ବିଧାନ ସଭା ଅଧିବେଶନ ସମୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚେତାବନୀ ।
ଅଙ୍ଗନୱାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ଓ ଅନାବଶ୍ୟକୀୟ କାର୍ଯ୍ୟଭାର ପ୍ରତ୍ୟାହାର କରିବା ସହ
ଭତ୍ତା ବୃଦ୍ଧିର ପ୍ରତିଶୃତି ପୁରଣ ନକଲେ ଆଗାମୀ ୧୯ ଡ଼ିସେମ୍ବର
ବିଧାନ ସଭା ଅଧିବେଶନ ସମୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚେତାବନୀ ।
ଭୁବନେଶ୍ୱର ତା.୧୮/୧୧ : ନୂତନ ସରକାର କ୍ଷମତାକୁ ଆସିବା ପରେ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଅନାବଶ୍ୟକ ଭାବେ ଦୈନଦିନ କାର୍ଯ୍ୟଭାର ବୃଦ୍ଧି କରିଚାଲିଛନ୍ତି । ନୂତନ ପ୍ରଯୁକ୍ତି ଆଳରେ ଅନ୍ଲାଇନରେ ବିଭିନ୍ନ ଭିଡ଼ିଓ ସମ୍ବଳିତ ତଥ୍ୟ ତଥା ଅଙ୍ଗନୱାଡ଼ି କେନ୍ଦ୍ରର ଫଟୋ କ୍ୟାପସନ ସହ ଛତୁଆ ଏବଂ ଅଣ୍ଡା ପ୍ରଦାନ ବେଳର ଫଟୋ ଅପ୍ଲେଡ଼ ଇତ୍ୟାଦି କାର୍ଯ୍ୟ ବିଭିନ୍ନ ଆପ୍ ମାଧ୍ୟମରେ ଅପଲୋଡ଼ କରିବା କାର୍ଯ୍ୟ ଭାର ଲଦିଛନ୍ତି । ଫଳରେ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଏହି ଅନାବଶ୍ୟକ କାର୍ଯ୍ୟଭାର ବଢ଼ି ବଢ଼ି ଚାଲିଛି ବୋଲି ଆଜି ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାର ସମସ୍ୟା ସମାଧାନ ନକଲେ ୧୯ ଡ଼ିସେମ୍ବର ୨୦୨୪ ଠାରୁ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣାର ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ସରକାର ଦୈନିକ କାର୍ଯ୍ୟ ସମୟ ୫ଘଣ୍ଟା ସମୟ ନିର୍ଦ୍ଧାରଣ କରିଛନ୍ତି । ତନ୍ମଧ୍ୟରୁ ୩ଘଣ୍ଟା ପ୍ରାକ୍ ବିଦ୍ୟାଳୟ ଶିଶୁ କାର୍ଯ୍ୟକ୍ରମ ୧ଘଣ୍ଟା ଘରକୁ ଘର ସର୍ଭେ କାମ ଏବଂ ବାକି ରେକର୍ଡ ପତ୍ର ପ୍ରସ୍ତୁତି ପାଇଁ ୧ଘଣ୍ଟା ଧାର୍ଯ୍ୟ କରାଯାଇଛି । ସରକାରଙ୍କ ପକ୍ଷରୁ ଯେଉଁ ମୋବାଇଲ ୨୦୧୯ ମସିହା ଠାରୁ ପ୍ରଦାନ କରାଯାଇଛି ତାହା ବ୍ୟବହାର ଉପଯୋଗୀ ନୁହେଁ । ବର୍ତ୍ତମାନ ଫାଇଭ୍-ଜି ମୋବାଇଲ ଯୁଗ ଚାଲିଥିବାବେଳେ ଏଲ.ଜି କମ୍ପାନୀର ୨୦୧୦ ମଡ଼େଲ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଯୋଗାଯାଇଛି । ଯାହାର ଦୁଇ ଜିବି ରାମ ଥିବାବେଳେ ମାତ୍ର ୬୪ ଜିବିର ମେମୋରୀ ଥିବାରୁ ଏହି ମୋବାଇଲରୁ ୨/୩ ଏମ୍.ବିର ଫଟୋ ଅଥବା ଭିଡ଼ିଓ ଅପ୍ଲୋଡ଼ ସମ୍ଭବ ହେଉନାହିଁ । ଏପରିକି ଅନେକ ଗ୍ରାମରେ କୌଣସି ମୋବାଇଲ ନେଟ୍ୱାର୍କ ନାହିଁ । ସେହି ଅଞ୍ଚଳର ଅଙ୍ଗନୱାଡ଼ି କର୍ମୀମାନେ ଅନ୍ଲାଇନ୍ ଡାଟା ଅପ୍ଲୋଡ଼ କରିବା ଅସମ୍ଭବ । ଅଧିକନ୍ତୁ ରିଚାର୍ଜ ବାବଦରେ ବାର୍ଷିକ ଏକ ହଜାର ଟଙ୍କା ମିଳୁଥିବାବେଳେ ଏବେ ଅଧିକାଂଶ ନେଟ୍ୱାର୍କରେ ଦୈନିକ ଦୁଇ ଜିବି ହାରରେ ଡାଟା ସହ ଭଏସ୍ କଲ ପାଇଁ ୨୮ଦିନକୁ ସର୍ବନିମ୍ନ ୩୪୯ ଟଙ୍କା ହାରରେ ୩୬୫ଦିନ ପାଇଁ ୪୫୩୭ଟଙ୍କାରୁ ଅଧିକ ରିଚାର୍ଜ କରିବାକୁ ପଡୁଅଛି । ପ୍ରତିଦିନ ସକ୍ଷମ, ପୋଷଣ, ମମତା, ତଥ୍ୟ ଏବଂ ଅନେକ ନୂଆ ନୂଆ ପ୍ରକାରର ଆପ୍ ଡାଉନଲୋଡ଼ ସହ ନୂଆ ନୂଆ ତଥ୍ୟ ଅପ ଲୋଡ଼ କରିବା ପାଇଁ ଫର୍ମାଇସ୍ ଆସିବା ସହ ଏହାର ହାର୍ଡ କପି ଛପାଇ କାର୍ଯ୍ୟାଳୟରେ ପ୍ରଦାନ ପାଇଁ ବାଧ୍ୟ କରାଯାଉଛି । ଏଣୁ ସମସ୍ତ ତଥ୍ୟ ଅପ୍ଲୋଡ଼ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟାଳୟରେ କରାଯାଉ ଓ ଏହି ନୂତନ ଆପ୍ରେ ବିଭିନ୍ନ ତଥ୍ୟ ଅପ୍ଲୋଡ଼ ପୁରୁଣାକାଳିଆ ମୋବାଇଲରେ ଅସମ୍ଭବ ଅଟେ । ତେଣୁ ଫାଇଭ୍ ଜି ପ୍ରଯୁକ୍ତି ସହ ମୋବାଇଲ ଓ ଫାଇଭ୍ ଜି ସିମ୍ ସହ ଦୈନିକ ଦୁଇ ଜିବିରୁ ଅଧିକ ହାରର ଡାଟା ରିଚାର୍ଜର ବଜାର ମୂଲ୍ୟର ଅର୍ଥ ପ୍ରଦାନ କରାଯାଉ ।
ସେହିଭଳି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ – ଏସ.ଏନ.ପି. ଓ ଟି.ଏଚ୍.ଆର୍ ର ଦର ସଂଶୋଧନ କରାଯାଉ । ଗତ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ଅନୁସାରେ ଭତ୍ତା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ତୁରନ୍ତ ପୁରଣ ନକଲେ ୧୯ ଡ଼ିସେମ୍ବର ବିଧାନସଭା ଅଧିବେଶନ ସମୟରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣା କରାଯିବ ବୋଲି ଆଜି ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆବାହକ ତଥ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ପଶ୍ଚିମ ଓଡ଼ିଶା କର୍ମୀ ଓ ସହାୟିକା ସଂଘର ନେତ୍ରୀ ପ୍ରଭାସିନୀ ପାଢ଼ୀ, ଅଲ ଓଡ଼ିଶା ଅଙ୍ଗନୱାଡ଼ି ୱାର୍କସ୍ ଆଣ୍ଡ ହେଲପରର୍ସ ଆସୋସିଏସନର ପୁଷ୍ପା ଦାଶ, ଯୁଧିଷ୍ଠିର ମହାରଣା, ବାଳକୃଷ୍ଣ ଭୋଇ, ଜୟନ୍ତ ଦାଶ, ସୁର ଜେନା, ମନୋରଞ୍ଜନ ପରିଡ଼ା, ନର୍ମଦା ନାହାକ, କବିତା ସେଠୀ, ଜ୍ୟୋସ୍ôନାମୟୀ ସାମନ୍ତରାୟ, ସୌଦାମିନୀ ଦାଶ, ମାଣିକେଶ୍ୱରୀ ପଟ୍ଟନାୟକ, ରଞ୍ଜନା ବରାଳ, ଜୟନ୍ତୀ ମଲ୍ଲିକ, ସସ୍ମିତା ତ୍ରିପାଠୀ, ମଳୟ ମଞ୍ଜରୀ ଜେନା, ପ୍ରମିଳା ଜେନା, ପୁଷ୍ପାଞ୍ଜଳୀ ସାହୁ, ସୁଫଳା ସାହୁ, ରୁପାଲି ରୁଚିସ୍ମିତା ମିଶ୍ର ପ୍ରମୁଖ ଅଙ୍ଗନୱାଡ଼ି କର୍ମୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ ।