Search for:
  • Home/
  • ରାଜ୍ୟ/
  • ବିଏମ୍‌ସି, ବିଡିଏରେ ବଢ଼ିଲା ଅସନ୍ତୋଷ।

ବିଏମ୍‌ସି, ବିଡିଏରେ ବଢ଼ିଲା ଅସନ୍ତୋଷ।

Spread the love

Loading

କୁଆଡ଼େ ଯିବେ ଅବସରପ୍ରାପ୍ତ କର୍ମଚାରୀ? ଯେଉଁଠୁ ରିଟାର୍ଡ କଲେ ସେଇଠି ଥଇଥାନ ହୋଇଥିଲେ
ବିଏମ୍ସି ବିଡିଏରେ ବଢ଼ିଥିଲା ଅସନ୍ତୋଷ

ଭୁବନେଶ୍ୱର: ଅବସର ପରେ ନିଯୁକ୍ତିକୁ ନେଇ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଛି। କେତେ ଲୋକଙ୍କୁ ଅବସର ପରେ ନିଯୁକ୍ତି ଦେଇଛ ତାହାର ତାଲିକା ସରକାର ତଲବ କରିବା ପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ଗତ ୮ ତାରିଖରେ ବିଧିବଦ୍ଧ ଭାବରେ ଉଭୟ ସଂସ୍ଥାରୁ ତାଲିକା ପ୍ରଦାନ କରାଯାଇଛି। ଏହାକୁ ନେଇ ଉଭୟ ସଂସ୍ଥାରେ ଚହଳ ପଡ଼ିଛି। ପୂର୍ବରୁ ଏହି ସବୁ ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପ୍ରବଳ କର୍ମଚାରୀ ଅସନ୍ତୋଷ ପ୍ରକାଶ ପାଇଥିଲା। ଅବସରପ୍ରାପ୍ତ କର୍ମଚାରୀଙ୍କ ଜରିଆରେ ଦୁର୍ନୀତି କରିବା ସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ସମସ୍ତ ଅଭିଯୋଗ ବିଭାଗୀୟ ଅଧିକାରୀ ଚାପି ଦେଉଥିବାରୁ କିଛି ସୁଫଳ ମିଳିନଥିଲା। ଏବେ ଏହି ତାଲିକା ତଲବ ହେବା ପରେ ଥଇଥାନ ହୋଇଥିବା ଅବସରପ୍ରାପ୍ତ କର୍ମଚାରୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନ ଉଠିଛି। ବିଦା ହେବା ଭୟରେ ଏମାନେ ପ୍ରମାଦ ଗଣିଥିବା ବେଳେ ଅନ୍ୟ ଅସନ୍ତୁଷ୍ଟ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।
ଅରୁଣ ନାୟକ। ବିଏମ୍‌ସିର ସିଟି ଇଞ୍ଜିନିୟର ଭାବରେ ଅବସରନେବା ପରେ ପରେ ତାଙ୍କୁ ପୁନଃ ନିଯୁକ୍ତି ମିଳିଛି। ଯେଉଁ ବିଭାଗରେ କାମ କରୁଥିଲେ ସେହି ବିଭାଗରେ ତାଙ୍କୁ ଓଏସ୍‌ଡି ଭାବରେ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତିକୁ ପାଖାପାଖି ବର୍ଷେ ପୂରିବାକୁ ବସିଛି। ଗୋଟିଏ ପଟେ ଏହି ସେକ୍ସନରେ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିବାରୁ ଆଉଟ୍‌ସୋର୍ସିଂ ଜରିଆରେ ନିଯୁକ୍ତି ଚାଲିଥିବା ବେଳେ ଅବସର ପରେ ବି ଅଧିକାରୀ ଥଇଥାନ ହୋଇଛନ୍ତି। ଯେଉଁଥିପାଇଁ ବିଏମ୍‌ସି ଆର୍ଥିକ ବୋଝ ବଢ଼ି ବଢ଼ି ଚାଲିଛି। ସେହିଭଳି ପ୍ଲାନିଂ ଉପବିଭାଗରୁ ଲିଙ୍ଗରାଜ ପଟ୍ଟନାୟକ ଅବସର ଗ୍ରହଣ କରିବା ପରେ ସେ ମଧ୍ୟ ପୁନଃନିଯୁକ୍ତି ପାଇଛନ୍ତି। ମୂଖ୍ୟ ବିତ୍ତ ଅଧିକାରୀ(ସିଏଫ୍‌ଓ) ପଦରୁ ଲାବଣ୍ୟ ଶବର ଅବସର ଗ୍ରହଣ କରିବା ପରେ ଓଏସ୍‌ଡି ଭାବରେ ଥଇଥାନ ହୋଇଛନ୍ତି। ସେହିଭଳି ମେୟରଙ୍କ ବ୍ୟକ୍ତିଗତ ସହାୟକ ବିଚିତ୍ରାନନ୍ଦ ସୂତାର ଅବସର ନେବା ପରେ ସେହି ପଦରେ ଥଇଥାନ ହୋଇଛନ୍ତି। ଏହି ନିଯୁକ୍ତିକୁ ନେଇ ବିବାଦ ହୋଇଛି। ଯୋଗ୍ୟ କର୍ମଚାରୀ ଥାଇ କାହିଁକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଶ୍ନ ଉଠାଇ କନିଷ୍ଠ ସହାୟକ ଭାବରେ କାମ କରୁଥିବା ଭଗବାନ ପ୍ରଧାନ ହାଇକୋର୍ଟ ଯାଇଛନ୍ତି। ଏଣୁ ଗୋଟିଏ ପଟେ ସରକାର ତାଲିକା ତଲବ କରିବା ଓ ଅନ୍ୟପଟେ କୋର୍ଟ ମାମଲା ଏଭଳି ସୂତାରଙ୍କ ନିଯୁକ୍ତି ବିବାଦରେ ଫସିଛି। ସେହିଭଳି ନିର୍ବାହୀ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିବା ପିଏସ୍‌ଏନ୍‌ ପାତ୍ର ମଧ୍ୟ ନିଯୁକ୍ତି ପାଇଛନ୍ତି। ଏଭଳି ୨୦୨୨ରୁ ଆଜି ପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇଛି ବିଏମ୍‌ସି।ଏହି ପ୍ରସଙ୍ଗରେ ବିଡିଏ ମଧ୍ୟ ପଛରେ ପଡ଼ି ନାହିଁ। ବରଂ ହାଇକୋର୍ଟ ଆଦେଶ ଅବମାନନା କରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ପୂର୍ବତନ ସଚିବ କବୀନ୍ଦ୍ର ସାହୁ ଏଭଳି ଏକ ମାମଲାରେ ଫସିଛନ୍ତି। ଗୋଟିଏ ପଟେ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପୁନର୍ବାସ ଓ ଥଇଥାନ ଯୋଜନାରେ ଚାକିରି ପାଇବା ପାଇଁ ୧୦ ଜଣ କର୍ମଚାରୀଙ୍କ ସନ୍ତାନ କର୍ତ୍ତୃପକ୍ଷଙ୍କ ଦୟାକୁ ଚାହିଁ ବସିଥିବା ବେଳେ ବିଡିଏ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଇ ଚାଲିଛି। ଓଏସ୍‌ଡି(ଲିଗାଲ୍‌) ଓ ଓଏସ୍‌ଡି ଏନ୍‌ଫୋର୍ସମେଣ୍ଟ ଉଭୟ ଅବସର ପରେ ଚାକିରି ପାଇଥିବା ବେଳେ ଜଣେ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜଣେ ଅଡିଟର୍‌, ୫ ଜଣ କିରାଣି ଅବସର ପରେ ନିଯୁକ୍ତି ପାଇଛନ୍ତି। ଏହା ପରେ ଆଉ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ବିଡିଏ ବିଜ୍ଞାପନ ଦେବା ପରେ ମାମଲା ହାଇକୋର୍ଟ ଯାଇଛି। ଏହି ନିଯୁକ୍ତିକୁ ନେଇ ପ୍ରବଳ କର୍ମଚାରୀ ଅସନ୍ତୋଷ ରହିଛି।

Leave A Comment

All fields marked with an asterisk (*) are required