Search for:
  • Home/
  • ରାଜ୍ୟ/
  • ୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Spread the love

Loading

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ ଦୁର୍ବଳତାରେ ପୀଡ଼ିତ ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଏମ.ମୁର୍ମୁ ରୋଗୀଙ୍କ ପିତାମାତାଙ୍କୁ ତୁରନ୍ତ ବି’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବ ବୋଲି ସେ ଜଣାଇଥିଲେ ।

ଏହି ସମୟରେ ହସ୍ପିଟାଲ ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ରୋଗୀଙ୍କ ପିତାମାତା ଅସହାୟ ହୋଇପଡ଼ିଥିଲେ । ସମାନ ସମୟରେ ସେହି ହସ୍ପିଟାଲରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ହେଲପର୍ ବିଜୟ କିସନ୍ ଏହି ରୋଗୀଙ୍କ ସଂକ୍ରାନ୍ତରେ ସୂଚନା ପାଇଥିଲେ ଏବଂ ରୋଗୀଙ୍କ ପିତାମାତା ତାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ଏହି ୧୩ ବର୍ଷିୟ ବାଳକଙ୍କ ଜୀବନ ରକ୍ଷା କରିବା ପାଇଁ ବିଜୟ ତୁରନ୍ତ ଆଗେଇ ଆସିଥିଲେ ଏବଂ ଉକ୍ତ ରୋଗୀଙ୍କୁ ଯାଇ ରକ୍ତଦାନ କରିଥିଲେ । ତାଙ୍କର ଏହି ମହାନତା ଯୋଗୁଁ ଆଜି ଏକ ନିରୀହ ତଥା ବହୁମୂଲ୍ୟ ଜୀବନ ବଂଚିଯାଇପାରିଛି । ପ୍ରକାଶଥାଉ କି ଏହା ପୂର୍ବରୁ ଚଳିତବର୍ଷ ମେ ୨୨ ତାରିଖରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଅମ୍ରିତ ସିଂହ ମଧ୍ୟ ଏହି ସମାନ ରୋଗୀଙ୍କୁ ରକ୍ତଦାନ କରିଥିଲେ ।

Leave A Comment

All fields marked with an asterisk (*) are required