ବିଜେପି ହଟାଅ-ଦେଶ ବଞ୍ଚାଅ ଡାକରା ଦେଇ ରାଜଧାନୀରେ ଶ୍ରମିକ ଓ କୃଷକ ମାନଙ୍କର ତିନିଦିନିଆ ବିଶାଳ ସମାବେଶ ଓ ଗଣଧାରଣା
ବିଜେପି ହଟାଅ-ଦେଶ ବଞ୍ଚାଅ ଡାକରା ଦେଇ ରାଜଧାନୀରେ ଶ୍ରମିକ ଓ କୃଷକ ମାନଙ୍କର ତିନିଦିନିଆ ବିଶାଳ ସମାବେଶ ଓ ଗଣଧାରଣା ଆରମ୍ଭ :
ଭୁବନେଶ୍ୱର,ତା ୨୭/୧୧: ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଗତ ୨୪ ଅଗଷ୍ଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ସମୁହ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ମିଳିତ ମହା ସମ୍ମିଳନୀରେ ୨୧ ଦଫା ଦାବିରେ ନଭେମ୍ବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର ରାଜଭବନ ସମ୍ମୁଖରେ ୭୨ ଘଣ୍ଟିଆ ମହା ଧାରଣା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଆହ୍ୱାନ ଆଧାରରେ ଓଡିଶାରେ ଏହି ମହାଧାରଣା ମହାତ୍ମା ଗାନ୍ଧୀ ମାର୍ଗ( ଲୋୟର ପି. ଏମ୍. ଜି) ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି l
ଏହି ବିଶାଳ ମହାଧାରଣା ତଥା ସମାବେଶରେ ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା,କୃଷିଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍.ଏସ୍. ପି)କୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ,ବିଭିନ୍ନ ଶ୍ରମ ବିରୋଧୀ ନୀତି ପ୍ରତ୍ୟାହାର କରି ଜାତୀୟ ସର୍ବନିମ୍ନ ମାସିକ ମଜୁରୀ ୨୬୦୦୦ ଟଙ୍କା ଧାର୍ଯ୍ୟ କରିବା, ସଂଯୁକ୍ତ କୃଷକ ମୋର୍ଚ୍ଚାର ମୂଳ ଦାବି ବିଦ୍ୟୁତ (ସଂଶୋଧନ) ବିଲ୍- ୨୦୨୦କୁ ପ୍ରତ୍ୟାହାର କରିବା, ଜଙ୍ଗଲ ଜମି ଅଧିକାର ଆଇନ- ୨୦୦୬କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଓ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ- ୨୦୨୩ ଏବଂ ଜୈବ ବିବିଧତା ଆଇନ ଓ ନିୟମାବଳୀକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଚାରୋଟି ଶ୍ରମ କୋଡ଼ ପ୍ରତ୍ୟାହାର, ସ୍ଥାୟୀ ନିଯୁକ୍ତି ଏବଂ ସମାନତା ଏବଂ କାର୍ଯ୍ୟସ୍ଥଳରେ ନିରାପତ୍ତା ପ୍ରଦାନ କରିବା, ଶ୍ରମିକର ଠିକା କରଣ /ଅସ୍ଥାୟୀ କରଣ ବନ୍ଦ କରିବା, ଘରେ ରହି କାମ କରୁଥିବା ଶ୍ରମିକ, ହକର୍, ଜରି ଗୋଟାଳୀ,ଘରୋଇ ଶ୍ରମିକ , ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ସ୍କିମ ଶ୍ରମିକ, କୃଷି ଶ୍ରମିକ, ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ କାମ କରୁଥିବା ଶ୍ରମିକ, ଲୋଡିଙ୍ଗ୍ ଏବଂ ଅନଲୋଡିଙ୍ଗ୍ ଶ୍ରମିକ, ଲବଣ ଶିଳ୍ପ ଶ୍ରମିକ, ବିଡି ଶ୍ରମିକ, ଟଡି ଟ୍ରାପର୍ସ, ରିକ୍ସା ଚାଳକ, ଅଟୋ/ଟାକ୍ସି ଚାଳକ, ମତ୍ସ୍ଯଜିବୀ ଇତ୍ୟାଦି ସମସ୍ତ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରିବା ଏବଂ ପେନସନ ସମେତ ସାମାଜିକ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରାଯିବାକୁ ଏହି ସମାବେଶରେ ଦାବି କରାଯାଇଛି ।
କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ /ଫେଡେରେସନ ସମୁହ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆୟୋଜିତ ଏହି ଏହି ମହାଧାରଣାକୁ ସାଥୀ ରାମଚନ୍ଦ୍ର ଖୁଣ୍ଟିଆ,ଅଶୋକ ଦାସ,ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ଲକ୍ଷ୍ମୀପ୍ରିୟା ମହାନ୍ତି,ଭିକାରି ପ୍ରଧାନ,ବଂଶୀଧର ପରିଡା,ପୂର୍ଣଚନ୍ଦ୍ର ପାଢ଼ୀ ଓ ମାୟାଧର ନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ l
ସର୍ବ ଭାରତୀୟ ନେତା ହାନାନ ମୋଲ୍ହା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ସାଥୀ ଜୟନ୍ତ ଦାସ, ସୁରେଶ ପାଣିଗ୍ରାହୀ,ମହେନ୍ଦ୍ର ପରିଡା,
ସନ୍ତୋଷ ରଥ,ନରେନ୍ଦ୍ର ମହାନ୍ତି,
ସତ୍ୟ ପ୍ରକାଶ ନାୟକ ଓ ପୁଷ୍ପା ଦାସ ଙ୍କୁ ନେଇ ଗଠିତ ସଂଯୋଜନା କମିଟି ମହାଧାରଣାକୁ ସଂଯୋଜନା କରିଥିଲେ l ଏହି ସମାବେଶରେ ବକ୍ତା ଭାବେ ସାଥୀ ବିଜୟ ଜେନା,
ବିଷ୍ଣୁ ମହାନ୍ତି, ରାଧାକାନ୍ତ ସେଠି,
ବିରଞ୍ଚି ନାରାୟଣ ମହାପାତ୍ର,
ଜୟସେନ ମେହେର, ସର୍ବେଶ୍ୱର ମିଶ୍ର, ଆଶୀଷ କାନୁନଗୋ, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ,ରଘୁନାଥ ଦାସ, ଶ୍ରୀକାନ୍ତ ମହାନ୍ତି, ଅଶୋକ କୁମାର ପ୍ରଧାନ, ଶଙ୍କର, ଅଭୟ ଦାସ, ଅଜୟ ମହାନ୍ତି,କାହ୍ଣୁ ଚରଣ ମଲ୍ଲିକ,ବୃହସ୍ପତି ସାମଲ, ମନୋରଞ୍ଜନ ଦାସ, ମନୋଜ ରଥ,
ଦୁଷ୍ମନ୍ତ କୁମାର ନାୟକ, ଅକ୍ଷୟ ମହାନ୍ତି, ଶ୍ୟାମ ସୁନ୍ଦର ମହାପାତ୍ର,
ଜମେଶ୍ୱର ସାମନ୍ତରାୟ, ଲିଙ୍ଗରାଜ,
କିଷାନ ପଟ୍ଟନାୟକ, ଲିଙ୍ଗରାଜ ଆଜାଦ, ସଦାଶିବ ଦାସ,ହେନା
