Search for:
  • Home/
  • ରାଜ୍ୟ/
  • ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ମତପ୍ରକାଶ

ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ମତପ୍ରକାଶ

Spread the love

Loading

ଭାରତୀୟ ନ୍ୟାୟ ସଂହିତା-୨୦୨୩:
ଔପନିବେଶିକ ଆଇନର ତଥାକଥିତ “ଭାରତୀୟକରଣ” ନାମରେ ସାର୍ବଜନୀନ ବ୍ୟକ୍ତି ସ୍ୱତନ୍ତ୍ରତା ଓ ମାନବାଧିକାର ଉଲଂଘନ ନିମନ୍ତେ ଅଭିପ୍ରେତ -:
( ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ମତପ୍ରକାଶ)

ପୃଷ୍ଠଭୂମି:ଗତ ୧୧ ଅଗଷ୍ଟ ୨୦୨୩ରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍, ୨୦୨୩ ଉପସ୍ଥାପନ କରିଥିଲେ। କିନ୍ତୁ ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ନ୍ୟାୟ ସଂହିତା ବିଲ୍-୨୦୨୩କୁ ପ୍ରତ୍ୟାହାର କରାଯାଇ ପୁନର୍ବାର ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା ବିଲ୍-୨୦୨୩ ଲୋକସଭାରେ ଉପସ୍ଥାପିତ କରାଯାଇଥିଲା ଏବଂ ୨୫ ଡିସେମ୍ବର, ୨୦୨୩ରେ, ଯେତେବେଳେ ସଂସଦର ଉଭୟ ଗୃହରୁ ୧୪୩ ଜଣ ବିରୋଧି ଦଳର ସାଂସଦମାନଙ୍କୁ ବହିଷ୍କୃତ କରାଯାଇଥିଲା, ସେତେବେଳେ ବିନା ବିତର୍କରେ ଏହାକୁ ପାରିତ କରାଯାଇଥିଲା।

ଭାରତୀୟ ନ୍ୟାୟ ସଂହିତାକୁ ଦେଶର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଅର୍ଥନୈତିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା କିମ୍ବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧରେ ଏକ ରକ୍ଷା କବଚ ଭାବରେ ବ୍ୟାଖ୍ୟା କରାଯାଇଛି । ଏଥିରେ ସଂଗଠିତ ଅପରାଧକୁ ଏକ ପ୍ରମୁଖ ଅପରାଧ ଭାବରେ ବର୍ଣ୍ଣନା କରାଯାଇଛି ଯେଉଁଥିରେ ଭିଡ଼ ହିଂସା,ଅପହରଣ, ଚୋରା ଚାଲାଣ ଏବଂ ସାଇବର୍ ଅପରାଧ ଭଳି ଅପରାଧ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି।

୧୮୩୪ ମସିହାରେ ଥୋମାସ୍ ବାବିଙ୍ଗଟନ୍ ମାକାଲେଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ଆଇନ ଆୟୋଗ ଦ୍ଵାରା ପ୍ରସ୍ତୁତ ହୋଇଥିବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) – ୧୮୬୦ କୁ ଏକ ଔପନିବେଶିକ ଆଇନ୍ ବୋଲି ଅଭିହିତ କରି
ଭାରତୀୟ ନ୍ୟାୟ ସଂହିତା ଆଇନ୍-୨୦୨୩କୁ ଏହାର “ଭାରତୀୟକରଣ” ଭାବରେ ବ୍ୟାଖ୍ୟା କରାଯାଇଛି।

ଭାରତୀୟ ନ୍ୟାୟ ସଂହିତା -୨୦୨୩ କେତେଦୂର ଯୁକ୍ତିଯୁକ୍ତ, କେତେଦୂର ଔପନିବେଶିକ ଆଇନ୍ – ୧୮୬୦କୁ ବିଲୁପ୍ତ କରିବା ପାଇଁ ଉଦ୍ଦିଷ୍ଟ, କାହିଁକି ଏହି ଆଇନ୍ ର ଆବଶ୍ୟକତା ପଡ଼ିଲା, ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ କ’ଣ ଏବଂ କେଉଁମାନେ ଏପରି ଆଇନ୍ ପ୍ରଣୟନ ପଛରେ ମୂଖ୍ୟ ସାରଥୀ ସାଜିଛନ୍ତି, ସେ ସଂପର୍କରେ ଏକ ମୁକ୍ତ ଆଲୋଚନା ନିମନ୍ତେ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ (ସି.ଏସ୍.ଏଫ୍.ଏଚ୍.ଆର୍) ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ର ସଭାପତି ଧନେଶ୍ଵର ମହାନ୍ତି ଏବଂ ଡକ୍ଟର ବୀରେନ୍ଦ୍ର ନାୟକ ମୂଖ୍ୟ ଆଲୋଚକ ଭାବେ ଯୋଗଦେଇଥିବା ବେଳେ ମାନବାଧିକାର କର୍ମୀ- ଆଇନଜୀବୀ ତଥା ଫୋରମ୍ ର ସଭାପତି ବିଶ୍ୱପ୍ରିୟ କାନୁନଗୋ ଏହାକୁ ସଂଚାଳନ କରିଥିଲେ।
*ଶ୍ରୀଯୁକ୍ତ ଧନେଶ୍ଵର ମହାନ୍ତି*: ଶ୍ରୀଯୁକ୍ତ ମହାନ୍ତି ତାଙ୍କର ଆଲୋଚନାରେ କହିଥିଲେ ଯେ ଭାରତୀୟ ନ୍ୟାୟ ସଂହିତା ଜରିଆରେ ଔପନିବେଶିକ ଆଇନର ଅନ୍ତ ଘଟାଇ “ଭାରତୀୟକରଣ” କରାଯାଇଛି ବୋଲି ସରକାର ଘୋଷଣା କରୁଥିବାବେଳେ ବାସ୍ତବରେ ଏଥିରେ ଭାରତୀୟ ଦଣ୍ଡବିଧି ଆଇନ-୧୮୬୦ ରୁ ଅଧିକାଂଶ ବିଷୟକୁ କେବଳ ନକଲ କରାଯାଇଛି , କିନ୍ତୁ ଧାରା ଗୁଡ଼ିକର କ୍ରମିକ ସଂଖ୍ୟା ଗୁଡ଼ିକୁ ଅନେକେ ସ୍ଥାନରେ ତଳ ଉପର କରି ପରିବର୍ତ୍ତନ କରାଯାଇଛି। ଏହି ପ୍ରସଙ୍ଗରେ ସେ ଭାରତୀୟ ସାକ୍ଷ୍ୟ ଆଇନ୍(ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ), ଭାରତୀୟ ପିଙ୍ଗଳ କୋଡ଼ (ଇଣ୍ଡିଆନ୍ ପେନାଲ୍ କୋଡ୍), କ୍ରିମିନାଲ ପ୍ରୋସିଜିଓର କୋର୍ଡ (ସିଆର୍.ପି.ସି) ଆଦି କ୍ଷେତ୍ରରେ ପୂର୍ବରୁ ଥିବା ବ୍ୟବସ୍ଥା ଓ ବର୍ତ୍ତମାନର ସଂଶୋଧିତ ବ୍ୟବସ୍ଥା ସଂପର୍କରେ ତୁଳନାତ୍ମକ ଆଲୋଚନା କରିଥିଲେ।
ତାଙ୍କ ମତରେ ଭାରତୀୟ ସାକ୍ଷ୍ୟ ଆଇନ୍ ରେ ବିଶେଷ କିଛି ପରିବର୍ତ୍ତନ ହୋଇ ନଥିବା ବେଳେ କେବଳ କ୍ରମିକ ସଂଖ୍ୟା (ସିରିଏଲ୍ ନମ୍ବର) କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି। ସେହିପରି ସିଆର୍.ପି.