ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ଓଡିଶାବାସୀ : ମନମୋହନ ସାମଲ
ଖୋର୍ଦ୍ଧାର ଟାଙ୍ଗୀରେ ପଦଯାତ୍ରା ଓ ଜନସଭାରେ ଯୋଗ ଦେଲେ ରାଜ୍ୟ ସଭାପତି
“ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ଓଡିଶାବାସୀ
: ମନମୋହନ ସାମଲ
ବିଜେଡିର ନେତାମାନେ ସଚିବ ଓ ଅଫିସରଙ୍କ ଚାଟୁକାରିତା କରୁଛନ୍ତି, ତାଙ୍କ ସଭା ପାଇଁ ଚେୟାର ଓ ଟେଂଟ କଥା ବୁଝୁଛନ୍ତି
ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ହାତ ଖୋଲି ଟଙ୍କା ଦେଉଛନ୍ତି, କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ବିଜେଡି ସରକାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି
ନିର୍ବାଚନ ଆସିଲେ ‘ମିଛ ଓ ପ୍ରତାରଣ’ କରି ବିଜେଡି ଭୋଟ ନେଇଥାଏ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଏ
ଭୁବନେଶ୍ୱର / ଖୋର୍ଦ୍ଧା, ତା.୨୮/୦୭: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ବିକାଶ ମୂଳକ ଯୋଜନାକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଛନ୍ତି । ଗରୀବକଲ୍ୟାଣ ହେଉଛି ମୋଦି ସରକାରଙ୍କ ପ୍ରାଥମିକତା । ବାସଗୃହ, ପାନୀୟ ଜଳ, ବିଜୁଳି ଭଳି ମୈାଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଏଥି ସହ ଭିତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ମୋଦି ସରକାର । ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ହାତ ଖୋଲି ଟଙ୍କା ଦେଉଛନ୍ତି, କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ବିଜେଡି ସରକାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି । ଦୀର୍ଘ ୨୩ ବର୍ଷ ଧରି ବିଜେଡି ସରକାରରେ କେବଳ ଦଳୀୟ କର୍ମୀ ଓ ଠିକାଦାରଙ୍କୁ ପୋଷି ଅଜସ୍ର ଟଙ୍କା ହଡପ୍ କରାଯାଇଛି । ସରଳ ଓ ନିରୀହ ଓଡିଶାବାସୀ ରାଜ୍ୟ ସରକାରଙ୍କ ଠକାମିର ଶିକାର ହୋଇ ହନ୍ତସନ୍ତ ହେଉଛନ୍ତି । ଦୁର୍ନୀତିଗସ୍ତ ବିଜେଡି ସରକାରକୁ ଓଡିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ । ବିଜେଡିକୁ ଶାସନ କ୍ଷମତାରେ ଆଣିଥିବା ଓଡିଶାବାସୀ ଏବେ “ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।.
କେନ୍ଦ୍ରରେ ମୋଦି ସରକାରର ୯ବର୍ଷ ପୂର୍ତି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ସୁବାଷ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଓ କାର୍ଯ୍ୟକର୍ତାଙ୍କ ଗହଣରେ ପଦଯାତ୍ରାରେ ଯାଇ ସଭାସ୍ଥଳରେ ପହଂଚିବା ପରେ ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ବିପୁଳ ସ୍ୱାଗତ ଜଣାଇଥିଲେ । ଟାଙ୍ଗୀ ଗସ୍ତ ସମୟରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଗଙ୍ଗପଡା, ଗଡ ଖୋର୍ଦ୍ଧା ଓ ଚାନ୍ଦପୁରଠାରେ ମଧ୍ୟ କାର୍ଯ୍ୟକର୍ତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗଡଖୋର୍ଦ୍ଧାସ୍ଥିତ ପଂଚପାଇକ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।
ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡିଶା । ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ଓ ଜଳ ସମ୍ପଦ ରହିଛି । ଓଡ଼ିଶାରେ ସବୁ କିଛି ଥିବା ସତ୍ୱେ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି । “ଓଡିଶା ଧନୀ ଓ ଓଡ଼ିଶାର ଲୋକ ଗରୀବ” କହି ଆମ ମନକୁ ବୁଝାଯାଉଛି । ପର୍ଯ୍ୟଟନର ବିକାଶ ହେଲେ ଓଡ଼ିଶା ୧ନଂ ରାଜ୍ୟ ହେବ । କୃଷିପ୍ରଧାନ ଓଡିଶା ରାଜ୍ୟର ଚାଷୀମାନେ ଆଜି ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ୨୩ ବର୍ଷର ଶାସନରେ ବିଜେଡି ସରକାର ଜଳସେଚନ ପାଇଁ କୈାଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜନପ୍ରତିନିଧି ଭାବେ ବିଜେଡିର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜ ଦାୟୀତ୍ୱକୁ ଭୁଲି ଯାଇ ସଚିବ, ଅଫିସରଙ୍କ ଚାଟୁକାରିତା କରୁଛନ୍ତି ଏବଂ ତାଙ୍କ ମିଟିଂ ଓ ସଭା ପାଇଁ ଚେୟାର ଓ ଟେଂଟ କଥା ବୁଝୁଛନ୍ତି । ବିଜେଡିର ସମସ୍ତ ନେତା, ମନ୍ତ୍ରୀ ଓ ବିଧାୟକ ବର୍ତମାନ ଗୃହବନ୍ଦୀ ବୋଲି ଶ୍ରୀ ସାମଲ କହିଛନ୍ତି ।
ନିର୍ବାଚନ ଆସିଲେ ‘ମିଛ ଓ ପ୍ରତାରଣ’ କରି ବିଜେଡି ଭୋଟ ନେଇଥାଏ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଏ । ଦୀର୍ଘ ୨୩ ବର୍ଷ ଧରି ଓଡିଶାବାସୀଙ୍କୁ ନିରନ୍ତର ଭାବେ ପ୍ରତାରଣା କରିଆସୁଥିବା ବିଜେଡି ଶାସନରେ ଓଡିଶାର ବିକାଶ ଅସମ୍ଭବ । ଓଡିଶା ପାଇଁ ବିଜେପିର ଡବଲ୍ ଇଂଜିନ ସରକାର ଏକାନ୍ତ ଆବଶ୍ୟକ । ଗତ ୨୩ ବର୍ଷ ଧର ଅଟକି ପଡିଥିବା ଓଡିଶାର ବିକାଶ ବିଜେପି ସରକାରର ମାତ୍ର ୫ ବର୍ଷରେ ପୁରଣ ହେବ । ବ୍ୟାପକ ଜଳସେଚନର ବ୍ୟବସ୍ଥା କରାଯିବା ସହିତ ରାଜ୍ୟରେ କୃଷି ଭିତିକ ଶିଳ୍ପ ସ୍ଥାପନ କରାଯିବ । ଚାଷୀର ଆୟକୁ ଦ୍ୱିଗୁଣିତ କରାଯିବ । ଟାଙ୍ଗୀ ଅଂଚଳ ସମେତ ଓଡିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବା ବିଜେପିର ପ୍ରାଥମିକତା ବୋଲି ଶ୍ରୀ ସାମଲ କହିଛନ୍ତି ।