍କୁ ଗାଳି ଦେବାବେଳେ ଭଦ୍ରତା ଅବଲମ୍ବନ କରିବା ଓ ଧମକ ଦେବାବେଳେ ଆଇନ୍ ଏବଂ ସମ୍ବିଧାନକୁ ପଢିବାକୁ ସେମାନେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ନେତୃତ୍ବକୁ ଅନୁରୋଧ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନେ କାଶିପୁର ଓ ନିୟମଗିରିର ଖଣି ବିରୋଧୀ ସମସ୍ତ ବ୍ୟକ୍ତିଙ୍କୁ ଖଲାସ୍ କରିବା, ଶତାଧିକ ବ୍ୟକ୍ତିଙ୍କ ବିରୋଧରେ ରୁଜ୍ଜୁ ହୋଇଥିବ ମିଥ୍ୟା ମକଦ୍ଦମା ସହ କଳା ଆଇନ୍ ୟୁ.ଏ.ପି.ଏ. କୁ ପ୍ରତ୍ୟାହାର ପାଇଁ ସେମାନେ ସରକାରଙ୍କୁ ନିବେଦନ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତିପ୍ରଫୁଲ୍ଲ ସାମନ୍ତରା , ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍,ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ତଥା ଇନସାଫ୍ ର ରାଜ୍ୟ ଆବାହକ
ନରେନ୍ଦ୍ର ମହାନ୍ତି, ଲୋକଶକ୍ତି ଅଭିଯାନର ଲକ୍ଷ୍ମୀପ୍ରିୟା ମହାନ୍ତି, ଲୋହିଆ ଏକାଡେମୀ ର ସଂପାଦକ ଦେବରାୟ ମହାପାତ୍ର ଉପସ୍ଥିତ ଥିଲେ ।