ହାଇକୋର୍ଟଙ୍କ ନୋଟିସ୍, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି
ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ
ହାଇକୋର୍ଟଙ୍କ ନୋଟିସ୍, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର
: ସମୀର ମହାନ୍ତି
ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ
ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାରେ ଶୁଣାଣୀ କରି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ଜାରୀ କରିଲେ ନୋଟିସ
ଅଗଷ୍ଟ ୭ ତାରିଖରେ ପରବର୍ତୀ ଶୁଣାଣି ପାଇଁଧାର୍ଯ୍ୟ କରିଛନ୍ତି ମାନ୍ୟବର ହାଇକୋର୍ଟ
ଭୁବନେଶ୍ୱର, ତା.୦୫/୦୭: ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହଣ ମହଣ ସୁନା ଅଳଙ୍କାର ରତ୍ନଭଣ୍ଡାରରେ ଗଛିତ ରହିଛି । ରତ୍ନ ଭଣ୍ଡାର ଖୋଲି ଏହା ଭିତରେ ଥିବା ସମସ୍ତ ଅଳଙ୍କାରର ବାସ୍ତବ ସ୍ଥିତି ସଂପର୍କରେ ଜଗନ୍ନାଥପ୍ରେମୀଙ୍କୁ ଅବଗତ କରାଇବାର ରାଜ୍ୟ ସରକାରଙ୍କ ହେଉଛି ଦାୟୀତ୍ୱ । ସମସ୍ତ ଜଗନ୍ନାଥପ୍ରେମୀ ଚାହିଁ ବସିଛନ୍ତି ଯେ, ସରକାର କେବେ ରତ୍ନଭଣ୍ଡାର ଖୋଲିବେ । ମାତ୍ର ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି । ରାଜ୍ୟ ସରକାର ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥୀତ କରିଛି । ରାଜ୍ୟ ସରକାର ରତ୍ନଭଣ୍ଡାର ନଖୋଲିବାକୁ ନେଇ ଜଣେ ଭକ୍ତ ଭାବେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରୀ କରିଛନ୍ତି । ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ନୋଟିସ ଜାରୀ କରି ଆସନ୍ତା ଅଗଷ୍ଟ ୭ ତାରିଖରେ ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।ପ୍ରଥମେ ଚାବି ହଜିବା, ପରେ ଡୁପ୍ଲିକେଟ୍ ଚାବି ମିଳିବା, ଡୁପ୍ଲିକେଟ ଚାବି ମିଳିବା ସତ୍ୱେ ରତ୍ନଭଣ୍ଡାର ଖୋଲାଯାଇନପାରିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବିବ୍ରତ କରିଥିଲା । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିଲେ ନାହିଁ । ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ସୁରକ୍ଷାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଚିନ୍ତା, ଭାବାବେଗ ଏବଂ ଅସନ୍ତୋଷକୁ ମାନ୍ୟବର ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି । ସେହିପରି ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଏଏସଆଇ ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର ନୀରବ ରହିବା ବଡ ଚିନ୍ତାର କାରଣ ସାଜିଛି । ରାଜ୍ୟ ସରକାରଙ୍କ ଜିଦଖୋର ମନୋଭାବ କାରଣରୁ ଆଜି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ବିରାଟ ଆଘାତ ଲାଗିଛି । ଆମେ ଦାୟର କରିଥିବା ଜନସ୍ୱାର୍ଥ୍ୟ ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିବାରୁ ମାନ୍ୟବର ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଉଛୁ । ବର୍ତମାନ ଆଇନଗତ ଲଢେଇ ପାଇଁ ବାଟ ଫିଟିଲା ଏବଂ ରାଜ୍ୟ ସରକାର ଜବାବ୍ ରଖିବା ପାଇଁ ବାଧ୍ୟ ହେବେ । ଏହା ପରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲାଯିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି ।