ଅବସର ନେଲେ ପାଣ୍ଡିଆନ ପରବର୍ତ୍ତୀ ଭୂମିକା ଉପରେ ନଜର
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ନେଇଛନ୍ତି । ତାଙ୍କର ଭିଆରଏସ ଆବେଦନ ମଞ୍ଜୁର ପାଇଁ ଗତ ୨୦ ତାରିଖରେ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଏହାକୁ ମଞ୍ଜୁର କରିଛନ୍ତି । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଏ ନେଇ ଚିଠି କରିଛନ୍ତି । ସର୍ବ ଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ଏହା ମଞ୍ଜୁର ହୋଇଛି ।
୨୦୦୦ ମସିହାର ଆଇଏଏସ୍ ଅଫିସର ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର ଓଡ଼ିଶା ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ମସିହାରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଣେ କର୍ମଠ, ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ଥିଲା । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫-ଟି ବିଭାଗ ସୃଷ୍ଟି କରି ତାହାର ସଚିବ ଭାବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଇଥିଲେ । ୫-ଟି ସଚିବ ଭାବେ ତାଙ୍କ ହାତରେ ସବୁ ବିଭାଗର ନିୟନ୍ତ୍ରଣ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପାୱାର କରିଡରରେ ସେ ଥିଲେ ସର୍ବ ଶକ୍ତିମାନ ଅଧିକାରୀ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ୩୦ଟି ଯାକ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତାହା ଉପରେ ତ୍ୱରିତ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି ।
ତେବେ ସରକାରୀ ଅଧିକାରୀ ହୋଇ ପାଣ୍ଡିଆନ ରାଜନୀତି କରୁଥିବା ଏବଂ ବିଜେଡି ନେତାଙ୍କ ଭଳି ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣି ତୁମ୍ବିତୋଫାନ କରିଥିଲେ । ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ିଦିଅ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଚାଲେଂଜ ଦେଇଥିଲେ । ଶ୍ରୀ ପାଣ୍ଡିଆନ୍ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଉଭୟ ଡିଓପିଟିର ଦ୍ୱାରସ୍ଥ ହୋଇଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅପରାଜିତାଙ୍କ ସହ ମିଶି ଯାଇଥିଲେ । ଏହାର ପରବର୍ତ୍ତୀ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ୱରର ମେ ଫେୟାର ହୋଟେଲରେ ଶ୍ରୀ ପାଣ୍ଡିଆନଙ୍କ ସହ ଏକାନ୍ତରେ ଆଲୋଚନା କରିଥିବା ଚର୍ଚ୍ଚା ହୋଇଥିଲା । ପାଣ୍ଡିଆନଙ୍କ ବିରୋଧରେ ଗର୍ଜନ କରୁଥିବା ଏହି ବିଜେପି ନେତାମାନେ ତାହା ପରେ ଏକ ପ୍ରକାର ଚୁପ୍ ପଡ଼ିଯାଇଥିଲେ ।
ତେବେ ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତକୁ ନେଇ ବିରୋଧୀ ଦଳର ଅନ୍ୟ ନେତାମାନେ ଘନ ଘନ ଆକ୍ରମଣ କରିଥିଲେ । ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ବିଧାନସଭାରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କଟୁ ମନ୍ତବ୍ୟ ଦେଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ ସେ ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କୁ ଜିଲ୍ଲା ଗସ୍ତରେ ପଠାଇଥିବା ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ବିରୋଧୀ ଦଳର ନେତାମାନେ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ବରଂ ପାଣ୍ଡିଆନଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ଯଦି ରାଜନୀତି କରିବାର ଅଛି ତେବେ ଚାକିରି ଛାଡ଼ ବୋଲି ଆହ୍ୱାନ ଦେଇଥିଲେ ।
ପାଣ୍ଡିଆନ ଚାକିରି ଛାଡ଼ି ସିଧାସଳଖ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏତେଶୀଘ୍ର ଏମିତି ଘଟିବ ବୋଲି ଅନେକ ବିଶ୍ୱାସ କରୁ ନ ଥିଲେ । ଏବେ ଅଚାନକ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ସେମାନଙ୍କୁ ଚକିତ କରିଛି । ଏଥିସହ ବିରୋଧୀ ଦଳର ଚାଲେଞ୍ଜକୁ ଗ୍ରହଣ କରି ସେମାନଙ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିଦେଇଛନ୍ତି ।
ସୂଚନା ଅନୁଯାୟୀ, ପାଣ୍ଡିଆନଙ୍କ ଭିଆରଏସ ଆବେଦନ ସଂକ୍ରାନ୍ତରେ ସରକାରୀସ୍ତରରେ ମଧ୍ୟ ଅଧିକାଂଶ ଜାଣି ନ ଥିଲେ । ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଟେର୍ ପାଇ ନ ଥିଲେ । ଆଜି ଭିଆରଏସ ମଞ୍ଜୁର ହେଲା ପରେ ଏହି ଖବର ପାଇ ସେମାନଙ୍କ ମୁଣ୍ଡ ଗୋଲ୍ ହୋଇଯାଇଛି ।
ବର୍ତ୍ତମାନ ସମସ୍ତଙ୍କ ଆଖି ପାଣ୍ଡିଆନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ । ଖୁବ୍ ଶୀଘ୍ର ସେ ତାଙ୍କର ଯୋଜନା ଜଣାଇବେ ବୋଲି ଖବର ମିଳିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ପାଣ୍ଡିଆନ ବିରୋଧୀ ଦଳର ଚାଲେଂଜକୁ ଗ୍ରହଣ କରି ଚାକିରି ଛାଡ଼ିଛନ୍ତି । ତେଣୁ କରି ସେ ସକ୍ରିୟ ରାଜନୀତିରେ ଯୋଗଦେବା ସ୍ପଷ୍ଟ ଜଣାପଡୁଛି । ତେବେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସରେ ଥିବା ଏହି ପୂର୍ବତନ କ୍ଷମତାଶାଳୀ ଅଧିକାରୀ କେଉଁ ଭୂମିକାରେ ଆସିବେ ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି ।