ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡିମହିଳା
ଭୁବନେଶ୍ୱର: ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି
‘ଦରଦାମ ବୃଦ୍ଧି ରୋକ୍, ନଚେତ୍ ରାସ୍ତାକୁ ଯିବୁ’
ନିର୍ବାଚନ ବିପର୍ଯ୍ୟୟ ପରେ ଏକପ୍ରକାର ସ୍ଥାଣୁ ହୋଇଯାଇଥିବା ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଦଳ ଅଣ୍ଟା ଭିଡ଼ିଛି । ରାଜ୍ୟର ବିଜେପି ସରକାର ଏହାକୁ ନିୟନ୍ତ୍ରଣ ନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କ ମୁଣ୍ଡରେ ଏହା ଚଡ଼କ ପକାଇଛି । ଉତ୍ତମ ପ୍ରଶାସନର ନାରା ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବା ଜରୁରି ହୋଇଥିଲା ବେଳେ ବିଭାଗୀୟ ମନ୍ତ୍ରୀ ପନିପରିବା ଦରବୃଦ୍ଧି ରୋକିବାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ ଘଟଣା । ଯଦି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ଅସହାୟତା ପ୍ରକାଶ କରିବେ, ତେବେ ଏହା କାହାରି କାମ ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ବିଜେଡି ରାଜରାସ୍ତାରେ ଆନେ୍ଦାଳନ କରିବ ବୋଲି ସେ ଚେତାଇ ଦେଇଥିଲେ ।
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଦରଦାମ ନିୟନ୍ତ୍ରଣ ଆମ କ୍ଷମତା ବାହାରେ କହି ବିଜେପି ସରକାର ନିଜ ଉପରୁ ଦାୟିତ୍ୱ ଝାଡ଼ିପାରିବେ ନାହିଁ । ବର୍ତ୍ତମାନର ଦରଦାମ ବୃଦ୍ଧିର ମୁଖ୍ୟ କାରଣ ହୋଇଛି ବେଆଇନ ଭାବେ ସାମଗ୍ରୀ ମହଜୁଦ୍ । ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯୋଗାଣ ମନ୍ତ୍ରୀ ନିଜ ଉପରକୁ ଏହି ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।