ଛାଡ଼ଖାଇ ବଜାରର ବେପାର ୪କୋଟି ୫୫ହଜାର ଖାଇଗଲେ।
ଭୁବନେଶ୍ୱର: ମଙ୍ଗଳବାର ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବେପାର ମାନ୍ଦା ପଡ଼ିଥିଲା। ତେଣୁ ଆଜି ଅର୍ଥାତ ବୁଧବାରକୁ ଅନେଇ ବସିଛନ୍ତି ଆମିଷ ରଙ୍କୁଣା। ସାଧାରଣ ରବିବାର ଓ ବୁଧବାରରେ ଯେଭଳି ବ୍ୟବସାୟ ହୁଏ, ଆଜି ତାହା ବି ହୋଇ ନ ଥିଲା। ଛାଡ଼ଖାଇ ବଜାରର ବେପାର ଆଶା ୪କୋଟି ମାତ୍ର ୨୦-୨୫ଲକ୍ଷ ଟଙ୍କା ହୋଇଥିଲା। ଯାହା ସମୁଦ୍ରକୁ ଶଙ୍ଖେ ବୋଲି ବ୍ୟବସାୟୀମାନେ କହିଛନ୍ତି। ଆସନ୍ତାକାଲି ବୁଧବାର ଥିବାରୁ ବେପାର ଭଲ ଜମିବ ବୋଲି ବ୍ୟବସାୟୀମାନେ ଆଶାପୋଷଣ କରିଛନ୍ତି। କାଲି ସକାଳ ୬ଟାରୁ ଦୋକାନ ଖୋଲିବା ପାଇଁ ଆଜି ରାତିରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରି ଦେଇଛନ୍ତି।ସେହିଭଳି ସ୍ୱଚ୍ଛତା ରକ୍ଷା କରିବା ଓ ଗ୍ରାହକଙ୍କ ଭିଡ଼କୁ ନିୟନ୍ତ୍ରଣ କରି ସମସ୍ତଙ୍କୁ ସୁରୁଖୁରରେ ଜିନିଷ ଯୋଗାଇ ଦେବା ପାଇଁ ସମସ୍ତେ ପ୍ରସ୍ତୁତି କରିଛନ୍ତି। ଅପରପକ୍ଷେ ମଟନ ବେପାରକୁ ଦୃଷ୍ଟିରେ ରଖି ନୟାଗଡ଼ ଓ କନ୍ଧମାଳରୁ ଦେଶୀ ଖାସି ମଗାଯାଇଥିବା ବେଳେ ବିପୁଳ ପରିମାଣର ଛେଳି କୋଲକାତାରୁ ମଗାଯାଇଛି। ଯାହା ମଙ୍ଗଳବାର ରାତିସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ ବୋଲି ବ୍ୟବସାୟୀମାନେ କହିଛନ୍ତି। ରାଜଧାନୀରେ ୨୫-୩୦ ଜଣ ମଟନ୍ ଭେଣ୍ଡର୍ କୋଲକାତାର ଯଶିପୁର, ନୟାଗଡ଼ର ଦଶପଲ୍ଲା, ଗଣିଆ ଓ କନ୍ଧମାଳ ଆଦି ଅଞ୍ଚଳରୁ ଦେଶୀ ଖାସି ମଗାଇଛନ୍ତି। ସେହିଭଳି ବିଭିନ୍ନ କିସମର ଦେଢ଼ଶହ କ୍ୱିଣ୍ଟାଲ ମାଛ ବ୍ୟବସାୟୀମାନେ ମଗାଇଛନ୍ତି।ଏଥିରେ ଉତ୍ତରପ୍ରଦେଶରୁ ଖାସି ସହ ଆନ୍ଧ୍ରର ରୋହି, ଭାକୁର; ପୁଣି ପାରାଦୀପ, ବାଲେଶ୍ୱର, ବାଲୁଗାଁ ଓ ପୁରୀର ପମ୍ଫ୍ରେଟ୍, ଇଲିସି ଓ ଚାନ୍ଦି ମାଛ ବରାଦ ଦେଇଛନ୍ତି। ଛାଡ଼ଖାଇରେ ମାଛର ଚାହିଦା ବେଶି ରହିଥିବାରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏବର୍ଷ ୧୨୦ କ୍ୱିଣ୍ଟାଲ୍ ବଡ଼ ମାଛ ସହ ୩୦କ୍ୱିଣ୍ଟାଲ୍ ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ବେପାରୀମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ହୋଲ୍ସେଲ୍ଫ ଓ ରିଟେଲ୍ ମା୍ର୍କେଟକୁ ମିଶାଇ ଦେଢ଼ ହଜାରରୁ ଅଧିକ କୁକୁଡ଼ା ମାଂସ ଦୋକାନ ଥିବା ବେଳେ ୨ ହଜାର କ୍ୱିଣ୍ଟାଲ୍ରୁ ଅଧିକ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଉଛି।ଭୁବନେଶ୍ୱର ଓ ଆଖପାଖରେ ୫ଶହରୁ ଅଧିକ ମଟନ୍ ଦୋକାନ ଥିବା ବେଳେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଖାସି ମାଂସ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ଦରଦାମ୍ରେ କିଛି ପରିବର୍ତ୍ତନ ନାହିଁ। ପୂର୍ବରୁ ଯାହା ଦାମ୍ ଥିଲା, ତା’ ଅପରିବର୍ତ୍ତିତ ରହିଛି ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ଏବେ ରାଜଧାନୀର ୪ ନମ୍ୱର ହାଟ ମଧ୍ୟରେ ୨୦ଟି କୁକୁଡ଼ା ମାଂସ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହଂସପାଳ, ଓସ୍କାର ସିଟି ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛିଦିନ ତଳୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛେଳି ଅଣାଯାଇଛି! ଏନେଇ ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଆଜି ମଙ୍ଗଳବାର ଯୋଗୁଁ ଛାଡ଼ଖାଇରେ ବି ବଜାର ଖାଁ ଖାଁ ରହିଲା। ଆସନ୍ତାକାଲି ବୁଧବାର ତେଣୁ ବେପାର ଜମିବ ବୋଲି ଆଶା ଅଛି। ଗ୍ରାହକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷେ ରାଜଧାନୀର ହୋଟେଲ ଓ ରେସ୍ତୋରାଁଗୁଡ଼ିକ ବି ସ୍ୱତନ୍ତ୍ର ମେନୁ ସହ ପ୍ରସ୍ତୁତ ହୋଇଯାଇଛନ୍ତି। କେଉଁଠି ମାଟିହାଣ୍ଡି ମାଂସ, ଚିଙ୍ଗୁଡ଼ି ପୋଡ଼ା, କଙ୍କଡ଼ା ଝୋଳ ତ କେଉଁଠି ପାରମ୍ପରିକ ଛେଳିମାଂସ ଲିଭର୍ କଷା, ପାଡ୍ ଥାଇ ଫିସ୍, ମୁର୍ଗ କାଲୋଞ୍ଜି କବାବ ଆଦି ଦେଇ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଆଜିଠୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ରାଜଧାନୀର ରେସ୍ତୋଁରା ଓ ହୋଟେଲଗୁଡ଼ିକ ଏଭଳି ବିଭିନ୍ନ ପ୍ରକାର ମେନୁ ପ୍ରସ୍ତୁତ କରିଛନ୍ତି।