ଡିଆଇଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ: ଡ.ଲେଖାଶ୍ରୀ
ପୀଡିତା ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ରାଷ୍ଟ୍ରୀୟ ମାନବାଧିକାର କମିଶନ ଓ ଜାତୀୟ ମହିଳା କମିଶନଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲା ବିଜେପିର ଏକ ପ୍ରତିନିଧି ଦଳ
ଡିଆଇଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ: ଡ.ଲେଖାଶ୍ରୀ
ପୋଲିସର ବରିଷ୍ଠ ଅଧିକାରୀମାନେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଜାରୀ କରିବାକୁ ନିବେଦନ
ବହୁ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉଭୟ କମିଶନ ଦେଲେ ପ୍ରତିଶୃତି
ଭୁବନେଶ୍ୱର, ତା.୨୫/୦୮: ଅନୁଗୁଳଠାରେ ଅବସ୍ଥାପିତ ରାଜ୍ୟ ପୋଲିସ ଡିଆଇଜି ଶ୍ରୀ ବ୍ରିଜେଶ ରାୟ ଏବଂ ତାଙ୍କ ପତ୍ନୀ ନିଜ ସରକାରୀ ବାସଭବନରେ ଜଣେ କାର୍ଯ୍ୟରତ ହୋମଗାର୍ଡ ଶ୍ରୀମତୀ ସୈାରିନ୍ଦ୍ରି ସାହୁଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ଓ ନିର୍ଯ୍ୟାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ । ଡିଆଇଜି ଦଂପତିଙ୍କ ନିର୍ଯ୍ୟାତନା ସହିନପାରି ଯାବତୀୟ ବ୍ୟକ୍ତିଗତ କାର୍ଯ୍ୟ କରୁଥିବା ହୋମଗାର୍ଡ ଶ୍ରୀମତୀ ସାହୁ ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ପ୍ରାଣ ବଂଚିଯାଇଛି ସତ, କିନ୍ତୁ ନିଜର ଦୁଇଟି ଗୋଡ ସବୁଦିନ ପାଇଁ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ନଦେଇ ଡିଆଇଜିଙ୍କୁ ବଦଳି କରି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସରକାର, ପୋଲିସ, ପ୍ରଶାସନ ମିଳିମିଶି ଡିଆଇଜି ଦଂପତିଙ୍କୁ ଖସାଇଦେବା ପାଇଁ ଲାଗିପଡିଛନ୍ତି । ଓଡିଶାବାସୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ଡିଆଇଜି ର୍ୟାଂକର ପୋଲିସ ଅଧିକାରୀ ଯଦି ଆଇନବିରୋଧୀ କାର୍ଯ୍ୟ କରିବେ, ତାହେଲେ ସାଧାରଣ ଜନତା କାହାକୁ ବିଶ୍ୱାସ କରିବେ ! ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗତ କାଲି ଦିଲ୍ଲୀଠାରେ ରାଷ୍ଟ୍ରୀୟ ମାନବାଧିକାରୀ କମିଶନ ଓ ଜାତୀୟ ମହିଳା କମିଶନଙ୍କୁ ସାକ୍ଷାତ କରି ଏଭଳି ଅଭାବନୀୟ ଓ ଅସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୀଡିତା ମହିଳା ସୌରିନ୍ଦ୍ରୀ ସାହୁଙ୍କୁ ନ୍ୟାୟ ଦେବା ଦାବୀରେ ଦିଲ୍ଲୀରେ ‘ରାଷ୍ଟ୍ରୀୟ ମାନବାଧିକାର କମିଶନ’ ଓ ‘ଜାତୀୟ ମହିଳା କମିଶନ’ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଘଟଣା ଘଟିବାର ୧୭ ଦିନ ପରେ ତଥ୍ୟ ସାମ୍ନାକୁ ଆସିବା ପରେ ‘ଆଇ ଓ୍ôାସ୍’ କରିବାକୁ ଯାଇ ରାଜ୍ୟ ସରକାର ଡିଆଇଜିଙ୍କୁ ବଦଳି କରିଦେଇଛନ୍ତି ସତ, କିନ୍ତୁ ଏହା ପ୍ରକୃତ ଦଣ୍ଡ ନୁହେଁ । ଡିଆଇଜି ଦଂପତିଙ୍କ ବିରୁଦ୍ଧରେ ଆଇନଗତ ଏବଂ ଅପରାଧିକ ମାମଲା ଅନୁଯାୟୀ ଦଣ୍ଡବିଧାନ କରାଯାଉ । ରାଜ୍ୟ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଡିଆଇଜି ଶ୍ରୀ ରାୟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ ବୋଲି ଉଭୟ କମିଶନଙ୍କ ନିକଟରେ ବିଜେପି ପ୍ରତିନିଧି ଦଳ ଦାବୀ କରିଛନ୍ତି ।
ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସାହୁ ୨୨ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ନିଜ ୨ ଅବିବାହିତ ଝିଅଙ୍କ ସହ ଅତ୍ୟନ୍ତ କଷ୍ଟରେ ବାସ କରୁଛନ୍ତି । ଆଜିକୁ ପ୍ରାୟ ୧୮ଦିନ ହୋଇଗଲା କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ୍ରେ ହୋମଗାର୍ଡ ଶ୍ରୀମତୀ ସାହୁ ଚିକିତ୍ସା ହେଉଛନ୍ତି । ତେଣୁ ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ଶ୍ରୀମତୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ ସରକାରୀ ଚାକିରୀ ଦିଆଯାଉ ବୋଲି ରାଷ୍ଟ୍ରୀୟ ମାନବାଧିକାରୀ କମିଶନ ଓ ଜାତୀୟ ମହିଳା କମିଶନ ନିକଟରେ ଦାବୀ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି ।
ଅନ୍ୟ ପଟେ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଉଭୟ କମିଶନ ନିର୍ଦ୍ଦେଶ ଜାରୀ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ବହୁ ଶୀଘ୍ର କମିଶନଙ୍କ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉଭୟ କମିଶନ ବିଜେପି ପ୍ରତିନିଧି ଦଳକୁ କହିଥିବାର ଡ.ଲେଖାଶ୍ରୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।