ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ ସାମଲ
ପରାଜୟ ଭୟରେ ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ ସାମଲ
ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି
ହିଂସାକାଣ୍ଡ ଭିଆଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ
ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯାଉ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
ଭୁବନେଶ୍ୱର, ତା.୩୦/୦୫: ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଚାନ୍ଦବାଲି ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା କାରଣରୁ ରାଜ୍ୟରୁ ବିଭିନ୍ନ ନେତା ନିର୍ବାଚନ ପ୍ରଚାରରେ ଯାଇଥିଲେ । ପ୍ରକାଶଥାଉ କି, ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଂଚଳର କାଞ୍ଜିଆମାଳ ପଂଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ପ୍ରଚାର ପତ୍ର ଧରି ଗୃହ ସମ୍ପର୍କ କରୁଥିବାବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆଜି ସେହି ଅଂଚଳରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉତରାଧିକାରୀ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଗତ ୪ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ ଓ ବିଜେପିର କାର୍ଯ୍ୟକର୍ତାଙ୍କୁ ସେହି ଚାନ୍ଦବାଲିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ପରାଜୟର ଭୟରେ ରାଜ୍ୟରୁ ଯାଇଥିବା ବିଜେଡିର ବଡପଣ୍ଡାମାନେ ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି ଓ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯିବା ସହିତ ସେହି ଅଂଚଳରେ ବିଜେଡିର ବାହାର ଲୋକମାନଙ୍କୁ ଖୋଜି ଖୋଜି ବାହାର କରାଯାଇ ବିତାଡିତ କରାଯାଉ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବି କରିଛନ୍ତି ।