ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି ଅଶୋକ ଏବଂ ଅନନ୍ତ
ଭୁବନେଶ୍ୱର:କ୍ଷମତାରୁ ଯିବା ପରେ ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ରାଜ୍ୟସାରା ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଥିବା ବେଳେ ଭୁବନେଶ୍ୱରରେ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି । ନିଜ ବ୍ୟକ୍ତିଗତ ବିବାଦକୁ ନେଇ କିଛି ଯୁବନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ କରୁଛନ୍ତି । ବିଶେଷ କରି ମେୟରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଏକ ପ୍ରକାର ଧମକ ଦେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଦଳ ଭିତରେ ତୁମ୍ବିତୋଫାନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ମଧ୍ୟ ନିର୍ବାଚନ ମଣ୍ଡଳୀରୁ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଓ ଏକାମ୍ରରୁ ଲିଟୁ ମହାସୁପକାର ଆଶାୟୀ ପ୍ରାର୍ଥୀ ଥିଲେ । ଦଳ ସେମାନଙ୍କୁ ଟିକେଟ ଦେଇନଥିଲା । ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ଏକାମ୍ରରୁ ଅଶୋକ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଏକାମ୍ରରୁ ଅଶୋକ ପଣ୍ଡା ପରାଜିତ ହୋଇଥିବା ବେଳେ ମଧ୍ୟଆସନରୁ ବୁନୁ ମାତ୍ର ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ଦଳର ଏଭଳି ଅବସ୍ଥା ଲାଗି ବୁନୁ ଓ ଅଶୋକ ଲିଟୁ ଏବଂ ବାଇଁଆକୁ ଦୋଷାରୋପ କରିଥିଲେ । ଏହାକୁ ନେଇ କିଛିଦିନ ତଳେ ଶଙ୍ଖ ଭବନରେ ଅଶୋକ-ବୁନୁ ଗୋଷ୍ଠୀ ଓ ବାଇଁଆ-ଲିଟୁ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।ଏହା ପରେ ଗତ ୨୬ ତାରିଖରେ ବିଏମସି କର୍ପୋରେଟ ବୈଠକକୁ ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର ଅଧିକାଂଶ କର୍ପୋରେଟର ଆସିନଥିଲେ । ଏମାନେ ଖଣ୍ଡଗିରି ଠାରେ ଏକ ଗୁପ୍ତ ବୈଠକରେ ଯୋଗଦେଇଥିଲେ । ଯେଉଁମାନେ ଗୁପ୍ତବୈଠକରେ ଯୋଗ ଦେଇଥିଲେ, ସେମାନେ ଅଶୋକ ଓ ବୁନୁ ଗୋଷ୍ଠୀର ବୋଲି କୁହାଯାଉଛି । ଏହି ଗୁପ୍ତ ବୈଠକରେ କି ଚର୍ଚ୍ଚା ହେଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବାଇଁଆ ଓ ଲିଟୁଙ୍କୁ ଦଳରୁ ସସ୍ପେଣ୍ଡ କରିବା ଲାଗି ଚାପ ପକାଇବା ପାଇଁ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଯଦି ଲିଟୁ ଓ ବାଇଁଆଙ୍କୁ ଦଳରୁ ସସପେଣ୍ଡ କରାନଯାଏ, ତେବେ ସବୁ କର୍ପୋରେଟର ମେୟରଙ୍କ ବିରୋଧରେ ଅନାସ୍ଥା ଆଣି ବିଏମସିକୁ ବିଜେପି ହାତକୁ ଟେକିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ବୁନୁ ଓ ଅଶୋକ ଦଳର ମଙ୍ଗୁଆଳଙ୍କୁ ଜଣାଇଥିଲେ । କର୍ପୋରେଟରଙ୍କ ଏଭଳି ମେଳି ପରେ ଦଳ ପକ୍ଷରୁ ବାଇଁଆ ଓ ଲିଟୁକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।ଏଠାରେ ପ୍ରଶ୍ନ ଉଠୁଛି, ବାଇଁଆ ଓ ଲିଟୁ ପାଇଁ ବୁନୁ-ଅଶୋକ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରୁଛନ୍ତି? ଯଦି ତାଙ୍କ କଥା ଅନୁସାରେ ନିର୍ବାଚନରେ ଦଳ ବିରୋଧରେ କାର୍ଯ୍ୟ କରିଥିବା ଅଭିଯୋଗ ହେଉଥିବା ସବୁନେତାଙ୍କୁ ଦଳରୁ ନିଲମ୍ବନ କରାଯାଏ, ତେବେ ଦଳ ମୂଳପୋଛ ହୋଇଯିବନି ତ? ବୁନୁ-ଅଶୋକ ଦଳକୁ ସଜାଡିବାକୁ ଯାଇ ବିଜେଡିର ସର୍ବନାସ କରୁନାହାନ୍ତି ତ? ଏହି ଦୁଇନେତା ବିଜେପି ସହ ହାତ ମିଳାଇ ନାହାନ୍ତି ତ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ନାହିଁ ତ? ଏଭଳି ପ୍ରଶ୍ନ ଏବେ ଦଳୀୟ ମହଲରେ ଉଙ୍କି ମାରୁଛି ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ସାମ୍ବାଦିକତା କରୁଥିବା ଅଶୋକଙ୍କୁ ଦଳକୁ ଆଣି ମନ୍ତ୍ରୀ କରିଥିଲେ । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର ଆଭ୍ୟନ୍ତରୀଣ କଥା ଆଲୋଚନା କରୁଥିଲେ । ଏବେ ବିଜେଡି କ୍ଷମତାରୁ ଯିବା ପରେ ନବୀନ ବାବୁ ମାନସିକ ଯନ୍ତ୍ରଣାରେ ଜର୍ଜରିତ ଥିବା ବେଳେ ସେ ତାଙ୍କୁ ମେୟର ପଦ ଛଡାଇ ନେବାର ଧମକ ଦେଇ ବ୍ଲାକମେଲ୍ କରିବା ଏକ ପରିତାପର ବିଷୟ ।ସେହିପରି କିଛିଦିନ ତଳେ ଏକ ଆପତ୍ତିଜନକ ଭାଇରାଲ ଭିଡ଼ିଓକୁ ନେଇ ବିଜେପି ଓ କଂଗ୍ରେସ ବୁନୁଙ୍କୁ କାଠଗଡାକୁ ଟାଣିଥିଲେ । ରାଜରାସ୍ତାରେ ନିଆଁ ଜାଳିଥିଲେ । ସେତେବେଳେ ନବୀନ ବାବୁ ତାଙ୍କୁ ସୁରକ୍ଷା ଦେଇଥିଲେ । ଏପରିକି ପରବର୍ତ୍ତୀ ସମୟରେ ତାଙ୍କୁ ଟିକେଟ ଦେଇ ଜିତାଇଥିଲେ । ହେଲେ ଏବେ ନିଜ ସ୍ୱାର୍ଥ ପାଇଁ ସେ ମଧ୍ୟ ନବୀନ ବାବୁଙ୍କୁ ବ୍ଲାକମେଲ୍ କରୁଛନ୍ତି । ତେବେ ଏହି ଦୁଇ ନେତା ପ୍ରକୃତରେ ଦଳର ହିତ ଚାହୁଁଛନ୍ତି ନା ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି, ତାହା ସମୟ ହିଁ କହିବ ।