ଚର୍ଚ୍ଚାରେ ବାଇଁଆଙ୍କ ବନ୍ଧୁ ମିଳନ।
ଚର୍ଚ୍ଚାରେ ବାଇଁଆଙ୍କ ବନ୍ଧୁ ମିଳନ
ଭୁବନେଶ୍ୱର: ଜଣାଶୁଣା ଯୁବ ବିଜେଡି ନେତା, ରାଜ୍ୟ ବିଜେଡି ସମ୍ପାଦକ ତଥା ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ଆସନ୍ତାକାଲି ରବିବାର ଭୁବନେଶ୍ୱରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । କଳ୍ପନା ଛକ ନିକଟସ୍ଥ ବିର୍ଲା ଗେଷ୍ଟ ହାଉସ୍ ଠାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ୧୦ ହଜାରରୁ ଅଧିକ କର୍ମୀ ଯୋଗଦେବେ । ବନ୍ଧୁ ମିଳନ ଆଳରେ ବାଇଁଆଙ୍କର ଏହା ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଥିବାରୁ ମଧ୍ୟ ନିର୍ବାଚନମଣ୍ଡଳୀ ରାଜନୀତି ସରଗରମ ହୋଇଛି ।
ଭୁବନେଶ୍ୱରର ବିଜେଡି ରାଜନୀତିରେ ଅମରେଶ ଓରଫ୍ ବାଇଁଆ ଜେନା ଅତି ପରିଚିତ ନାମ । ଦୃଢ଼ ସଂଗଠକ ଭାବେ ତାଙ୍କର ଖ୍ୟାତି ରହିଛି । ଏଥରକୁ ମିଶାଇ ସେ ବିଏମସିରେ ତିନି ଥର କର୍ପୋରେଟର ହେଲେଣି । ଅତୀତରେ ଭୁବନେଶ୍ୱର ମେୟର ଭାବେ ତାଙ୍କର ନାଁ ଏକାଧିକ ବାର ଚର୍ଚ୍ଚାକୁ ଆସିଥିଲା । ୨୦୧୯ ନିର୍ବାଚନରେ ସେ ବିଧାୟକ ଟିକେଟ୍ ପାଇବାକୁ ଆଶା ରଖିଥିଲେ । ମାତ୍ର ତାଙ୍କୁ ମେୟର ଆଶା ଦେଖାଇ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ପଦରେ ସନ୍ତୁଷ୍ଟ କରାଯାଇଥିଲା । ତାଙ୍କ ନେତୃତ୍ୱରେ ଦଳ ଭୁବନେଶ୍ୱରର ତିନିଟି ଯାକ ଆସନରେ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲା ।
ସ୍ୱାଭାବିକ ଭାବେ ଏଥର ସେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି । ମାତ୍ର ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଦ୍ୱିତୀୟ ଥର ପାଇଁ ଏହି ଆସନରୁ ଲଢ଼ିବା ପାଇଁ ଦୃଢ଼ ଲବିରେ ଥିବାରୁ ବାଇଁଆଙ୍କ ବିରୋଧରେ ଗୋଟି ଚାଳନା କରୁଥିବା କୁହାଯାଉଛି । ଅନନ୍ତଙ୍କୁ ଏଥିରେ କୁଆଡ଼େ ସହଯୋଗ କରୁଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ଆସନ୍ତାକାଲି ବାଇଁଆଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଅନନ୍ତ ଏବଂ ଅଶୋକ ଜାଲ୍ ବିଛାଇଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ତିନି ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହିଛି ।
ଇତିମଧ୍ୟରେ, ଗତକାଲି ଏବଂ ଆଜି ବାଇଁଆଙ୍କ ନେତୃତ୍ୱରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର କିଛି ବରିଷ୍ଠ ନାଗରିକ ଏବଂ ତାଙ୍କର ସମର୍ଥକମାନେ ନବୀନ ନିବାସ ଆସିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସ ଆସିଥିବା ବାଇଁଆ ଗଣମାଧ୍ୟମକୁ କହିଛନ୍ତି ।
ଅନ୍ୟପକ୍ଷରେ କାହାରି ନାଁ ନ ନେଇ, ଆସନ୍ତାକାଲିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭଣ୍ଡୁର ପାଇଁ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ ସେ ସାବଧାନ କରାଇ ଦେଇଛନ୍ତି । ବିଜେଡିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବ୍ୟାଘାତ କରିବାକୁ ଦିଆଯିବ ନାହିଁ । ଦଳର ଏକତାକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ସେହି ବ୍ୟକ୍ତି ଏଥିରୁ ନିବୃତ୍ତ ରୁହନ୍ତୁ । ନଚେତ୍ ଭୟଙ୍କର ପରିଣାମ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ବାଇଁଆ କହିଛନ୍ତି, ମୁଁ ଭୁବନେଶ୍ୱରରେ ଜନ୍ମ ହୋଇଛି । ଭୁବନେଶ୍ୱରରେ ମରିବି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକ୍ରମ ଏବଂ ବିକାଶଧାରାରେ ଲୋକଙ୍କୁ ଯୋଡ଼ିବାକୁ ୨୫ ବର୍ଷ ଧରି କାମ କରି ଚାଲିଛି । ମୁଁ ଠକ ରଙ୍ଗମିସ୍ତ୍ରୀ ହୋଇନି ଯେ ମୂଲିଆଙ୍କୁ କାମରେ ଲଗେଇ ଶୋଇଯିବି । ଛାତ୍ର ରାଜନୀତିରୁ ଆସିଛି । ଦଳ ପାଇଁ ଓ ଲୋକଙ୍କ ସେବାରେ ଦୀର୍ଘ ୨୫ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରୁଛି ।
ତେବେ କାହାକୁ ରଙ୍ଗମିସ୍ତ୍ରୀ କହୁଛନ୍ତି ବୋଲି ବାଇଁଆଙ୍କୁ ପ୍ରଶ୍ନ ହେବାରୁ ଆପଣମାନେ ସବୁ ଠିକ୍ ଜାଣିଛନ୍ତି ବୋଲି ସେ କହିଥିଲେ ।