ଆୟୁଷ ବିଭାଗକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେପି
“ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ଆୟୁଷ ବିଭାଗକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେପି
ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ
ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି
୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ
ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି
ରାଜ୍ୟ ସରକାର ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ଗୋଟିଏ ବି ଯୋଜନା “ଆୟୁଷ ଚିକିତ୍ସା”ରେ ସାମିଲ କରାଯାଇ ନାହିଁ
ଭୁବନେଶ୍ୱର, ତା.୧୧/୦୯: ରାଜ୍ୟ ସରକାର ହୋମିଓପ୍ୟାଥି ଓ ଆୟୁର୍ବେଦ ଶିକ୍ଷା ଏବଂ ଚିକିତ୍ସାକୁ ଲୋକାଭିମୁଖ୍ୟ କରିବାରେ ବୈମାତୃକ ମନୋଭାବ ଓ ଚରମ ଉଦାସୀନତା ପ୍ରକାଶ କରିଛନ୍ତି । ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ । ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି “ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର” ଖୋଲି ନାହାନ୍ତି ସରକାର । ଏନେଇ ୩୧ ଅଗଷ୍ଟରୁ ଆଜିଯାଏ “ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ” ସମେତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ପ୍ରତିନିଧିତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଘଟଣା ସ୍ଥଳକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି ।
ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା । କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ, ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦାବି କରିଛନ୍ତି ।
ରାଜ୍ୟ ସରକାର ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ଗୋଟିଏ ବି ଯୋଜନା “ଆୟୁଷ ଚିକିତ୍ସା”ରେ ସାମିଲ କରାଯାଇ ନାହିଁ । ଏହା କ’ଣ ରାଜ୍ୟ ସରକାରଙ୍କ “ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶାର” ଚିତ୍ର । ରାଜ୍ୟ ସରକାରଙ୍କ ବିନା ସହଯୋଗରେ ବାର୍ଷିକ ୩୦ଲକ୍ଷ ରୋଗୀ ଆୟୁଷ ଚିକିତ୍ସା ମାଧ୍ୟମରେ ନିରୋଗ ରହୁଛନ୍ତି । ଆୟୁଷ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦିଅନ୍ତୁ, ଆୟୁଷ ଡାକ୍ତରମାନେ ଆଧୁନିକ ଡାକ୍ତରଙ୍କ ସମାନ ଭତା ଦିଅନ୍ତୁ ରାଜ୍ୟ ସରକାର । ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମପଂଚାୟତରେ ଗୋଟିଏ “ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର” ଖୋଲିବା ସହ ପ୍ରତିବର୍ଷ ଅନ୍ୟୁନ ୨୦୦ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଦାବି କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ଓ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।