ସି କ୍ଷେତ୍ରରେ ଅଧିକାଂଶ ବିଷୟରେ ପରିବର୍ତ୍ତନ ହୋଇନଥିବା ବେଳେ ଭାରତୀୟ ପେନାଲ୍ କୋଡ୍ ରେ ସଂଗଠିତ ଅପରାଧକୁ ଗୁରୁତ୍ୱ ଦିଆଯାଇଛି, ପୋଲିସ୍ ହାଜତ୍ ରେ ଅଟକ ବନ୍ଦୀ ଓ ଜେରା ପାଇଁ ହାଜତକୁ ନେବା ସମୟରେ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ପେନାଲ୍ କୋଡ୍ (ଭାରତୀୟ ଦଣ୍ଡବିଧି ବ୍ୟବସ୍ଥା)ରେ ଧାରା ୪୮, ୪୯, ୧୦୯, ୧୧୦, ୧୧୧, ୨୨୪, ୨୩୪ କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି। ସେହିପରି ପୁରୁଣା ଆଇନ୍ ‘ରାଜ ଦ୍ରୋହ’ ଅପରାଧ (ଧାରା ୧୨୪-କ) ବଦଳରେ ନୂତନ ଆଇନ୍ ‘ରାଷ୍ଟ୍ର ଦ୍ରୋହ’ ରେ ସମାନ ଆଇନଗତ ବ୍ୟବସ୍ଥା ଧାରା-୧୫୨ ରେ ସ୍ଥାନିତ କରାଯାଇଛି, କିନ୍ତୁ ଧାରା-୧୨୪(କ) କୁ ଉଚ୍ଛେଦ କରାଗଲା ବୋଲି ପ୍ରଚାର କରାଯାଉଛି। ଦେଶର ସାର୍ବଭୌମ, ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାପାଇଁ ଏହି ଆଇନ୍ ର ଆବଶ୍ୟକତା ପଡ଼ିଲା ବୋଲି ସରକାର ସଫେଇ ଦେଉଛନ୍ତି। ଏହି ଭାରତୀୟ ନ୍ୟାୟ ସଂହିତାରେ ପୋଲିସ୍ କୁ ପୂର୍ବଠାରୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଔପନିବେଶିକ ଆଇନର “ଭାରତୀୟକରଣ” କଥା କୁହାଯାଉଥିବା ବେଳେ ନୂଆ ଆଇନ୍ ରେ ଅପରାଧୀକ ଆଇନ୍ ଗୁଡିକୁ ଅଧିକ ସଂଯୋଜିତ ତଥା ଦୃଢ଼ୀକରଣ କରାଯାଇଛି।
ଯଦି ଏକ ଔପନିବେଶିକ ଆଇନର “ଭାରତୀୟକରଣ” କରିବା କଥା କୁହାଯାଏ, ତେବେ ପ୍ରଥମେ ସେମାନେ ପୋଲିସ୍ ନାମ ପରିବର୍ତ୍ତନ କରି ନାଗରିକ ସୁରକ୍ଷା ଅଧିକାରୀ ଭାବେ ନାମିତ କରିବା ଆବଶ୍ୟକ ଥିଲା, ସେମାନଙ୍କ ବ୍ୟବହାର ଓ ପୋଷାକ ପରିବର୍ତ୍ତନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦରକାର ଥିଲା। କିନ୍ତୁ ତା’ ନକରି “ପୁରୁଣା ବୋତଲରେ ନୂଆ ମଦ” ଭଳି ଏହି ଆଇନ୍ ରେ ବ୍ୟବସ୍ଥା ରଖାଯାଇଛି ଏବଂ ଅନ୍ୟ ପକ୍ଷରେ ଏହା ପୋଲିସ୍ କୁ ଅଧିକରୁ ଅଧିକ ଦମନ କରିବା ପାଇଁ କ୍ଷମତା ପ୍ରଦାନ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

*ଡକ୍ଟର ବୀରେନ୍ଦ୍ର ନାୟକ*
