Search for:
  • Home/
  • ରାଜ୍ୟ/
  • ବ୍ୟାଙ୍କ ଗୁଡ଼ିକ କୃଷି ଋଣ ପ୍ରଦାନ ସମ୍ପର୍କରେ ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ପ୍ରଶ୍ନ

ବ୍ୟାଙ୍କ ଗୁଡ଼ିକ କୃଷି ଋଣ ପ୍ରଦାନ ସମ୍ପର୍କରେ ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ପ୍ରଶ୍ନ

Spread the love

Loading

ଭୁବନେଶ୍ବର : ଅର୍ଥନୀତି ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କ ଗୁଡ଼ିକ କୃଷି ଋଣ ପ୍ରଦାନ ସମ୍ପର୍କରେ ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧି ଉପରେ ପରିବେଶ ପ୍ରଦୂଷଣର ପ୍ରଭାବକୁ ନେଇ ୨୦୨୩ ଅର୍ଥନୈତିକ ସର୍ଭେରେ କି ରିପୋର୍ଟ ଆସିଛି ଏବଂ କେନ୍ଦ୍ର ସରକାର ସବୁଜ ଜିଡିପି ଓ ସବୁଜ ବଜେଟ ପ୍ରସ୍ତୁତ କରିବା ନେଇ କି ପଦକ୍ଷେପ ନେଉଛନ୍ତି ବୋଲି ଆଜି ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଉଦ୍ଦେଶରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ଶ୍ରୀ ମଙ୍ଗରାଜଙ୍କ ସହିତ ବିଜେଡି ସାଂସଦ ସୁଜିତ କୁମାର ଓ ମୁଜିବୁଲ୍ଲା ଖାନ ମଧ୍ୟ ସମାନ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ଦାବି କରିଛନ୍ତି ।

ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରତିବର୍ଷ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ରିପୋର୍ଟ ଉପସ୍ଥାପନ କରିଥାଏ । ଅର୍ଥନୈତିକ ଅଭିବୃଦ୍ଧି ସହ ବିଭିନ୍ନ କ୍ଷେତ୍ର ବିଶେଷ କରି କୃଷି, ଶିଳ୍ପ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ମଧ୍ୟ ରିପୋର୍ଟ ଦେଇଥାଏ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପଡୁଥିବା ପ୍ରଭାବର ମଧ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ସମୀକ୍ଷା କରିଥାଏ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ମନ୍ତ୍ରଣାଳୟ ୨୦୧୮ରେ ଏନଭାଇରନମେଣ୍ଟ ଇକୋନୋମିକ ଆକାଉଣ୍ଟିଂ ଫ୍ରେମୱାର୍କ ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ଏକ ପ୍ରଶ୍ନରେ ଶ୍ରୀ ମଙ୍ଗରାଜଙ୍କ ସମେତ ମୁଜିବୁଲ୍ଲା ଖାନ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ଓ ସଠିକ ସମୟରେ କୃଷି ଋଣ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ହାର ବୃଦ୍ଧି ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେନେଇ ବିଜେଡିର ଦୁଇ ସାଂସଦ ପ୍ରଶ୍ନ କରିଛନ୍ତି ।ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରଡ କହିଛନ୍ତି ଯେ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ ହାର ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୩ ସେପ୍ଟେମ୍ୱର ସୁଦ୍ଧା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ୫୨.୨୬ ପ୍ରତିଶତ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ୫୪.୨୩ ପ୍ରତିଶତ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୫୩.୫୩ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ମଧ୍ୟ ଋଣ ପ୍ରଦାନ ହାର ବିଶେଷ କରି ଫସଲ ଋଣ ହାର ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ୫୬.୩ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required