ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ : ବିରଂଚି ନାରାୟଣ ତ୍ରିପାଠୀ
ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ
: ବିରଂଚି ନାରାୟଣ ତ୍ରିପାଠୀ
ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇବାରୁ ନିବୃତ ରୁହନ୍ତୁ
୧୦,୬୬୬ଜଣ ପିଏମ୍ କିଷାନ ଅର୍ଥ ପାଇବାରୁ ବଂଚିତ
ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରନ୍ତୁ ଏବଂ କେନ୍ଦ୍ର ସରକାରଙ୍କୁ ତାଲିକା ପଠାନ୍ତୁ ରାଜ୍ୟ ସରକାର
ରାଜ୍ୟ ସରକାର କାଳିଆ ଯୋଜନାରେ ୧୦ହଜାର ଦବାକୁ କହି ଏବେ ୪ହଜାର କାହିଁକି ଦେଉଛନ୍ତି
ହିତାଧିକାରୀ ସଂଖ୍ୟା ସ୍ଥିର ନକରି କେଉଁ ଆଧାରରେ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର, ତା.୨୮/୦୭: ଗତକାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି”ର ୧୪ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ୮କୋଟି ୫୦ଲକ୍ଷ ଚାଷୀ ତଥା ଓଡ଼ିଶାର ୩୦ଲକ୍ଷ ୬ହଜାର ୭୯୨ଚାଷୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ମୋଦି ସରକାରଙ୍କ ପକ୍ଷରୁ ଗତ ୨୦୧୮ ମସିହାରୁ ପିଏମ୍ କିଷାନ ସମ୍ମାନନିଧି ଘୋଷଣା କରାଯାଇଥିଲା ସେବେଠାରୁ ନିରନ୍ତର ଅବଧିରେ ୬ହଜାର ଟଙ୍କା ଲେଖାଏଁ ବାର୍ଷିକ କୃଷକଙ୍କ ପାଖରେ ପହଁଚୁଛି । ୨୦୧୮ ଡିସେମ୍ବର ୨୫ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀଠାରେ କାଳିଆ ଯୋଜନା ଘୋଷଣା କରିବା ସହ କହିଥିଲେ ଯେ, ମୁଁ ଯେତେଦିନ ପର୍ଯ୍ୟନ୍ତ ଅଛି କୌଣସି ଶକ୍ତି ନାହିଁ ଚାଷୀମାନଙ୍କୁ “କାଳିଆ” ଯୋଜନାରେ ୧୦ହଜାର ଟଙ୍କା ଦେବାକୁ ଅଟକାଇ ଦେବ । ଏବେକାର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ, ୨୦୧୯ ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ ବୋଲି ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ରାଜ୍ୟ ସରକାର ହିତାଧିକାରୀ ଚୟନ କରିବା କଥା କିନ୍ତୁ ତାହା ଠିକ୍ ଢଙ୍ଗରେ କଲେ ନାହିଁ । ରାଜ୍ୟ ସରକାର କେତେବେଳେ ହିତାଧିକାରୀ ସଂଖ୍ୟା ବଢ଼ାଉଛନ୍ତି ତ ପୁଣି କମାଉଛନ୍ତି, ପୁଣି ଟଙ୍କା ଫେରାଇବାକୁ ପ୍ରଚାର କରୁଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ୧୦ହଜାର ଟଙ୍କା ଦେବେ କହି ତାହା ଏବେ ୪ହଜାରରେ ପଂହଚିଛନ୍ତି । ଦୁଇ ଦୁଇ କିସ୍ତିରେ ଟଙ୍କା ଦେଉଛନ୍ତି ପୁଣି ତାହାର ଠିକ୍ ନାହିଁ କି ଠିକଣା ନାହିଁ । ରାଜ୍ୟ ସରକାର ଏଭଳି କାର୍ଯ୍ୟ ଚାଷୀମାରଣ ନୀତିକୁ ବୁଝାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ପିଏମ କିଷାନର ହିତାଧିକାରୀ ଚୟନ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର କିନ୍ତୁ ବର୍ତମାନ ସୁଦ୍ଧା ଓଡ଼ିଶାର ୧୦,୬୬୬ଜଣ କେୱାଇସି ଅପଡେଟ ନକରିଥିବା କାରଣରୁ ପିଏମ୍ କିଷାନ ଅର୍ଥ ପାଇବାରୁ ବଂଚିତ ହୋଇଛନ୍ତି । ଗୋଟିଏ ଗୋଟିଏ ଆକାଉଂଟର ଏକାଧିକ ବ୍ୟକ୍ତିଙ୍କ ନାମ ଥିବାରୁ କେନ୍ଦ୍ର ତାକୁ ସଂଶୋଧନ କରିବା ପାଇଁ ରାଜ୍ୟକୁ ଫେରାଇ ଦେଇଥିଲା । ରାଜ୍ୟ ସରକାର ତାଙ୍କର ନୀତିକୁ ସୁଧାରନ୍ତୁ ଓ ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଅନ୍ତୁ ଓ କାଳିଆ ଯୋଜନାରେ ଦେଉଥିବା ୪ହଜାର ଟଙ୍କାକୁ ୧୦ହଜାର କରାନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୩ବର୍ଷର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ସଂଖ୍ୟା ଆକଳନ କରିନାହାନ୍ତି । ଭାଗଚାଷୀ ଓ ଭୂମିହୀନଙ୍କ ତାଲିକା ବି ନାହିଁ । ହିତାଧିକାରୀ ସଂଖ୍ୟା ସ୍ଥିର ନକରି କେଉଁ ଆଧାରରେ ଯୋଜନା ପ୍ରସ୍ତୁତ ହେଉଛି ସବୁଠୁ ଆଶ୍ଚର୍ଯ୍ୟର କଥା ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।