ବାରୁଦ ସହିତ ମାରଣାସ୍ତ୍ର ଜବତ।
ଶିମିଳିପାଳରୁ ଦୁଇ ଶିକାରୀ ଗିରଫ, ବାରୁଦ ସହିତ ମାରଣାସ୍ତ୍ର ଜବତ
ଭୁବନେଶ୍ୱର:ବାରିପଦା: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଜଣ ଶିକାରୀ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି। ଏଥି ସହିତ ତାଙ୍କ ନିକଟରୁ ଶିକାର ନିମନ୍ତେ ବ୍ୟବହୃତ ମାରଣାସ୍ତ୍ର ସରଞ୍ଜାମ ଜବତ ହୋଇଛି। ସୂଚନା ଅନୁଯାୟୀ, ଶିମିଳିପାଳ ସତନ୍ତ୍ର ବ୍ୟାଘ୍ର ସୁରକ୍ଷା ଫୋର୍ସ (ଏସଟିପିଏଫ)କୁ
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀ ପ୍ରବେଶ କରିଥିବାର ନେଇ ଖବର ମିଳିଥିଲା। ଏନେଇ ଫୋର୍ସ ପେଟ୍ରୋଲିଂ କରି ଦକ୍ଷିଣ ଡିଭିଜନ ଅନ୍ତର୍ଗତ ଜେନାବିଲ ରେଞ୍ଜ ଅଞ୍ଚଳରେ ୪ଜଣ ଶିକାରୀଙ୍କୁ ଦେଖିଥିଲେ। ତେବେ ଫୋର୍ସକୁ ଦେଖି ଦୁଇ ଜଣ ବନ୍ଧୁକଧାରୀ ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ବୁଗଧା ଗ୍ରାମ ପଞ୍ଚାୟତର କାଦମଡା ଗ୍ରାମର ଜଗବନ୍ଧୁ ସିଂ ଓରଫ ମୋହନ(୬୦) ଏବଂ ଅଙ୍ଗାରପଦା ଗ୍ରାମ ଲବନ ସାହିର ବାବୁ ମୁର୍ମୁ ଓରଫ ବାଦୁ(୨୫)। ତାଙ୍କ ନିକଟରୁ ୪୦ଗ୍ରାମ ବାରୁଦ, ଗୋଟେ ୧୪୧ସେମିର ବନ୍ଧୁକର ଲୁହା ଗଜ, ଗୋଟିଏ କଟୁରି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏନେଇ ଜେନାବିଲ ରେଞ୍ଜରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଦକ୍ଷିଣ ଡିଭିଜନ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି।