ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରାଯିବ-ନଗର ଉନ୍ନୟନ ମନ୍ତ୍ରୀ
ସ୍ୱାୟତ ଶାସନ ଦିବସ-୨୦୨୪ରେ ବିଏମ୍ସିର ବ୍ୟାପକ କାର୍ଯ୍ୟକ୍ରମ
ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରାଯିବ-ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର;ତା ୩୧ । ୦୮ । ୨୦୨୪ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆଜି ସ୍ୱାୟତ ଶାସନ ଦିବସ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢେ ୭ଟାରେ ବିଏମ୍ସି ମୁଖ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର, ସମସ୍ତ ଅତିରିକ୍ତ କମିଶନର, ଡେପୁଟି କମିଶନରଙ୍କ ସହ ଟିମ୍ ବିଏମ୍ସି ଉପସ୍ଥିତ ଥିଲେ । ଜାତୀୟ ପତାକା ଉତୋଳନ ପରେ ବିଏମ୍ସିର ଆର୍କାଇଭକୁ ଉଦଘାଟନ କରିଥିଲେ ମାନନୀୟା ମେୟର । ପରେ ବିଭିନ୍ନ ଆଶ୍ରୟସ୍ଥଳରେ ଫଳ ଓ ପୋଷାକ ବଂଟନ କରାଯାଇଥିଲା ।
ସକାଳ ୧୦ଟାରେ ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ ପାଳନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମଧ୍ୟାହ୍ନ ୧୨ଟା ସମୟରେ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୨୮ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ମୋଟ ୧୪ ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା, ସମସ୍ତ କର୍ପୋରେଟର, ବିଏମ୍ସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଜୟଦେବ ଭବନରେ ଅନୁଷ୍ଠିତ ସଂଧ୍ୟା ଅଧିବେଶନରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମାନନୀୟା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧକ୍ଷ ଶ୍ରୀ ମିହିର କୁମାର ରାଉତ, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ମଂଚାସୀନ ଥିଲେ ।
ସ୍ୱାଗତ ଅଭିଭାଷଣ ଦେଇ ଭୁବନେଶ୍ୱର ମହାନଗର ନିଗର କମିଶନର କହିଥିଲେ ଯେ ସହରର ସ୍ୱଚ୍ଛତାକୁ ଆଗେଇ ନେବା ପାଇଁ ସବୁଜ ବର୍ଜ୍ୟ ଗୃହ ନିର୍ମାଣ ଓ ଭଗ୍ନାବଶେଷ, ଫୁଲ ଆଦି ବର୍ଜ୍ୟର ସ୍ୱତନ୍ତ୍ର ଉପଯୋଗ, ଇଲେକ୍ଟ୍ରୋନିକ୍ସ ବର୍ଜ୍ୟର ସଂଗ୍ରହ ଓ ନିଷ୍କାସନ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତିରେ କାର୍ଯ୍ୟକରୁଛି ବିଏମ୍ସି । ଭୁବନେଶ୍ୱରର ତାପମାତ୍ର ହ୍ରାସ କରିବା ସହ ସବୁଜ ଭୁବନେଶ୍ୱର ଗଠନ କରିବା ପାଇଁ ବିଏମ୍ସି ଏବେ ମିଆଁୱାକି ପଦ୍ଧତିରେ ଜଙ୍ଗଲ କାମ ଆରମ୍ଭ ହୋଇଛି ।
କର୍ପୋରେଟର, ଟିମ୍ ବିଏମ୍ସି ସମର୍ପିତ ଭାବେ କାମ କରୁଛନ୍ତି । ୧୯୪୮ ମସିହାରୁ ସଫା ହୋଇନଥିବା କଞ୍ଜରଭେନ୍ସି ଲେନ୍ସକୁ ସଫା କରିବା ସହ ସେଗୁଡିକୁ ପେଭର ବ୍ଲକ କରାଯାଇଛି । ଇ-ଯାନ ବ୍ୟବହାର ସହ ସୌର ଶକ୍ତିର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆର ପୁନଃ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ ଶ୍ରୀମତୀ ଦାସ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମାନନୀୟା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ କହିଥିଲେ ଯେ ସହଭାଗିତା ମାଧ୍ୟମରେ ପ୍ରଗତି ବିଏମ୍ସିର ଫଳବତୀ ହୋଇଛି । ମେୟରଙ୍କ ସହ ଟିମ୍ ବିଏମ୍ସି ବହୁ ଉନ୍ନତି ମୂଳକ କାମ କରୁଛି । ବିଏମ୍ସି ମଡେଲ ଏମ୍ସିସିର ଉଚ୍ଚ ପ୍ରସଂଶା କରିବା ସହ ସହରର ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ଯୋଜନା ଚାଲିଛି । ଆଗାମୀ ଦିନରେ ଯାହା କେନ୍ଦ୍ରୀୟ ସହାୟତା ଦରକାର ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଭୁବନେଶ୍ୱର କଳେବର ଦିନକୁ ଦିନ ବୃଦ୍ଧି ପାଉଛି । ରାଜନିତିର ଉର୍ଦ୍ଧ୍ୱରେ ରହି ସମସ୍ତେ ଲୋକଙ୍କ ପାଇଁ କାମ କରିବା ଦରକାର । ବିଏମ୍ସି ଆମର ପରିଚୟ । ଓଡିଶାର ରାଜଧାନୀକୁ ଏକନମ୍ବର କରିବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ଏବଂ ବିକାଶ ପାଇଁ ଆବଶ୍ୟକ ଜବର ଦଖଲ ମୁକ୍ତ କରିବା । ବସ୍ତି ବାସିନ୍ଦାଙ୍କୁ ସହରାଂଚଳ ଆବାସ ଯୋଜନାରେ ସେମାନଙ୍କୁ ଥଇଥାନ କରିବା । ଇସ୍କନ ମନ୍ଦିର ସମ୍ମୁଖରେ ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ ପ୍ରସ୍ତୁତି ହୋଇସାରିଛି । ଯଥା ଶୀଘ୍ର ଏହା କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜଧାନୀ ଭୁବନେଶ୍ୱର ହେଉଛି ଆମର ଅସ୍ମିତା । ଏହାକୁ ମଡେଲ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।
ଏହି ଅବସରରେ ସହରରେ ସବୁଜିମା ପାଇଁ ଜୟକୃଷ୍ଣ ରଥ, ମମତା ଲେଙ୍କା, ରୁଦ୍ର ପ୍ରସାଦ ମହାପାତ୍ର, ପାବ ପଂଚଦେବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନ୍ଏସ୍ଏସ୍ ଉଙ୍ଗ ଏବଂ ମଧୁସୂଦନ ପାର୍କ ମର୍ଣ୍ଣିଂ ଆସୋସିଏସନକୁ ନଗର ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଏମ୍ସି ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତି ଯୋଗିତାର କୃତୀ ପ୍ରତି ଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।