ଆଲୋଚନା ଚକ୍ରର ଅନ୍ୟତମ ମୂଖ୍ୟ ଆଲୋଚକ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଗଣିତ ବିଭାଗର ପ୍ରଫେସର ଡକ୍ଟର ବୀରେନ୍ଦ୍ର ନାୟକ ଏ ପ୍ରସଙ୍ଗରେ ତାଙ୍କର ଅନୁସନ୍ଧାନ ମୂଳକ ଆଲୋଚନା ଉପସ୍ଥାପନ କରିଥିଲେ। ପୂର୍ବରୁ ଥିବା ଆଇନ୍ ଓ ବର୍ତ୍ତମାନର ଭାରତୀୟ ନ୍ୟାୟ ସଂହିତା ଆଇନକୁ ବିଶ୍ଳେଷଣ କରିଥିବା ଦେଶର କେତେକ ପ୍ରମୁଖ ଆଇନଜୀବୀ ତଥା ବିଶ୍ଳେଷକ ଯଥା ମୋହନ ଗୋପାଳ ଓ ଅନ୍ୟମାନଙ୍କ ମତ ଉଦ୍ଧାର କରି ସେ କହିଥିଲେ ଯେ ପୁରୁଣା ଆଇନରେ ୨୦-୨୫ ପ୍ରତିଶତ ପରିବର୍ତ୍ତନ ହୋଇଥିବା ବେଳେ ଭାରତୀୟ ପେନାଲ୍ କୋଡ୍ ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ କ୍ଷେତ୍ରରେ ଉଭୟ ଆଇନ୍ ମଧ୍ୟରେ ପ୍ରାୟ ୮୭ ପ୍ରତିଶତ ସାମଞ୍ଜସ୍ୟ ରହିଛି। ଯଦିଓ ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହେବା ପରେ ଦେଶର ଗୃହମନ୍ତ୍ରୀ ଅମିତ୍ ଶାହା ଆଜିଠାରୁ ଦେଶରେ ଔପନିବେଶିକ ଆଇନର ଅନ୍ତ ହୋଇ ଏକ ନିରୋଳା ଭାରତୀୟ ଆଇନ୍ ଲାଗୁହେଲା ବୋଲି ଘୋଷଣା କରିଥିଲେ, କିନ୍ତୁ ଘୋଷଣା ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ଫରକ୍ ରହିଛି ବୋଲି ତାଙ୍କ ପୂର୍ବ ଆଲୋଚକଙ୍କ ମତକୁ ଡକ୍ଟର ବୀରେନ୍ଦ୍ର ନାୟକ ସମର୍ଥନ କରିଥିଲେ। ସେ କହିଥିଲେ ଯେ ଆମେ ପାଶୋରି ଯିବା ଉଚିତ୍ ନୁହେଁ ଯେ, ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ସଂସଦରେ କହିଥିଲେ ଯେ ଦୀର୍ଘ ୪୦ ବର୍ଷ ପରେ ତାଙ୍କ ସରକାର ଏକ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିପାରିଛନ୍ତି, ଯାହା କୌଣସି ଶିକ୍ଷାବିତ୍, ଶିକ୍ଷକ, ଶିକ୍ଷକ ସଂଘ କିମ୍ବା ଛାତ୍ର ସଂଗଠନ ମାନଙ୍କ ସହ ବିଚାର ଆଲୋଚନା କିମ୍ବା ବିତର୍କ ମଧ୍ୟରେ ପ୍ରଣୀତ ହୋଇନଥିଲା, ବରଂ ୨୯ ଜୁଲାଇ, ୨୦୨୦ରେ ଏକ କ୍ୟାବିନେଟ୍ ନିଷ୍ପତ୍ତି ବଳରେ ଏହା ଲାଗୁ କରାଗଲା। ପ୍ରତ୍ୟେକ କଥାରେ ଓ ନିଷ୍ପତ୍ତିରେ “ଭାରତୀୟ” ଶବ୍ଦର ବହୁଳ ଉଚ୍ଚାରଣ କରୁଥିବା ବର୍ତ୍ତମାନର କେନ୍ଦ୍ର ସରକାର କେବଳ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସଂପର୍କିତ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ବିଚାର କରି ଏହି ଶିକ୍ଷାନୀତି ପ୍ରଣୟନ କରିଛନ୍ତି। ଏକ “ଭାରତୀୟ” ଶିକ୍ଷାନୀତି ପ୍ରଣୟନ କରିବା ପରେ ଏକ “ଭାରତୀୟ” ନ୍ୟାୟ ସଂହିତା ଜରିଆରେ ଔପନିବେଶିକ ଶାସନର ଅବସାନ ଘଟିଛି ବୋଲି ସେମାନେ ଡିଣ୍ଡିମ ପିଟି ଚାଲିଛନ୍ତି।
