ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ନାଟକ ‘ସତ୍ୟ ଶିବ ସୁନ୍ଦର’ ମଞ୍ଚସ୍ଥ
ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ନାଟକ ‘ସତ୍ୟ ଶିବ ସୁନ୍ଦର’ ମଞ୍ଚସ୍ଥ
ଭୁବନେଶ୍ୱର;ତା 02।09।2024ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ରିକ୍ରିଏସନ୍ କ୍ଲବ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମଞ୍ଚସ୍ଥ ହୋଇଯାଇଛି ପାରିବାରିକ ସାମାଜିକ ନାଟକ ‘ସତ୍ୟ ଶିବ ସୁନ୍ଦର’। ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ଏହି ନାଟକକୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମୁର୍ମୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀମତୀ ସସ୍ମିତା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବହୁ କର୍ପୋରେଟର, ବିଏମ୍ ସିର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ବିଏମ୍ ସି କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ଭୁବନେଶ୍ୱର ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢିତୋଳୁଛନ୍ତି । ସେମାନଙ୍କର କର୍ମକ୍ଲାନ୍ତ ଜୀବନରେ ଟିକିଏ ଆନନ୍ଦ ଭରିଦେବା ପାଇଁ ମନୋରଂଜନ ନିହାତି ଦରକାର । ଏହା ଦ୍ୱାର କର୍ମ କରିବାର ପ୍ରେରଣା ମିଳିଥାଏ ବୋଲି କହିଛନ୍ତି ମାନନୀୟା ମେୟର ।
ଏହା ଏକ ପାରିବାରିକ ନାଟକ । ଏହା କେବଳ ମନୋରଂଜନ ଧର୍ମୀ ନୁହେଁ, ଏଥିରେ ସମାଜକୁ ସଚେତନ କରାଇବାର ବାର୍ତ୍ତା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରତି ଛତ୍ରେ ଛତ୍ରେ ରହିଛି ବୋଲି କହିଥିଲେ ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ।
ସତ୍ୟ, ଶିବ ଓ ସୁନ୍ଦର 3 ଭାଇ । ବଡ ଭାଇ ସତ୍ୟ ଅବିବାହିତ । ସେ ଭାଇ ହୋଇଥିଲେ ମଧ୍ୟ ପିତାଙ୍କ ଭଳି ସମସ୍ତଙ୍କର ଅଳି ଅର୍ଦ୍ଦଳି ସହି ପରିବାରର ମଙ୍ଗଳ ପାଇଁ କାମ କରେ । ପରସ୍ପର ମଧ୍ୟରେ ଉତ୍ତମ ସଂପର୍କ ଓ ବୁଝାମଣା ପାଇଁ ପରିବାରଟି ବେଶ ହସ ଖୁସିରେ ଚାଲିଥିଲା । ମାତ୍ର କାଳର କରାଳ ଗତିରେ ପରିବାରରେ ଉଠିଛି ଝଡ । ସାନଭାଇ ସୁନ୍ଦର କିଡନାପ ହୋଇଥିବା ନାଟକ ରଚି ଭାଇମାନଙ୍କଠାରୁ ନେଇଯାଏ ଲକ୍ଷ ଲକ୍ଷ ଟଙ୍କା । ପରବର୍ତ୍ତି ସମୟରେ ସେ ଧରାପଡେ । ତାକୁ ଏପରି ବାଟକୁ ନେଇଥିବା ପ୍ରକୃତ ଦୋଷୀ ମଧ୍ୟ ଦଣ୍ଡ ପାଏ ।
ପ୍ରକୃତରେ ସାନ ଭାଇ ସୁନ୍ଦର ବ୍ଲଡ କ୍ୟାନସରରେ ପୀଡିତ । ତେଣୁ ସେ ବଂଚିବା ପାଇଁ ଜୀବନ ସଂଗ୍ରାମ କରେ । ପରିବାର ଲୋକେ ସୁନ୍ଦରଙ୍କ ଅବସ୍ଥା ଜାଣିବା ବେଳକୁ ତାଙ୍କର ଶେଷ ଅବସ୍ଥା ଆସିଯାଇଥାଏ । ତଥାପି ଭାଇମାନେ ଜାଣିବା ପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବାଟରେ ହିଁ ସୁନ୍ଦର ଶେଷ ନିଶ୍ୱାସ ତ୍ୟାଗ କରନ୍ତି । ଏମିତି ଏକ ଶୋକାକୂଳ ପରିବେଶ ମଧ୍ୟରେ ଶେଷ ହୁଏ ନାଟକ ସତ୍ୟ ଶିବ ସୁନ୍ଦର ।
ଏହି ନାଟକଟିକୁ ଡକ୍ଟର ସୁଧାଂଶୁ ନାୟକ ରଚନା କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର । ସହଯୋଗୀ କୈଳାସ ସେନାପତି ଥିବା ବେଳେ ମଂଚ ସଜାଇଥିଲେ ପ୍ରଜ୍ଞାଦତ୍ତ ସାହୁ । ଆଲୋକ ସଜ୍ଜା-ବିକାଶ, ପୋଷାକ, ମେକ୍ଅପ୍ ଓ କେଶ ବିନ୍ୟାସ କରିଥିଲେ ଜନତା ଚିତ୍ରାଳୟ । ନାଟ୍ୟ ନିର୍ଦେଶନା ଦେଇଛନ୍ତି ଓଡିଶାର ଓ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ । ମୁଖ୍ୟାଂଶରେ ସନ୍ତୋଷ ମହାନ୍ତି, ଶୁଭକାନ୍ତ ପାଢୀ, ଅଜିତ ବେହେରା ରହିଥିବା ବେଳେ ପୂଣ୍ୟ ଶ୍ଲୋକ, ଅରୁଣ, ଅକ୍ଷୟ, ଲକ୍ଷ୍ମୀଧର, ଉମେଶ, ଯୁଧିଷ୍ଠିର, ରଂଜନ, ସରିତା, ଝିମା, ବିଉଟି ଓ ରବି ସାହୁଙ୍କ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା । ରାସ୍ୟରସ, ମିଳନ, ବିଚ୍ଛେଦ, ଦୁଃଖ ଆଦି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଆସନ୍ତା କାଲି ମଧ୍ୟ ରବୀନ୍ଦ୍ର ମଣ୍ଡପଠାରେ ପୁନଃ ମଂଚସ୍ଥ ହେବ ବୋଲି ରିକ୍ରିଏସନ କ୍ଲବର ସାଧାରଣ ସଂପାଦକ ଶୁଭକାନ୍ତ ପାଢୀ ସୂଚନା ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ବିଭାଗରେ ହୋଇଥିବା କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।