ଚଳନ୍ତା ଟ୍ରେନରୁ ଖସିପଡିଥିବା ଯୁବକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଲେ
ଦେବଦୂତ ସାଜିଲେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଯୁବକ
ଚଳନ୍ତା ଟ୍ରେନରୁ ଖସିପଡିଥିବା ଯୁବକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଲେ
ବେତନଟୀ: ଦେବଦୂତ ସାଜିଲେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଯୁବକ। ଚଳନ୍ତା ଟ୍ରେନରୁ ଖସିପଡ଼ୁଥିବା ଯୁବକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଲେ ସ୍ଥାନୀୟ ଯୁବକ ଜ୍ୟୋତିଲାଲ ବିଶ୍ୱାଳ। ଟ୍ରେନରୁ ଖସିପଡ଼ିବା ପରେ ରେଳଧାରଣା ମଧ୍ୟକୁ ପଶି ଯାଉଥିଲେ ଯାତ୍ରୀ ଜଣକ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଇଛନ୍ତି ଏହି ଯୁବକ।ବେତନଟୀ ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ବାରିପଦା ବାଇଗଣବାଡିଆ ଅଞ୍ଚଳର ୩୨ ବର୍ଷୀୟ ଗୁରୁଚରଣ ସିଂ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୫ଟା ସମୟରେ ବେତନଟୀ ରେଳଷ୍ଟେସନ ପ୍ଳାର୍ଟଫର୍ମରେ ଆସି ପହଞ୍ଚିଥିଲା ପହଞ୍ଚିଥିଲା ଭଞ୍ଜପୁର-ପୁରୀ ଟ୍ରେନ ନଂ ୦୮୦୧୨। ଆଉ ସେହି ଟ୍ରେନରେ ନିଜ ପତ୍ନୀଙ୍କ ସହିତ ପୁରୀରୁ ଟିକେଟ କରି ନିଜ ଗ୍ରାମକୁ ଫେରୁଥିଲେ ବାରିପଦାର ବାଇଗଣବାଡିଆ ଅଞ୍ଚଳର ୩୨ବର୍ଷୀୟ ଯୁବକ ଗୁରୁଚରଣ ସିଂ। ବେତନଟୀ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିଲେ ଓ ପୁଣି ଟ୍ରେନ ଛାଡିବାରୁ ଟ୍ରେନକୁ ଚଢ଼ି ଆସି ଗେଟ ପାଖରେ ଛିଡ଼ା ହୋଇଥିଲେ। ହେଲେ ତାଙ୍କ ସ୍ତ୍ରୀଙ୍କ କହିବାନୁଯାୟୀ ହଠାତ ତାଙ୍କ ମଥା ବୁଲାଇଦେବାରୁ ସେ ଟ୍ରେନରୁ ଖସି ପଡ଼ିଥିଲେ ଓ ସେତେବେଳକୁ ଟ୍ରେନ ପ୍ଲାଟଫର୍ମରୁ ଛାଡ଼ିବା ଆରମ୍ଭ କରିଦେଇଥିଲା। ଏହି ସମୟରେ ପ୍ଳାର୍ଟଫର୍ମରେ ମର୍ଣ୍ଣିଙ୍ଗ ୱାକ କରୁଥିବା ସ୍ଥାନୀୟ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଯୁବକ ଜ୍ୟୋତିଲାଲ ଟ୍ରାକ ମଧ୍ୟକୁ ଯୁବକ ଜଣଙ୍କ ପଶି ଯାଉଥିବା ଦେଖି ପ୍ରଥମେ ଟ୍ରେନକୁ ଛିଡ଼ା କରାଇଥିଲେ ଓ ଗୁରୁତର ଆହତ ଯୁବକ ଗୁରୁଚରଣଙ୍କୁ ଉଦ୍ଧାର କରିଥିଲେ ଓ ଏଥିରେ ସେ ନିଜେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତଥାପି ଜ୍ୟୋତିଲାଲ ଓ ସ୍ଥାନୀୟ ଲୋକ ମିଶି ଟ୍ରେନରୁ ଖସି ପଡ଼ିଥିବା ଗୁରୁତର ଆହତ ଯୁବକକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।