ଓଡିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମନଗଢ଼ା ଅଭିଯୋଗ। : ବିଜେଡି
କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇ ଓଡିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମନଗଢ଼ା ଅଭିଯୋଗ ଆଣୁଛି: ବିଜେଡି
ଭୁବନେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦୁର୍ନୀତି ହେଉଥିବା ନେଇ କେନ୍ଦ୍ର କ୍ରୀଡ଼ା, ଯୁବ ବ୍ୟାପାର ଏବଂ ସୂଚନା ପ୍ରସାରଣ ବିଭାଗର ମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଅମୂଳକ
ଏବଂ କପୋଳକଳ୍ପିତ ବୋଲି ବିଜେଡି ଅଭିଯୋଗ କରିଛି ।
ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ବିରୋଧରେ କହିବାକୁ ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଏକଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର
ଭଲ ଭାବେ ଜାଣିଛନ୍ତି। କାରଣ ପୂର୍ବରୁ ସବୁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ଓଡିଶା ସରକାରକୁ ଭୂୟସୀ ପ୍ରଶଂସା କରି ପ୍ରମାଣପତ୍ର ଦେଇଛନ୍ତି। ଯେହେତୁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସିଛନ୍ତି, ତାଙ୍କ
ମୁହଁରେ ରାଜ୍ୟ ସରକାର ବିରୋଧରେ କିଛି କୁହାଇବା ଲାଗି ଓଡ଼ିଶା ବିଜେପି ତାଙ୍କ ଉପରେ ଚାପ ପକାଇଛି । ଆଉ ସତ କଣ ଜାଣିଥିଲେ ବି ଚାପରେ ପଡ଼ି ଶ୍ରୀ ଠାକୁର ଏଭଳି ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରିଛନ୍ତି।ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଆସି କେବଳ ଅଭିଯୋଗ କରିଦେଲେ ହେବ ନାହିଁ। କେଉଁଠି ଦୁର୍ନୀତିହୋଉଛି ତାର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଅଯଥାରେ ଆସି ଏଭଳି ମନଗଢ଼ା ଅଭିଯୋଗ
କରନ୍ତୁ ନାହିଁ।