Search for:
  • Home/
  • ବିଜେଡି/
  • ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁଣ୍ ମାଫ୍‌

ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁଣ୍ ମାଫ୍‌

Spread the love

Loading

ବିଜେପିର ଓଡ଼ିଆ ଅସ୍ମିତା ହେଉଛି ମିଛ ନାଟକ: ବିଜେଡି
ଏଏସ୍‌ଓଙ୍କୁ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ
ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁଣ୍ ମାଫ୍‌
ନବୀନ ସରକାର ବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ଥିଲା
ମୋହନ ସରକାରରେ ଆଇନର ସଜ୍ଞା ଭିନ୍ନ
ଭୁବନେଶ୍ୱର, ୧୬/୦୭/୨୦୨୪: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ମୋହନ ସରକାରରେ ନ୍ୟାୟ ମାଗିଲାରୁ ବଦଳି ହେଲା । ରାଜଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କୁ ଯେଉଁଭଳି ଭାବେ ତରବରିଆ ବଦଳି କରାଗଲା, ଏହା ସ୍ପଷ୍ଟ ପ୍ରମାଣିତ କରୁଛି, ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କ ଆତ୍ମସମ୍ମାନଙ୍କୁ ଦଳିମକଚି ଦେବାକୁ ଠିକା ନେଇଛନ୍ତି ବିଜେପି ସରକାର । ଜଣେ ଝାଡ଼ଖଣ୍ଡ ଲୋକଙ୍କ ଦ୍ୱାରା ଓଡ଼ିଆ ଏଏସ୍‌ଓ ଅଧିକାରୀ ମାଡ଼ ଖାଇଲେ, ରକ୍ତାକ୍ତ ହେଲେ । ତାଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଲା । ଅଧିକାରୀ ଜଣଙ୍କ ନ୍ୟାୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୋଲିସ୍ ପ୍ରଶାସନ ସଭିଁଙ୍କୁ ଜଣାଇଲେ, ହେଲେ କିଛି ହେଲାନି । ଅଧିକାରୀ ଜଣଙ୍କ ଏବଂ ତାଙ୍କ ପରିବାର ଏତେ ଅସହାୟ ହୋଇଗଲେ ଯେ, ଶେଷରେ ବାଧ୍ୟ ହୋଇ ରାଜଭବନ କାର୍ଯ୍ୟରୁ ବାହାରିବାକୁ ଇଚ୍ଛା ଦେଖାଇଲେ ।
ଡକ୍ଟର ସାମନ୍ତସିଂହାର ଆହୁରି କହିଥିଲେ ଯେ, ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସେ ଯାହା ଦୋଷ କରିବେ ଖସିଯିବେ? କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛଘୁଂଚା ଦେଉଛନ୍ତି, ଏହାର ଜବାବ ସରକାରଙ୍କୁ ଦେବାକୁ ପଡ଼ିବ । ବିଜେପି ସରକାରରେ ଆଇନ ଦୁଇ ପ୍ରକାରର କି ? ସାଧାରଣ ଲୋକଙ୍କ ପାଇଁ ଆଇନ ଅଲଗା, ରାଜନୈତିକ ଲୋକଙ୍କ ପାଇଁ ଆଇନ୍ ଅଲଗା । ବିଜେଡ଼ି ସରକାର ସମୟରେ ଯିଏ ଗୁଣ୍ଡାଗିରି କରୁଥିଲେ ସେ ବିଧାୟକ ସାଂସଦ ମନ୍ତ୍ରୀ ଯିଏ ହୁଅନ୍ତୁ, କାହାକୁ ବି ନବୀନ ପଟ୍ଟନାୟକ ଛାଡ଼ିନଥିଲେ । ଆଇନ୍ ସମସ୍ତଙ୍କ ପାଇଁ ସମାନ ଥିଲା, ହେଲେ ମୋହନ ସରକାରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଦିଲ୍ଲୀରୁ ପରିଚାଳିତ ରିମୋଟ୍ ସରକାର ହାତରେ କ’ଣ ଏତିକି କ୍ଷମତା ନାହିଁ ଯେ ସେମାନେ ଆଇନ୍ ଅନୁଯାୟୀ ପଦକ୍ଷେପ ନେବେ । ସାରା ଭାରତରେ ଓଡ଼ିଶାର ଛବିକୁ ମଳିନ କରିଥିବା ଏହି ଘଟଣାକୁ ନେଇ ମୋହନ ମାଝୀ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ବର୍ତ୍ତମାନ ଓଡ଼ିଶାବାସୀ ଅସହାୟ । ଜଣେ ପୀଡ଼ିତ ପରିବାର ସମସ୍ତଙ୍କୁ ଗୁହାରି କରିଥିଲେ ବି ନ୍ୟାୟ ପାଇଲେନି । ଦୋଷ କରିଥିବା ଅଣଓଡ଼ିଆ ଲୋକ କଲର ଟେକି ବୁଲୁଛନ୍ତି । ଆଉ ପୀଡ଼ିତ ଓଡ଼ିଆ ଲୋକଙ୍କ ଅସହାୟ ଅବସ୍ଥାରେ ବଦଳି ହେଉଛି । ଏହା କ’ଣ ଓଡ଼ିଆ ଅସ୍ମିତା ? ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ।

Leave A Comment

All fields marked with an asterisk (*) are required