ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ।
ବଦଳୁଛି ଗଙ୍ଗୁଆ ନାଳର ନକ୍ସା: ବେକ ମୋଡ଼ି ଗତିପଥ ବଦଳାଉଛନ୍ତି ଜବରଦଖଲକାରୀ…
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ। ଏମାନେ ସରକାରୀ ଜମିକୁ ଯେଭଳି ଭାବେ ଆଖିବୁଜା ଜବରଦଖଲ କରୁଛନ୍ତି ତାହା କାହାରିକୁ ଅଛପା ନାହିଁ। ସବୁକିଛି ହଡ଼ପ କରି ସାରିଲେଣି। ସରକାରୀ ସମତଳ ଜମି ବି ଏବେ ସେମାନଙ୍କୁ ନିଅଣ୍ଟ ପଡ଼ିଗଲାଣି। ଏବେ ଏମାନେ ରାଜଧାନୀର ବିଭିନ୍ନ ଜଳାଶୟ ଏବଂ ପ୍ରାକୃତିକ ନାଳକୁ ଟାର୍ଗେଟ କରୁଛନ୍ତି। କେନାଲ, ନାଳ, ପୋଖରୀ କାହାରିକୁ ବି ଛାଡୁ ନାହାନ୍ତି। ଆବଶ୍ୟକ ପଡ଼ିଲେ ପ୍ରାକୃତିକ ନାଳର ନକ୍ସା ବଦଳାଇ ଦେଉଛନ୍ତି। ଏହାର ବେକ ମୋଡ଼ି ଗତିପଥ ବଦଳାଇ ଦେଉଛନ୍ତି। ଭୁବନେଶ୍ୱରର ସର୍ବପୁରାତନ ଗଙ୍ଗୁଆ ନାଳର ସ୍ଥିତି ଏଭଳି ପାଲଟିଛି ଯେ ଗଙ୍ଗୁଆ ଆଉ ତାର ପୁରୁଣା ପଥରେ ପ୍ରବାହିତ ହେଉନାହିଁ। ଜବରଦଖଲ ଏହାକୁ ଅଙ୍କାବଙ୍କା ନାଳରେ ପରିବର୍ତ୍ତନ କରି ଦେଲାଣି। ଏହା ଭୁବନେଶ୍ୱର ଡ୍ରେନେଜ୍ର ମୁଖ୍ୟ ସ୍ରୋତ ପାଲଟିଥିଲା ବେଳେ ଜବରଦଖଲକୁ ନେଇ ବିଡିଏ କିମ୍ବା ବିଏମ୍ସି ନିରବଦ୍ରଷ୍ଟା ପାଲଟିବା ଭବିଷ୍ୟତକୁ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏହାର ଉଭୟ ପାର୍ଶ୍ବରେ ଉତ୍କଟ ଜବରଦଖଲ ସମସ୍ୟା ସୃଷ୍ଟି ହୋଇଛି। କିଛି ସ୍ଥାନରେ ବିଲଡରମାନେ ବେଆଇନ୍ ପ୍ଲଟିଂ କରି ଜମି ବିକ୍ରି କରିଦେଲେଣି। ଆଉ କିଛି ସ୍ଥାନରେ ମାଟି, ପଥର ପକାଯାଇ ଦ୍ରୁତଗତିରେ ଜବରଦଖଲ ଚାଲିଛି। ବ୍ରହ୍ମେଶ୍ୱର ପାଟଣା, ଶିଶୁପାଳଗଡ଼଼ ପର୍ଯ୍ୟନ୍ତ, ସାମନ୍ତରାପୁରରୁ ଦୟାନଦୀ ସହ ସମାନ୍ତରାଳ ଭାବରେ ଉଭୟପାର୍ଶ୍ବରେ ଜବରଦଖଲ ହୋଇଛି। ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଅନେକ ସମୟରେ ଗଙ୍ଗୁଆ ଗତିପଥ ବଦଳାଇଛି। କିଛି ସ୍ଥାନରେ ଗଙ୍ଗୁଆକୁ ବ୍ୟକ୍ତିଗତ ଭାବେ ଦଖଲ କରାଯାଇଛି। ଗଙ୍ଗୁଆର ମୂଳ ନକ୍ସା ସହ ସାଟେଲାଇଟ୍ ମ୍ୟାପ୍ ମେଳ କଲେ ଜବରଦଖଲ ଧରା ପଡ଼ିଯିବ। ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ପ୍ରାୟ ୪୫ କିଲୋମିଟର ଲମ୍ୱାର ଏହି ନାଳ ଭୁବନେଶ୍ୱର ଦେଇ କଣ୍ଟି ବାରିମୂଳଠାରେ ଦୟାନଦୀରେ ମିଶିଛି। ଚନ୍ଦକା ଜଙ୍ଗଲରୁ ବାହାରିବାର ୧୩ କିଲୋମିଟର ପରେ ଏଥି୍ରେ ଭୁବନେଶ୍ୱରର ନଳାପାଣି ମିଶିବା ଆରମ୍ଭ ହୋଇଛି। ଭୁବନେଶ୍ୱର ଭିତରେ ପ୍ରାୟ ୩୨ କିଲୋମିଟର ନାଳରେ ବିଶୋଧନ ହେଉନଥିବା ବର୍ଜ୍ୟଜଳ ସିଧା ସଳଖ ଏହି ନାଳରେ ମିଶୁଛି। ମାଷ୍ଟରପ୍ଲାନରେ ଏହାର ଦୈଘ୍ୟ ୩୩୦ ଫୁଟ୍। ଚନ୍ଦକା ଅଭୟାରଣ୍ୟରୁ ବାହାରିବା ବେଳେ ଏହାର ଓସାର ଅନେକ ଜାଗାରେ ୮୦ରୁ ଶହେ ଫୁଟ୍ ପର୍ଯ୍ୟନ୍ତ ରହିଥିବା ବେଳେ ସହର ଭିତରେ ଜବରଦଖଲ ଯୋଗୁଁଁ ଅଣଓସାରିଆ ହୋଇଯାଇଛି। କେତେକ ଜାଗାରେ ମାତ୍ର ୨୦ ଫୁଟ ପର୍ଯ୍ୟନ୍ତ ଓସାର ରହିଛି। ରାଜ୍ୟର ୧୯ପ୍ରଦୂଷିତ ନାଳ ମଧ୍ୟରୁ ଏହା ଶୀର୍ଷରେ ରହିଛି।