ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ପ୍ରବଳ ବର୍ଷିଛି ବିଜେଡି ।
ପୃଥ୍ୱୀରାଜଙ୍କ ଉପରେ ବର୍ଷିଲା ବିଜେଡି : ପ୍ରମାଣ ଅଛି ଯଦି କୋର୍ଟକୁ ନ ଯାଇ ବାଉଳିଚାଉଳି ହେଉଛନ୍ତି କାହିଁକି?
ଭୁବନେଶ୍ୱର: ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ପ୍ରବଳ ବର୍ଷିଛି ବିଜେଡି ।
ଜୀବନରେ ଥରଟିଏ ୱାଡ୍ ମେମ୍ବର ହୋଇ ନ ଥିବା ଏହି ବ୍ୟକ୍ତି ଜଣକ ରାଜନୀତିରେ ତିଷ୍ଠି ରହିବା ପାଇଁ ଗଣମାଧ୍ୟମରେ ଯାହା ପାରି ତାହା ଗପୁଛନ୍ତି, ଏପରିକି ହୀନ ରାଜନୀତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ୁ ନାହାନ୍ତି । ଘଟଣା ବିଷୟରେ କିଛି ଜ୍ଞାନ ନ ଥାଇ ବିଶେଷଜ୍ଞଙ୍କ ଭଳି କେବଳ ହାସ୍ୟାସ୍ପଦ ବୟାନବାଜି କରୁଛନ୍ତି । ଯଦି ତାଙ୍କ ପାଖରେ ପ୍ରମାଣ ଅଛି ତା ହେଲେ ଅଦାଲତକୁ ଯିବାକୁ କାହିଁକି ଭୟ କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାଡ୍ ମେମ୍ବରଟିଏ ମଧ୍ୟ ହୋଇ ପାରି ନ ଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭି ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି । ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି । ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି । ପୃଥ୍ୱୀରାଜ ବାବୁଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି? ସବୁ ଆଡ଼ୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।