ପ୍ରଶାସନିକ ମାଫିଆଙ୍କ କବଜାରେ ଓଡ଼ିଶା: ସତ୍ୟବ୍ରତ ପଣ୍ଡା
ମିଶନ ଶକ୍ତି ବୈଠକ ଅଡିଓ ପ୍ରସଙ୍ଗ
ପ୍ରଶାସନିକ ମାଫିଆଙ୍କ କବଜାରେ ଓଡ଼ିଶା: ସତ୍ୟବ୍ରତ ପଣ୍ଡା
ଯେତେବେଳେ ଗୋଟିଏ ଯୋଜନା ସରକାରୀ ଦଳର ରାଜନୈତିକ ଦଳର ନ୍ୟସ୍ତ ସ୍ୱାର୍ଥ ପାଇଁ ନିର୍ବାଚନୀ ଏଜେଣ୍ଡା ପାଲଟିଯାଏ, ସେତେବେଳେ ତାର ମୂଳ ଲକ୍ଷ୍ୟ ପଥଭ୍ରଷ୍ଟ ହୁଏ ଏବଂ ଏହା ଜନକଲ୍ୟାଣକାରୀ ହୋଇପାରେ ନାହିଁ
ଓଡିଶାରେ ‘ମିଶନ ଶକ୍ତି’ ମୁଳ ଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଛି
ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ବୈଠକରେ ବିଭାଗୀୟ ସଚିବ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି
‘ବୁଲ୍ସିଟ୍’, ‘ରବିସ’ ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ବିଭାଗୀୟ ସଚିବ ପ୍ରତ୍ୟେକ ଓଡିଆଙ୍କୁ ଅପମାନିତ କରିଛନ୍ତି
‘ମିଶନ ଶକ୍ତି’ର ବିଫଳତାକୁ ଏହି ଅଡିଓ ଜରିଆରେ ବିଭାଗୀୟ ସଚିବ ସ୍ୱୀକାର କରିଛନ୍ତି
ଭୁବନେଶ୍ୱର, ତା ୧୨/୦୭: ଯେତେବେଳେ ଗୋଟିଏ ଯୋଜନା ସରକାରୀ ଦଳର ରାଜନୈତିକ ଦଳର ନ୍ୟସ୍ତ ସ୍ୱାର୍ଥ ପାଇଁ ନିର୍ବାଚନୀ ଏଜେଣ୍ଡା ପାଲଟିଯାଏ, ସେତେବେଳେ ତାର ମୂଳ ଲକ୍ଷ୍ୟ ପଥଭ୍ରଷ୍ଟ ହୁଏ ଏବଂ ଏହା ଜନକଲ୍ୟାଣକାରୀ ହୋଇପାରେ ନାହିଁ । ଆଜି ମହିଳା ସଶକ୍ତୀକରଣ ଦିଗରେ ଓଡିଶାରେ ମିଶନ ଶକ୍ତିର ସ୍ଥିତି ସମାନ । ଏକଥା ମୁଖ୍ୟମନ୍ତ୍ରୀ ଓ ତାଙ୍କୁ ଘେରି ରହିଥିବା ପ୍ରଶାସନିକ ମାଫିଆମାନେ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତାରେ ରହିବା ପରେ ବିଜେଡି ସରକାର ମାଫିଆ ବା ତସ୍କରମାନଙ୍କ ଅଧିନରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜମି, ମଦ, ଚିଟଫଣ୍ଡ, ଶିକ୍ଷା, ସ୍ୱାସ୍ଥ୍ୟ, ଖଣି ସମେତ ହରେକ୍ କିସମର ମାଫିଆଙ୍କ କବଳରେ ଓଡ଼ିଶା । ବର୍ତମାନ ଏହି ତାଲିକାରେ ପ୍ରଶାସନିକ ମାଫିଆଙ୍କ ଫର୍ଦ୍ଦ ଯୋଡି ହୋଇଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମିଶନ ଶକ୍ତିକୁ ଶାସକ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି ଓ ଏହାର ନେତୃତ୍ୱ ନେଉଛନ୍ତି ବିଭାଗୀୟ ସଚିବ ଶ୍ରୀମତୀ ସୁଜାତା ଆର ପାଣ୍ଡିଆନ । ମିଶନ ଶକ୍ତିର ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ଶ୍ରୀମତୀ ପାଣ୍ଡିଆନ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି । ‘ବୁଲ୍ସିଟ୍’, ‘ରବିସ’ ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ବିଭାଗୀୟ ସଚିବ ପ୍ରତ୍ୟେକ ଓଡିଆଙ୍କୁ ଅପମାନିତ କରିଛନ୍ତି । ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀତା କରିବାରେ ବିଫଳ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ମଧ୍ୟ ଦିଆଯାଇଛି । ଲକ୍ଷ୍ମୀଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କକରିବେ, ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ଉକ୍ତ ବୈଠକରେ କହିଛନ୍ତି । ଗୋଟିଏ ପଟେ ଚାବୁକ୍ ଓ ଅନ୍ୟ ପଟେ ରସଗୋଲା ଧରି ମିଶନ ଶକ୍ତି ଜରିଆରେ ନିର୍ବାଚନ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
