ବିଜେପି ନେତାମାନଙ୍କୁ ୫-ଟି ଭୂତ ଘାରିଛି:ଶ୍ରୀ ପଣ୍ଡା
ଭୁବନେଶ୍ୱର : ୨୨.୦୭ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଆହତ ହେବା ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ୫-ଟି ସ୍କୁଲରେ ନିମ୍ନ ମାନର କାମ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଓଡିଶା ବିଜେପି ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ କୌଣସି ୫-ଟି ରୂପାନ୍ତରଣ କାର୍ଯ୍ୟରେ ସ୍କୁଲର ଅଫିସ ଗୃହର ନିର୍ମାଣ ବା ମରାମତି ହୁଏ ନାହିଁ। ଯାହା ଏଠାରେ ବି ହୋଇନାହିଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି।ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଆମ ରାଜ୍ୟର ପିଲାମାନେ ଉନ୍ନତ ମାନର ସ୍କୁଲରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣରେ ଭଲ ଶିକ୍ଷା ପାଆନ୍ତୁ, ଓଡ଼ିଶା ବିଜେପି ତାହା ଚାହୁଁନାହିଁ। ତେଣୁ ବିଜେପି ନେତାମାନଙ୍କୁ ୫-ଟି ଭୂତ ଘାରିଛି। ସେମାନେ ୫-ଟି ରୂପାନ୍ତରଣକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ଓଡ଼ିଶାବାସୀ ଏବଂ ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। କେବଳ ମିଛର ସାହାରା ନେଇ କେବଳ ରାଜନୀତି କରିବାକୁ ଓଡ଼ିଶା ବିଜେପି ନେତାମାନଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗତକାଲି ଅସ୍ତରଙ୍ଗର ସେହି ସ୍କୁଲକୁ ଯାଇଥିଲା ବୋଲି ଉଲ୍ଲେଖ କରି ଶ୍ରୀ ପଣ୍ଡା କହିଛନ୍ତି ଯେ କିଛିଦିନ ପୂର୍ବରୁ ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ଯେତେବେଳେ ପ୍ରାୟ ୩୦୦ ଲୋକଙ୍କ ଜୀବନ ଚାଲିଗଲା ଏବଂ ଶହଶହ ଲୋକ ଆହତ ହେଲେ, ସେତେବେଳେ ଦୁର୍ଘଟଣାସ୍ଥଳକୁ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କାହିଁକି ଯାଇ ନଥିଲା? ଏହା ପରଠୁ ଆଜି ଯାଏ ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟି ଚାଲିଛି। କେତେବେଳେ ଟ୍ରେନରେ ନିଆଁ ଲାଗିଯାଉଛି ତ କେତେବେଳେ ଡବା ଛାଡ଼ି ଇଞ୍ଜିନ ପଳାଉଛି। ନିକଟରେ ପୁଣିଥରେ ବାଲେଶ୍ବର ନୀଳଗିରି ନିକଟରେ ଏକ ମେମୁ ଟ୍ରେନ୍ ମ୍ୟାନ୍ ଲାଇନ୍ ଛାଡ଼ି ଲୁପ୍ ଲାଇନକୁ ଚାଲି ଯାଇଥିଲା। ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବାହାନଗା ଭଳି ବଡ଼ ଦୁର୍ଘଟଣା ଟଳିଗଲା। କାହିଁ ଏଭଳି ଦୁର୍ଘଟଣାବେଳେ ତ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କେଉଁଠି ତଥ୍ୟ ସଂଗ୍ରହ କରିବାକୁ ଯାଉ ନାହିଁ।