ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଆଲୋଚନାଚକ୍ର ଆୟୋଜିତ
ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର, ତା ୧୦/୦୩/୨୪:ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଏ ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଆଜି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ହୋଇଯାଇଛି।
ଆଜିର ଏହି ଆଲୋଚନା ଚକ୍ରରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସଭାପତି ପ୍ରଫେସର ଗୋଲଖ ବିହାରୀ ନାଥ ସଭାପତିତ୍ବ କରିଥିଲାବେଳେ ମୁଖ୍ୟବକ୍ତା ଭାବରେ ସାମ୍ବାଦିକ ମାଳିନୀ ସୁବ୍ରମଣ୍ୟମ, ପୁସ୍ତକର ସମୀକ୍ଷକ ଭାବରେ ପ୍ରଫେସର ବିଜୟ ବହିଦାର, ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ଓ ପୁସ୍ତକର ଲେଖକ ଦ୍ୱୟ ଦେବରଞ୍ଜନ ଓ ବିଶ୍ୱପ୍ରିୟ କାନୁନଗୋ ଭାଗନେଇଥିଲେ ।
ଆଲୋଚନା ଚକ୍ରରେ ପ୍ରାକ୍ ସ୍ୱାଧୀନତା ସମୟରୁ ଆଜି ଯାଏଁ ସାଧାରଣ ଜନତାଙ୍କ ସ୍ୱର ତଥା ଭିନ୍ନମତକୁ ଦମନ କରିବା ପାଇଁ ବିଭିନ୍ନ ନିବାରଣ ମୂଳକ ତଥା ଅଟକ ଓ ପ୍ରତିଷେଧକ ଆଇନ୍ ପ୍ରଣୟନର ପୃଷ୍ଠଭୂମି ସଂପର୍କରେ ଆଲୋକପାତ କରାଯାଇଥିଲା। ଯଦିଓ ସାମ୍ୟ, ମୈତ୍ରୀ ଓ ମୁକ୍ତିର ସ୍ଲୋଗାନରେ ଉଦବୁଦ୍ଧ୍ ହୋଇ ଔପନିବେଶିକ ଶାସନରୁ ମୁକ୍ତି ପାଇଁ ଭାରତର ସ୍ଵାଧୀନତା ସଂଗ୍ରାମ ଅଭିପ୍ରେତ ଥିଲା, କିନ୍ତୁ ସ୍ୱାଧୀନତା ପାଇବା ପରେ ମଧ୍ୟ ଭାରତର ଶାସକ ମାନେ ସେହି ଔପନିବେଶିକ ଶାସନର ମାନସିକତାରୁ ମୁକ୍ତ ହୋଇ ପାରିନଥିଲେ। ଫଳରେ ତଦନ୍ତାନୀନ ନବ ସ୍ୱାଧୀନ ଭାରତର ସରକାରଙ୍କ ଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସରକାର ମାନେ ବିଭିନ୍ନ ସମୟରେ ମୁକ୍ତ ବିଚାର, ଭିନ୍ନମତ, ଗଣତାନ୍ତ୍ରିକ ଅଧିକାର ତଥା ଭିନ୍ନମତକୁ ଦମନ କରିବା ପାଇଁ ବହୁ ଦମନକାରୀ ଆଇନ୍ ବିଭିନ୍ନ ସମୟରେ ପ୍ରଣୟନ କରିଚାଲିଛନ୍ତି। ଫଳରେ ଜାତୀୟ ସ୍ୱାର୍ଥ, ଜାତୀୟ ସୁରକ୍ଷା ଓ ସର୍ବସାଧାରଣଙ୍କ ଶୃଙ୍ଖଳା ନାଁ ରେ ଯେତେ ସବୁ ନିବାରଣ ମୂଳକ ଆଇନ୍ ଓ ସ୍ୱତନ୍ତ୍ର ଫୌଜଦାରୀ ଆଇନ୍ ପ୍ରଣୟନ କରାଗଲା, ଦେଶର ଆଦିବାସୀ, ଦଳିତ, ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ସେହି ଦମନର ସର୍ବାଧିକ ଶିକାର ହୋଇଚାଲିଛନ୍ତି ।
ସାଲୱାଜୁଡୁମ୍ ଠାରୁ ଅପରେସନ୍ ଗ୍ରୀନହଣ୍ଟ୍ ଓ ୟୁ.ଏ.ପି.ଏ., ସ୍ୱତନ୍ତ୍ର ବଳ ବିଶେଷାଧିକାର ଆଇନ୍ (ଆଫସ୍ପା), ପୋଟା, ଟାଡା, ମିସା, ଏସମା ଭଳି ଜନବିରୋଧୀ ଆଇନ୍ ଗୁଡ଼ିକ ଯୋଗୁଁ ଛତିଶଗଡ଼, ଓଡ଼ିଶା, ପଶ୍ଚିମ ବଙ୍ଗ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହର ଆଦିବାସୀ ମାନେ ସର୍ବାଧିକ ଶୋଷିତ ଓ ନିର୍ଯ୍ୟାତିତ ହୋଇଚାଲିଛନ୍ତି। ସେହିପରି ଏହି ଆଇନ୍ ଗୁଡ଼ିକର ପ୍ରୟୋଗ ଦ୍ଵାରା ଗୁଜୁରାଟ, ଉତ୍ତର ପ୍ରଦେଶ, ଜାମ୍ମୁ କାଶ୍ମୀର, ଦିଲ୍ଲୀ, ଆସାମ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ସବୁଠାରୁ ନିର୍ଯ୍ୟାତିତ ହୋଇ ମିଛ ମକଦ୍ଦମାରେ ଗିରଫ୍, ଦଣ୍ଡିତ ହେଉଥିବା ବେଳେ ମିଛ ଏନକାଉଁଣ୍ଟର୍ ଦ୍ଵାରା ହତ୍ୟାର ଶିକାର ହେଉଛନ୍ତି। ଅନୁରୂପ ଭାବେ ବିକାଶ ନାମରେ ବିନାଶ ନୀତିକୁ ବିରୋଧ କରୁଥିବା ,ଭିନ୍ନମତ ପୋଷଣ କରୁଥିବା ରାଜନୈତିକ, ମାନବାଧିକାର ଓ ସାମାଜିକ କର୍ମୀମାନଙ୍କୁ ବିକାଶ ବିରୋଧୀ, ଦେଶଦ୍ରୋହୀ, ସହରୀ ନକ୍ସଲ ନାମରେ ଏହିସବୁ ଜନବିରୋଧୀ ଆଇନ୍ ଗୁଡ଼ିକ ମାଧ୍ୟମରେ ଟାର୍ଗେଟ୍ କରାଯାଉଛି ଏବଂ ମାନବାଧିକାର ର ବ୍ୟାପକ ଉଲଂଘନ କରାଯାଉଛି ବୋଲି ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏ ପ୍ରସଙ୍ଗରେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ସାଲୱାଜୁଡୁମ୍ ଓ ନକ୍ସଲ ଦମନ ନାମରେ କିପରି ସାଧାରଣ ଆଦିବାସୀ ସଂପ୍ରଦାୟର ଯୁବକଯୁବତୀ ମାନେ ଜେଲରେ ବର୍ଷ ବର୍ଷ ସଢ଼ୁଛନ୍ତି ଓ ବିଶେଷ କରି ମହିଳା ଏବଂ ଶିଶୁ ମାନେ କିପରି ଅକଥନୀୟ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ତଥା ପ୍ରାୟୋଜିତ ଏନକାଉଁଣ୍ଟର୍ ନାମରେ କିପରି ସେମାନଙ୍କୁ ହତ୍ୟା କରାଯାଉଛି, ସେ ସଂପର୍କରେ ମୁଖ୍ୟବକ୍ତା ମାଳିନୀ ସୁବ୍ରମଣ୍ୟମ ତାଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉପସ୍ଥାପନ କରିଥିଲେ।
ଏ ସଂପର୍କରେ ଏକ ବ୍ୟାପକ ଜନସଚେତନତା ଓ ଜନ ଆନ୍ଦୋଳନ ମାଧ୍ୟମରେ ଏହି ଦମନ ମୂଳକ ଜନବିରୋଧୀ ଆଇନ ଗୁଡିକର ବିଲୋପ ସାଧନ ହୋଇପାରିବ ବୋଲି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତପନ ପାଢୀ, ରାଧାକାନ୍ତ ସେଠି, ରୁକ୍ମିଣୀ ପଣ୍ଡା, ପ୍ରତିମା ଦାସ, ବାଣୀତପା ନାଥ, ରଞ୍ଜନା ପାଢ଼ୀ, ନରେନ୍ଦ୍ର ମହାନ୍ତି ପ୍ରମୁଖ ସେମାନଙ୍କର ମତାମତ ଉପସ୍ଥାପନ କରିଥିବାବେଳେ ସଂଗଠନ ପକ୍ଷରୁ ସମୀର ସରକାର ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଆଲୋଚନା ଚକ୍ର ତଥା ପୁସ୍ତକ ଉନ୍ମୋଚନ ସଭାରେ ବହୁ ମାନବାଧିକାର ତଥା ଗଣତାନ୍ତ୍ରିକ ଗଣ ସଂଗଠନର କର୍ମୀ, ରାଜନୈତିକ କର୍ମୀ, ଆଇନଜୀବୀ, ସାମ୍ବାଦିକ, ସାମାଜିକ କର୍ମୀ ଓ ଜନ ଆନ୍ଦୋଳନର କର୍ମୀ ମାନେ ଯୋଗ ଦେଇଥିଲେ।