ବାସୁଦେବ ଦାସ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାବି ଗୁଡିକ ମଧ୍ୟରେ ଖାଦ୍ୟ ପଦାର୍ଥ, ଔଷଧ, କୃଷି ଯନ୍ତ୍ରପାତି ଏବଂ କୃଷି ଉତ୍ପାଦନ ସାମଗ୍ରୀ ଉପରୁ ଜି.ଏସ୍.ଟି ହଟାଇବା,ରନ୍ଧନ ଗ୍ୟାସ ଏବଂ ତୈଳଜାତ ସାମଗ୍ରୀ(ପେଟ୍ରୋଲିୟମ ପଦାର୍ଥ) ଉପରେ ଯଥେଷ୍ଟ ଭାବେ କେନ୍ଦ୍ରୀୟ ଏକ୍ସସାଇଜ ଟିକସ ହ୍ରାସ କରିବା ପାଇଁ ଦାବି କରାଯାଇଥିଲା । ସେହିପରି କୋଭିଡର ଦ୍ୱାହି ଦେଇ ରେଳଯାତ୍ରାରେ ପ୍ରତ୍ୟାହାର କରା ଯାଇଥିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ଖେଳାଳୀ ମାନଙ୍କୁ ରିହାତି ପ୍ରଦାନ କରିବା, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା, ସରକାରୀ ଗଣ ବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା,ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଏବଂ ପରିମଳ ର ଅଧିକାର କୁ ସୁନିଶ୍ଚିତ କରାଯିବା ପାଇଁ ଏହି ସମାବେଶରେ ଦାବି କରାଯାଇଛି l ଅନ୍ୟପକ୍ଷରେ ନୂତନ ଶିକ୍ଷା ନିତୀ-୨୦୨୦ ରଦ୍ଦ କରିବା,ସମସ୍ତଙ୍କ ପାଇଁ ବାସଗୃହକୁ ସୁନିଶ୍ଚିତ କରିବାକୁ ଆଜିର ସମାବେଶରେ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଦାବି କରିଛନ୍ତି l
ଅନୁରୂପ ଭାବେ ଚାଷ ଜମିକୁ ସୁରକ୍ଷିତ କରିବା, ଚାଷୀ ହାତରେ ଜମିର ଅଧିକାର ଦେବା, ମରୁଡିର ପ୍ରତିକାର ପାଇଁ ସମସ୍ତ ଚାଷ ଜମିରେ ଜଳସେଚନ ନିମନ୍ତେ ସ୍ୱତନ୍ତ୍ର ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ଯୋଜନା ପ୍ରଣୟନ କରିବା ପାଇଁ ଏହି ମହାଧାରଣାରେ ଦାବି କରାଯାଇଛି । ଭାରତୀୟ ଶ୍ରମ ସମ୍ମିଳନୀକୁ ନିୟମିତ ଆହୁତ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ସରକାରୀ ବିଭାଗ ଗୁଡିକର ଘରୋଇ କରଣ ବନ୍ଦ କରିବା, ଜାତୀୟ ମୁଦ୍ରା କରଣ ପାଇପ ଲାଇନ ଯୋଜନା ପ୍ରତ୍ୟାହାର କରିବା ପାଇଁ ଏହି ସମାବେଶ ଦାବି କରିଛି। ଖଣିଜ ପଦାର୍ଥ ଏବଂ ଧାତୁ ଉତ୍ତୋଳନ ସମ୍ପର୍କୀୟ ଥିବା ଆଇନ କୁ ସଂଶୋଧନ କରି ଏହି କ୍ଷେତ୍ର ରୁ ହେଉଥିବା ଲାଭ ର ୫୦% ସ୍ଥାନୀୟ ବାସିନ୍ଦା ବିଶେଷକରି ଆଦିବାସୀ ଏବଂ କୃଷକ ମାନଙ୍କର ଉନ୍ନତି ପାଇଁ ବିନିଯୋଗ କରିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି । ବିଦ୍ୟୁତ ସଂସ୍କାର ନାଁ ରେ ଆଗୁଆ ବିଲ ପୈଠ ନିମନ୍ତେ ସ୍ମାର୍ଟ ମିଟର ଲଗାଇବା ଯୋଜନା ବନ୍ଦ କରିବାକୁ ଆଜିର ସମାବେଶରେ ଦାବି କରାଯାଇଛି । ସେହିପରି କାମ କରିବାର ଅଧିକାରକୁ ସମ୍ବିଧାନ ର ମୌଳିକ ଅଧିକାର ପରିସରଭୁକ୍ତ କରିବା, ଖାଲି ଥିବା ସମସ୍ତ ପଦବୀ ଗୁଡିକୁ ପୂରଣ କରିବା , କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ନିଯୁକ୍ତି ପାଇଁ କର୍ମ ସଂସ୍ଥାନ ସୃଷ୍ଟି କରିବା ଏବଂ ସହରାଞ୍ଚଳ ନିଯୁକ୍ତି ଆଇନ ପ୍ରଣୟନ କରିବାକୁ ଆଜିର କୃଷକ ଶ୍ରମିକଙ୍କ ମିଳିତ ସମାବେଶ ତଥା ମହାଧାରଣା ଅବସରରେ ଦାବି କରାଯାଇଛି ।
ସଂଯୁକ୍ତ କୃଷକ ସଂଗଠନର ମୈାଳିକ ଦାବି ଚାଷୀ ମାନଙ୍କୁ ବିହନ, ସାର ଏବଂ ବିଦ୍ୟୁତ କ୍ଷେତ୍ରରେ ରିହାତି ପରିମାଣ ବୃଦ୍ଧି କରିବା ଏବଂ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା ତଥା ଯେକୌଣସି ମତେ କୃଷକ ଆତ୍ମହତ୍ୟାକୁ ପ୍ରତିହତ କରିବା ଆଦି ଦାବିକୁ ଏହି ସମାବେଶରେ ନେତୃବୃନ୍ଦ ଦୋହରାଇଛନ୍ତି । ସେହିପରି କାର୍ପୋରେଟ ସପକ୍ଷବାଦୀ ଫସଲ ବୀମା ଯୋଜନା ପ୍ରତ୍ୟାହାର କରିବା , ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଯଥା ଜଳବାୟୁ ପରିବର୍ତ୍ତନ, ମରୁଡି, ବନ୍ୟା, ବାତ୍ୟା ଜନିତ ଫସଲ କ୍ଷତି ସହିତ ପଶୁ ଆକ୍ରମଣ ଏବଂ ବିଭିନ୍ନ ରୋଗ ଆକ୍ରମଣ ଜନିତ ଯାବତୀୟ ଫସଲ କ୍ଷତିର ଉପଯୁକ୍ତ କ୍ଷତି ପୂରଣ ପାଇଁ ରାଷ୍ଟ୍ରାୟତ ବୀମା କମ୍ପାନୀ ଜରିଆରେ “ଏକ ସାମଗ୍ରିକ କୃଷକ ସପକ୍ଷବାଦୀ ଫସଲ ବୀମା ଯୋଜନା” ପ୍ରଣୟନ କରିବା ପାଇଁ ସେମାନେ ଦାବି କରିଛନ୍ତି l ଅନ୍ୟପକ୍ଷରେ ସମସ୍ତ କୃଷକ ମାନଙ୍କୁ ଋଣଯନ୍ତା ରୁ ମୁକ୍ତ କରିବା ପାଇଁ ଏକ ସାମଗ୍ରିକ ଋଣ ଛାଡ଼ ଯୋଜନା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଐତିହାସିକ କୃଷକ ଆନ୍ଦୋଳନକୁ ଦିଆ ଯାଇଥିବା କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ କରିବା, ସମସ୍ତ କୃଷକ ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସିଂଘୁ ସୀମା ରେ ଏକ ସ୍ମାରକୀ ନିର୍ମାଣ,ସମସ୍ତ ସହୀଦ ପରିବାର ଗୁଡିକୁ ଅବିଳମ୍ବେ କ୍ଷତିପୂରଣ ରାଶି ପ୍ରଦାନ, ସମସ୍ତ ମିଥ୍ୟା ମକଦ୍ଦମା ଗୁଡିକୁ ପ୍ରତ୍ୟାହାର ସହିତ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନେତୃବୃନ୍ଦ ଦାବି କରିଛନ୍ତି l ସେହିପରି ଶ୍ରମ କଲ୍ୟାଣ ପାଣ୍ଠି ବିନିଯୋଗ କରି ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଇ.ଏସ୍.ଆଇ ପ୍ରଦାନ କରିବା, ଏଥିରେ ସ୍ୱାସ୍ଥ୍ୟ ଏବଂ ପ୍ରସୂତି କାଳୀନ ସୁବିଧା କୁ ଅନ୍ତର୍ଭୁକ୍ତ କରିବା, ଇ. ଶ୍ରମ ପୋର୍ଟାଲରେ ପଞ୍ଜିକରଣ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଜୀବନ ବୀମା ଏବଂ ଭିନ୍ନକ୍ଷମ ବୀମା ପରିସରଭୁକ୍ତ କରିବାକୁ ଏହି ମହାଧାରଣା ରେ ଦାବି ଉପସ୍ଥାପନ କରାଯାଇଛି l