ତେବେ ଏ ପ୍ରସଙ୍ଗରେ ଡକ୍ଟର ନାୟକ କହିଥିଲେ ଯେ କୌଣସି ନୂତନ ନୀତି କିମ୍ବା ଆଇନ୍ ପ୍ରଣୟନ ସମୟରେ ଆମକୁ ଦେଖିବାକୁ ପଡ଼ିବ ଯେ କେଉଁ ସମୟରେ ଏହା ପ୍ରଣୟନ କରାଯାଉଛି, କାହିଁକି ବା କେଉଁ ଉଦ୍ଦେଶ୍ୟରେ ତାହା ପ୍ରଣୟନ କରାଯାଇଛି ଏବଂ କେଉଁମାନେ ତାହା ପ୍ରଣୟନ କରୁଛନ୍ତି? ଆଲୋଚନା ପ୍ରସଙ୍ଗରେ ସେ କହିଥିଲେ ଯେ ବିଡ଼ମ୍ବନାର ବିଷୟ ହେଉଛି ଯେଉଁମାନେ “ଔପନିବେଶିକ” ଶାସନର ସବୁଠାରୁ ବଡ଼ ସମର୍ଥକ, ସେମାନେ ଆଜି “ଔପନିବେଶିକ” ଶାସନର ଅବସାନ ଘଟିଲା ବୋଲି ପ୍ରଚାର କରୁଛନ୍ତି।
ଇଂରେଜ ମାନକ ଔପନିବେଶିକ ଶାସନରେ ରାଜ ଦ୍ରୋହ ଆଇନ୍ ୧୮୬୦ ମସିହାରେ ପାରିତ ହୋଇଥିଲେ ମଧ୍ୟ ୧୮୭୧ ମସିହା ପର୍ଯ୍ୟନ୍ତ ତାହା ପ୍ରୟୋଗ ହୋଇନଥିଲା । ୧୮୯୧ ମସିହାରେ ବଙ୍ଗ ଭାଷୀ ପତ୍ରିକାରେ ପ୍ରକାଶିତ ଲେଖା ବିରୋଧରେ ଏହି ଆଇନ୍ ପ୍ରଥମେ ଲାଗୁ ହୋଇଥିଲା ଏବଂ ପୁନ୍ନଶ୍ଚ ୧୮୯୭ ମସିହାରେ ବାଲ୍ ଗଙ୍ଗାଧର ତିଳକଙ୍କ ବିରୋଧରେ ଏହାର ପ୍ରୟୋଗ କରାଯାଇଥିଲା। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ୨୦୧୪ ମସିହାରେ ଏନ୍.ଡି.ଏ ସରକାର କ୍ଷମତାକୁ ଆସିବା ପରେ ଗତ ଦଶନ୍ଧି ମଧ୍ୟରେ ୧୦,୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ “ଦେଶ ଦ୍ରୋହ” ଆଇନ୍ ର ଅପପ୍ରୟୋଗ କରାଯାଇଛି। ପୁରୁଣା ରାଜ ଦ୍ରୋହ ଆଇନ୍ ଧାରା ୧୨୪(କ) କୁ ନୂଆ ଦେଶ ଦ୍ରୋହ ଆଇନ୍ ରେ ଧାରା -୧୫୨କୁ ରୁପାନ୍ତର କରାଯାଇଛି। ମୂଳ ଆଇନ୍ ରେ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ଥିବା ବେଳେ ନୂଆ ଆଇନ୍ ରେ ଏହି ସର୍ବନିମ୍ନ ସମୟସୀମାକୁ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଉ ଗୋଟିଏ ବିବାଦୀୟ ତଥା ଶାସକ ଶ୍ରେଣୀ ଦ୍ୱାରା ସର୍ବାଧିକ ଦୁରୁପଯୋଗ ହେଉଥିବା ବେଆଇନ୍ କାର୍ଯ୍ୟକଳାପ (ପ୍ରତିଷେଧକ)ଆଇନ୍ (ୟୁ.ଏ.ପି.ଏ) କୁ ନୂଆ ଆଇନର ଧାରା -୧୫୨ ମଧ୍ୟରେ ବିଲୀନ କରାଯାଇଛି, ଯାହା ଫଳରେ ଦେଶ ଦ୍ରୋହ ଆଇନ୍ ସହିତ ୟୁଏପିଏ ସଂଯୁକ୍ତ ହୋଇ ମୂଳ ରାଜ ଦ୍ରୋହ ଆଇନ୍ ଠାରୁ ଏହା ଅଧିକ ଭୟଙ୍କର ହୋଇପଡିଛି ବୋଲି ବରିଷ୍ଠ ଆଇନ୍ ବିଶେଷଜ୍ଞ ମୋହନ୍ ଗୋପାଳ ତାଙ୍କ ବିଶ୍ଳେଷଣ ମାଧ୍ୟମରେ ଦର୍ଶାଇଛନ୍ତି। ୟୁଏପିଏ ରେ ଆତଙ୍କବାଦକୁ ବ୍ୟାଖ୍ୟା କରାଯାଇଥିଲେ ମଧ୍ୟ ଆତଙ୍କବାଦକୁ ଏକ ସ୍ବତନ୍ତ୍ର ଧାରା-୧୧୩ ରେ ବ୍ୟାଖ୍ୟା କରାଯାଇଛି । ଭିଡ଼ ହିଂସାକୁ ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ସରକାର କହୁଥିବା ବେଳେ କେବଳ ଚୋର ମାନଙ୍କ କ୍ଷେତ୍ରରେ ଭିଡ ହିଂସା ଘଟୁଛି ବୋଲି ଗୃହ ମନ୍ତ୍ରୀ ତାଙ୍କ ବିବୃତିରେ ଯାହା କହିଛନ୍ତି, ତାହା ସତ୍ୟର ଅପଳାପ କହିଲେ ଅତ୍ୟୁକ୍ତି ହେବନାହିଁ ।
। ବିଜେପି ଶାସିତ ଉତ୍ତର ପ୍ରଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଅଖଲାଖ୍ ର ମୃତ୍ୟୁ ପରେ ଭିଡହିଂସା ଭଳି ବିଷୟ ଅଧିକ ଚର୍ଚ୍ଚିତ ହୋଇଥିଲା ଏବଂ ବିଭିନ୍ନ ବିଜେପି ଶାସନାଧୀନ ରାଜ୍ୟ ମାନଙ୍କରେ ତାହାର ସଂଖ୍ୟା ଅଧିକ, ଯାହା ବିଶେଷ ଭାବେ ଧର୍ମୀୟ ସଂଖ୍ୟାଲଘୁ ବିରୋଧରେ ସଂଘଟିତ ହେଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଭିଡ଼ ହିଂସା ବା ସେହିପରି ସଂଗଠିତ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଣିପୁର, ରାଜସ୍ଥାନ , ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ରାଜ୍ୟ ସରକାର ଆଇନ୍ ପ୍ରଣୟନ କରିଥିଲେ ମଧ୍ୟ ସେଗୁଡିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିପାରିନାହିଁ।
ନୂତନ ଭାରତୀୟ ନ୍ୟାୟ ସଂହିତା ରେ କିପରି ପୋଲିସକୁ ଅତ୍ୟଧିକ କ୍ଷମତା ପ୍ରଦାନ କରାଯାଇଛି ସେ ସଂପର୍କରେ ଡକ୍ଟର ନାୟକ ଆଲୋକପାତ କରିଥିଲେ। କୋୖଣସି ପ୍ରତିବାଦ କିମ୍ବା ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ଼ କିମ୍ବା ଗୁଳିଚାଳନା ପାଇଁ ପୋଲିସ୍ କୁ ନୂଆ ଆଇନ୍ ରେ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ଆବଶ୍ୟକ ନାହିଁ। କୋୖଣସି ବନ୍ଦୀ କିମ୍ବା ହାଜତରେ ଥିବା ବ୍ୟକ୍ତି ଅନଶନ କଲେ ଧାରା-୨୨୬ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ପାଇଁ ପୋଲିସକୁ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ଗୃହବନ୍ଦୀ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବା ବେଳେ ହାତକଡି ପକାଇବାକୁ ସୁନିଶ୍ଚିତ କରାଯାଇଛି ଏବଂ ଜେରା ପାଇଁ ପୋଲିସ୍ ହାଜତ୍ ମିଆଦକୁ ୯୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହି ଆଇନ୍ ରେ “ନାଗରିକ”କୁ ଗୁରୁତ୍ବ ଦିଆଯାଇଥିବାବେଳେ ଯେଉଁମାନେ “ନାଗରିକ” ପଦବାଚ୍ୟ ନୁହଁନ୍ତି ବା “ସନ୍ଦିଗ୍ଧ ନାଗରିକ” ତାଲିକାରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଜଣେ ବ୍ୟକ୍ତିର ସାର୍ବଜନୀନ ମାନବାଧିକାର ଉଲଂଘନ କରିବାର ସମସ୍ତ କ୍ଷମତା ପୋଲିସ୍ ଓ ନ୍ୟାୟାଳୟ ହାତରେ ଅର୍ପଣ କରାଯାଇଛି, ଯାହା ଆମକୁ ନାଗରିକତ୍ବ ସଂଶୋଧନ ଆଇନ୍ ର ଭୟାବହତା ସଂପର୍କରେ ସୂଚାଇଥାଏ ବୋଲି ଡକ୍ଟର ବୀରେନ୍ଦ୍ର ନାୟକ କହିଥିଲେ। ଏହି ନ୍ୟାୟ ସଂହିତା ରେ ନ୍ୟାୟ ବଦଳରେ ଦଣ୍ଡକୁ ଗୁରୁତ୍ୱ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ ଆଗେ ନ୍ୟାୟ ନା ଆଗେ ଦଣ୍ଡ? ଆଇନର ପ୍ରୟୋଗ ସମସ୍ତଙ୍କ ପାଇଁ ସମାନ୍ ନା ତାହା ସରକାରଙ୍କ ହାତରେ ଏକ ଅସ୍ତ? ଆଇନର ଶାସନ ନା ଆଇନ୍ ଦ୍ଵାରା ଶାସନ? ତେବେ ସମସ୍ତ ଦୃଷ୍ଟିରୁ ବିଚାର କଲେ ଔପନିବେଶିକ ଆଇନର ଉଚ୍ଛେଦ କଥା କହୁଥିବା ସରକାର ବାସ୍ତବରେ ତାଙ୍କର ନିଜସ୍ୱ ତତ୍ତ୍ୱାବଧାନରେ ଆହୁରି କଠୋର ଔପନିବେଶିକ ଆଇନକୁ ଲାଗୁ କରିବାକୁ ଏହି ଆଇନ୍ ପ୍ରଣୟନ କରିଛନ୍ତି ବୋଲି ଡକ୍ଟର ନାୟକ ମତପୋଷଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସଂପର୍କରେ ଦେବରଞ୍ଜନ, ସମୀର ସରକାର, ପ୍ରଫେସର ଗୋଲଖ ବିହାରୀ ନାଥ, ନରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପାତ୍ର ତପନ ପାଢୀ, ସଂଘମିତ୍ରା ଜେନା, ଗୈାରାଙ୍ଗ ମହାପାତ୍ର,ଧୀରେନ୍ଦ୍ର ପଣ୍ଡା, ସୁଭାଷ ସାହୁ ପ୍ରମୁଖ ସେମାନଙ୍କର ମତାମତ ଉପସ୍ଥାପନ କରି କହିଥିଲେ ଯେ ପୋଲିସ୍ କୁ ଅଧିକରୁ ଅଧିକ କ୍ଷମତା, ହାଜତ ମିଆଦ ବୃଦ୍ଧି, କ୍ଷମତାର ଦୁରୁପଯୋଗ, ଶାସକ ଶ୍ରେଣୀ ହାତରେ ଆଇନ୍ ଏକ ଦମନର ଅସ୍ତ୍ର ହୋଇଥିବାରୁ ନୂଆ ଭାରତୀୟ ନ୍ୟାୟ ସଂହିତା ଆଗାମୀ ଦିନରେ ଗଣତାନ୍ତ୍ରିକ ଅଧିକାର, ବ୍ୟକ୍ତି ସ୍ୱାଧୀନତା, ଭିନ୍ନମତ ଓ ମାନବାଧିକାରକୁ ଦମନ କରିବା କ୍ଷେତ୍ରରେ ବ୍ୟବହୃତ ହେବ, ଏଥିରେ ସନ୍ଦେହର ତିଳେମାତ୍ର ଅବକାଶ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ସି.ଏସ୍.ଏଫ୍.ଏଚ୍.ଆର୍. ର ଆବାହକ ଚନ୍ଦ୍ରନାଥ ଦାନୀ ଏବଂ ସଂଯୋଜକ ରଞ୍ଜିତ ସୂତାର କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କ୍ଷେତ୍ରରେ ସହଯୋଗ କରିଥିଲେ।

 

Leave A Comment

All fields marked with an asterisk (*) are required