୨୦୦୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ନେତୃତ୍ୱରେ ମିଶନଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାଜ୍ୟ ସରକାର ମା’ଙ୍କୁ ସମ୍ମାନ ଦେବା କଥା କହିବା କେବଳ ଲୋକଦେଖାଣିଆ । ନିଜ ଦଳର ପ୍ରଚାର ପ୍ରଚାର ପାଇଁ ରାଜ୍ୟ ସରକାର ମିଶନଶକ୍ତିକୁ ବ୍ୟବହାର କରୁଛନ୍ତି । ମିଶନଶକ୍ତି ଜରିଆରେ ଅନ୍ୟ ରାଜ୍ୟମାନଙ୍କରେ ୪୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବାବେଳେ ଓଡ଼ିଶାରେ ମାତ୍ର ୧୧ ହଜାର କୋଟି ଟଙ୍କାର ଆର୍ôଥକ କାରବାର ହେଉଛି । ରାଜ୍ୟର ୩୧୪ ବ୍ଲକରୁ ୨୮୯ଟିରେ ମିଶନଶକ୍ତି ମହିଳା ବାସ୍ତବ ରୂପରେ ସାମିଲ ହୋଇନାହାନ୍ତି । ବ୍ଲକସ୍ତରରେ ମିଶନଶକ୍ତି ମା’ମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପଞ୍ଜିକରଣ ଦିଗରେ ସାରା ଓଡ଼ିଶାରେ ମାତ୍ର ୭୦୦ ଟି ଉଦ୍ୟେଗୀ ପଞ୍ଜିକରଣ ହୋଇଛି । ମହିଳା ସଶକ୍ତୀକରଣ ପାଇଁ ଆରମ୍ଭ ହୋଇଥିବା ମିଶନ ଶକ୍ତିକୁ ଶାସକ ବିଜେଡି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମିଶନ ଶକ୍ତିର ବିଫଳତାକୁ ଏହି ଅଡିଓ ଜରିଆରେ ବିଭାଗୀୟ ସଚିବ ସ୍ୱୀକାର କରିଛନ୍ତି । ବାସ୍ତବରେ ରାଜ୍ୟରେ ମିଶନ ଶକ୍ତି ସଂପୂର୍ଣ୍ଣ ଫେଲ ମାରିଛି ଏବଂ ଲକ୍ଷଚ୍ୟୁତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡିର ଭୟ ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି । ଗୋଟିଏ ପଟେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଦଳୀୟ ବୈଠକ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘରେ ବସି ରହି ଭର୍ଚୁଆଲ ମୋଡରେ ଯୋଗ ଦେଇ ବାର୍ତା ରଖୁଛନ୍ତି । ରାଜ୍ୟ ସରକାର ଯଦି ବାସ୍ତବରେ ଅନେକ ଲୋକାଭୀମୁଖି ଯୋଜନା କରୁଛନ୍ତି ଏବଂ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ତାହେଲେ ଗତ କାଲିର ସମୀକ୍ଷାରେ ୧୮ ହଜାର ଅଭିଯୋଗ ଆସିଲା କେମିତି ? ସେହିପରି ସଚିବମାନଙ୍କୁ ବିଭିନ୍ନ ବ୍ଲକ ଓ ଜିଲ୍ଲା ଗସ୍ତ କରି ରାତ୍ରୀଯାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ସଚିବ କେଉଁ ବ୍ଲକରେ କେତେ ରାତି କଟାଇଛନ୍ତି ? କାହା ପାଇଁ ବିମାନର ବନ୍ଦୋବସ୍ତ କରାଯାଇଥିଲା ? ଅପନ୍ତରା ବ୍ଲକକୁ କିଏ ପାଦରେ ଚାଲି ଚାଲି ଯାଇଛନ୍ତି ? କେତେ ଅଭିଯୋଗର ଶୁଣାଣୀ ହୋଇଛି ଏବଂ କେତେ ସମସ୍ୟାର ସମାଧାନ ହୋଇଛି ? ସେ ସମସ୍ତ ବିବରଣୀ ରାଜ୍ୟ ସରକାର ସାର୍ବଜନୀନ କାହିଁକି କରିନାହାନ୍ତି ?ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ରହିବା ପରେ ସୁଦ୍ଧା ଏଭଳି ଅଭିଯୋଗ ଆସିବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଅନ୍ୟ ପଟେ ଭୁବନେଶ୍ୱରରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ରଙ୍ଗମହଲରେ ପରିଣତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।