ଅନୁରୂପ ଭାବେ ଘରୋଇ ଶ୍ରମିକ ଏବଂ ଘରେ ରହି କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ବିଶ୍ୱ ଶ୍ରମ ସଂଗଠନର କନଭେନସନ୍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଯଥାର୍ଥ ଆଇନ ପ୍ରଣୟନ କରିବା,ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଏକ ସାମଗ୍ରିକ ନିତୀ ପ୍ରଣୟନ କରିବା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ( ନିଯୁକ୍ତି ନିୟମାବଳୀ) ଆଇନ-୧୯୭୯ କୁ ଶକ୍ତିଶାଳୀ କରିବା ଏବଂ ସମସ୍ତଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ଏହି ସମାବେଶ ଦାବି କରିଛି ।
ନୂତନ ପେନସନ ଯୋଜନା ରଦ୍ଦ କରି ପୁରୁଣା ପେନସନ ଯୋଜନାକୁ ପୁନ୍ନର୍ବାହଲ କରିବା ଏବଂ ସମସ୍ତଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା, ଅତି ଧନୀ ମାନଙ୍କ ଉପରେ ସଂପଦ ଟିକସ ବ୍ୟବସ୍ଥା ଲାଗୁ କରିବା, କାର୍ପୋରେଟ୍ ଟିକସ ଲାଗୁ କର, ସମ୍ପତ୍ତି କର ଏବଂ ଉତ୍ତରାଧିକାରୀ ଟିକସ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ସେମାନେ ଦାବି କରିଛନ୍ତି । ସର୍ବୋପରି ସମ୍ବିଧାନର ମୌଳିକ ମୂଲ୍ୟବୋଧ ଉପରେ ଆକ୍ରମଣ ବନ୍ଦ କରିବା, ସ୍ୱାଧୀନତା ର ଅଭିବ୍ୟକ୍ତି, ଭିନ୍ନମତ ପ୍ରକାଶ କରିବାର ଅଧିକାର, ଧର୍ମର ସ୍ୱାଧୀନତା, ସାଂସ୍କୃତିକ ବିବିଧତା ଏବଂ ଦେଶର ସଂଘୀୟ ଢାଞ୍ଚା ଇତ୍ୟାଦିକୁ ସୁରକ୍ଷିତ କରିବାକୁ ଆଜିର ମିଳିତ ସମାବେଶ ଓ ମହା ଧାରଣାରେ ଦାବି କରାଯାଇଛି ।
ମୋଦି ସରକାରର ଜନ ବିରୋଧୀ, ଶ୍ରମିକ ବିରୋଧୀ ଏବଂ କୃଷକ ବିରୋଧୀ ନିତୀ ବିରୋଧରେ ଦେଶଵ୍ୟାପୀ ଆହୁତ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଏବଂ ଆଗାମୀ ୨୦୨୪ ନିର୍ବାଚନରେ କର୍ପୋରେଟ- ସାଂପ୍ରଦାୟିକ ତଥା ସମ୍ବିଧାନର ହତ୍ୟାକାରୀ ବିଜେପିକୁ କ୍ଷମତାରୁ ହଟାଇବା ଡାକରାକୁ ସଫଳ କରିବା ପାଇଁ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନର ନେତୃବୃନ୍ଦ ଉଦ୍ଦାତ୍ତ ଆହ୍ୱାନ ଜଣାଇଛନ୍ତି l