Search for:
  • Home/
  • ରାଜ୍ୟ/
  • ଜନ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା

ଜନ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା

Spread the love

Loading

ଜନ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ।

ଭୁବନେଶ୍ୱର, ତା ୩୦/୦୮/୨୩:ସାରା ଦେଶ ଓ ଓଡ଼ିଶାରେ ବିକାଶ ନାମରେ ଚାଲିଥିବା ବିନାଶ ଲୀଳା ଓ କର୍ପୋରେଟ ଲୁଟ୍ ବିରୋଧରେ ବିଭିନ୍ନ ଜନ ଆନ୍ଦୋଳନର‌ ଦୃଢ଼ ସମର୍ଥକ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଗତକାଲି ରାୟଗଡ଼ା ସଦର ମହକୁମାରେ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଘଟଣାକୁ ବିଭିନ୍ନ ମାନବାଧିକାର ଓ ଗଣତାନ୍ତ୍ରିକ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏପରି ଅଗଣତାନ୍ତ୍ରିକ ଓ ଜନବିରୋଧୀ ନୀତି ଦ୍ଵାରା ଓଡ଼ିଶା ସରକାରଙ୍କ ତଥାକଥିତ ବିକାଶର ଅସଲ ଚରିତ୍ର ଓ କର୍ପୋରେଟ ପ୍ରୀତି ପଦାରେ ପଡିଯାଇଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ରାଜ୍ୟ ବିଜେଡ଼ି ସରକାରଙ୍କ ଭିନ୍ନମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏପରି ଦମନଲୀଳା ଉଭୟ ଦେଶୀ- ବିଦେଶୀ କମ୍ପାନୀ ତଥା ପୁଞ୍ଜିପତି ମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ତଥା ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଲୋହିଆ ଏକାଡେମୀର ସଂପାଦକ ଦେବରାୟ ମହାପାତ୍ର, ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ, ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ଵପ୍ରିୟ କାନୁନଗୋ, ଅଖିଳ ଭାରତ ଜନମଞ୍ଚ ର ଆବାହକ ରାଧାକାନ୍ତ ସେଠୀ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସଭାପତି ପ୍ରଫେସର ଗୋଲଖ ବିହାରୀ ନାଥ, ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତିର ମୁଖପାତ୍ର ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

ସେମାନେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ଜନ ଆନ୍ଦୋଳନରେ ମିଥ୍ୟା ମକଦ୍ଦମାରେ ଗିରଫ ହୋଇ ରାୟଗଡ଼ା ଜେଲ୍ ରେ ଥିବା ଆନ୍ଦୋଳନର ସାଥୀ ମାନଙ୍କୁ ଭେଟିବା ପାଇଁ ଗତକାଲି ପ୍ରଫୁଲ୍ଲ ସାମନ୍ତରା ରାୟଗଡ଼ା ଯାଇଥିଲେ। ସେମାନଙ୍କ ମକଦ୍ଦମା ସଂପର୍କରେ ସେ ସ୍ଥାନୀୟ ଆଇନଜୀବୀ ମାନଙ୍କୁ ଭେଟି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ କିଛି ସାଧା ପୋଷାକଧାରୀ ପୋଲିସ ତାଙ୍କୁ ରାୟଗଡ଼ା ସ୍ୱାଗତ ହୋଟେଲ ମଧ୍ୟରୁ ଅପହରଣ କରି ନେଇଥିଲେ । ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ଏସ୍.ପି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଥିଲେ । କିନ୍ତୁ ଓଡ଼ିଶା ସମେତ ସାରା ଦେଶରୁ ପ୍ରବଳ ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ପୋଲିସ୍ ସୁରକ୍ଷା ମଧ୍ୟରେ ରାତିରେ ବ୍ରହ୍ମପୁରରେ ଛାଡ଼ିବା ପାଇଁ ପୋଲିସ୍ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ
ପ୍ରକାଶ ଥାଉ କି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଦାନ୍ତ, ହିଣ୍ଡାଲକୋ ଓ ମୈତ୍ରୀ କମ୍ପାନୀର ପ୍ରାକୃତିକ ସମ୍ପଦ ଲୁଣ୍ଠନ ବିରୋଧରେ ଲଗାତର ଜନ ଆନ୍ଦୋଳନ ଚାଲିଛି। ନିୟମଗିରି ସୁରକ୍ଷା ସମିତି (କଳାହାଣ୍ଡି ଓ ରାୟଗଡ଼ା), ମାଳି ପର୍ବତ ସୁରକ୍ଷା ସମିତି (କୋରାପୁଟ) , ସିଜିମାଳି ଓ କୁଟ୍ରୁମାଳି ସୁରକ୍ଷା ସମିତି (କାଶୀପୁର) ନେତୃତ୍ବରେ ଏହି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ପ୍ରତିବାଦ ଓ ପ୍ରତିରୋଧକୁ ଦମନ କରିବା ପାଇଁ ଓଡ଼ିଶା ସରକାର ଅତ୍ୟନ୍ତ ଘୃଣ୍ୟ କୈାଶଳ ଆପଣାଉଛନ୍ତି। ଆନ୍ଦୋଳନର ନେତା ଓ କର୍ମୀ ମାନଙ୍କୁ ଅପହରଣ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ୩/୪ ଦିନ ପରେ ମିଥ୍ୟା ମକଦ୍ଦମାରେ ଜଡ଼ିତ କରି କୋର୍ଟ ଚାଲାଣ କରୁଛନ୍ତି। ନିୟମଗିରି ସୁରକ୍ଷା ସମିତିର କୃଷ୍ଣ ସିକକା, ଉପେନ୍ଦ୍ର ବାଗଙ୍କୁ ସାଧା ପୋଷାକଧାରୀ ଅପହରଣକୁ ଅସ୍ୱୀକାର, କିନ୍ତୁ ୩/୪ ଦିନ ପରେ ମିଛ ମକଦ୍ଦମାରେ ଜଡ଼ିତ କରି କୋର୍ଟ ଚାଲାଣ, କାଶୀପୁର ଅଞ୍ଚଳରେ ପ୍ରାୟ ୨୨ ଜଣଙ୍କୁ ରାତି ଅଧିଆ ଅଟକ, ନିର୍ଯ୍ୟାତନା, ମହିଳାଙ୍କୁ ଅଶାଳୀନ ଆଚରଣ ଓ ପରେ ଗିରଫ୍ ଘଟଣାରେ ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଛି ।
ସେହିପରି ଅଖିଳ ଭାରତ କିଷାନ୍ ମଜଦୂର୍ ସଭାର ସାଧାରଣ ସଂପାଦକ ସାଥୀ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କୁ କାଶୀପୁର -ଟିକିରି ଥାନାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଟକ, ମାଳି ପର୍ବତ ସୁରକ୍ଷା ସମିତିର ସଂପାଦକ ଅଭି ସଦାପଲ୍ଲୀ ଓ ଉପ ସଭାପତି ଦାସ ଖରା ଙ୍କୁ ଛତିଶଗଡ଼ ପୋଲିସ୍ ଦ୍ୱାରା ଅପହରଣ ଓ ପରେ ଛାଡ଼ିବା ଘଟଣା ଏହାର ନଗ୍ନ ନମୁନା ବୋଲି ସେମାନେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏପରି ଅଗଣତାନ୍ତ୍ରିକ ଆକ୍ରମଣ ଓ ବିକାଶ ନାମରେ ଜନବିରୋଧୀ ନୀତି ଅବିଳମ୍ବେ ପ୍ରତ୍ୟାହାର କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ତଦନ୍ତ କରିବାକୁ ସେମାନେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି ।

 

Leave A Comment

All fields marked with an asterisk (*) are required