ନଦୀ ପାଇଁ ଚିନ୍ତନ ସଭା ଅନୁଷ୍ଠିତ
ନଦୀ ପାଇଁ ଚିନ୍ତନ ସଭା ଅନୁଷ୍ଠିତ
* ଟ୍ରିବୁନାଲ ବାହାରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ହେଉ l
* ଓଡ଼ିଶା ପାଇଁ ଏକ ନଦୀ ନୀତି ପ୍ରସ୍ତୁତ ହେଉ l
* ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ନଦୀ ମିଶନ ଗଠିତ ହେଉ l
* ରାଜ୍ୟର ମୁଖ୍ୟ ନଦୀ, ଉପ ଓ ଶାଖା ନଦୀ ଗୁଡ଼ିକର ଗଣନା କରି ଏକ ସାରଣୀ ପ୍ରସ୍ତୁତ ହେଉ l
ଭୁବନେଶ୍ୱର ତା ୨୨ l ୬ l ଆଜି ଭୁବନେଶ୍ୱର ଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ନଦୀର ସୁରକ୍ଷା ଓ ପୁନରୁଦ୍ଧାର ଶୀର୍ଷକ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ବିଭିନ୍ନ ନଦୀ ର ସୁରକ୍ଷା ପାଇଁ ଆନ୍ଦୋଳନ ରତ ବ୍ୟକ୍ତି ବିଶେଷ ଯୋଗ ଦେଇ ସଂପ୍ରତି ମହାନଦୀ ଜଳ ବିବାଦ ଓ ରାଜ୍ୟର ଅନ୍ୟାନ୍ୟ ନଦୀ ଗୁଡ଼ିକର ଦୟନୀୟ ଅବସ୍ଥା କୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଅନେକ ଗୁରୁତ୍ୱପର୍ଣ୍ଣ ନିଷ୍ପତି ନେଇଛନ୍ତି l
ମହାନଦୀ ଜଳ ବିବାଦର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟା ବା ଟ୍ରିବୁନାଲ ର ପରିଧି ବାହାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ନେବାକୁ ଦାବି କରା ଯାଇଛି l ଏବେ କେନ୍ଦ୍ର , ଛତିଶଗଡ଼ ଓ ଓଡ଼ିଶାରେ ସମାନ ସରକାର କ୍ଷମତାରେ ଅଛି l ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ସହଜ ହେବ ବୋଲି ମତ ପ୍ରକାଶ ପାଇଛି l ଏଥି ପାଇଁ ଓଡ଼ିଶାର ଜଳ ସମ୍ପଦ ବିଭାଗ ର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ସଂପ୍ରତି ଓଡ଼ିଶାର ନଦୀ ଗୁଡ଼ିକର ସ୍ବାସ୍ଥ୍ୟ ଭଲ ନାହିଁ l ଅନେକ ଛୋଟ ଛୋଟ ନଦୀ ଗୁଡ଼ିକ ମାରିଯିବାକୁ ବସିଲାଣି l ଅନେକ ବଡ଼ ନଦୀ ଗୁଡ଼ିକ ର ପାଣି ବହୁଳ ଭାବରେ ପ୍ରଦୂଷିତ l ନଦୀ ଗୁଡ଼ିକ ଶୋଷଣ, ଅତିକ୍ରମଣ ଓ ପ୍ରଦୂଷଣ ର ଶିକାର ହୋଇ ସେମାନଙ୍କର ଅସ୍ତିତ୍ବ ହରାଇବାକୁ ବସିଲେଣି l ତେଣୁ ସରକାର ତୁରନ୍ତ ଏକ ନଦୀ ନୀତି ପ୍ରସ୍ତୁତ କରିବା ସହିତ ଏହି ନୀତି ର କାର୍ଯ୍ୟକାରିତା ପାଇଁ ଏକ ନଦୀ ମିଶନ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ପାରିତ କରାଯାଇଛି l ଓଡ଼ିଶା ନଦୀ ନାଳ ତଥା ଅନେକ ଜଳାଶୟ ରେ ବିଭୂଷିତ l ରାଜ୍ୟର ଜଳ ସମ୍ପଦ କୁ ଏହା ସମୃଦ୍ଧ କରିଥାଏ l ମାତ୍ର ରାଜ୍ୟରେ ୧୧ ଟି ପ୍ରମୁଖ ନଦୀ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଶାଖା, ପ୍ରଶାଖା ଓ ଉପନଦୀ ଗୁଡ଼ିକର ହିସାବ ବା ତାଲିକା ସରକାରଙ୍କ ପାଖରେ ନାହିଁ l ତେଣୁ ରାଜ୍ୟ ପାଇଁ ଏକ ନଦୀ ସାରଣୀ ପ୍ରସ୍ତୁତ ପାଇଁ ମଧ୍ୟ ଆଜିର ଚିନ୍ତନ ବୈଠକ ପ୍ରସ୍ତାବ ପାରିତ ହେବା ସହ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ଏହି ଦାବି ଗୁଡ଼ିକ ସହିତ ନଦୀ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଖର କରିବା ପାଇଁ ଏକ ୧୭ ଜଣିଆ କମିଟି ଗଠିତ ହୋଇଛି l ଆସନ୍ତା ଜୁଲାଇ ୧୩ ତାରିଖରେ ଏହାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ l ତା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ଠାରେ ମହାନଦୀ ଯାତ୍ରା/ ୱାକ ଆୟୋଜନ ହେବ l ଅନୁରୂପ ଭାବରେ ଦୟା, ବୈତରଣୀ, ସୁନା, କରୋ, ସାଳନ୍ଦୀ , ଗଙ୍ଗୁଆ ନଦୀ ଯାତ୍ରା ବା ରିଭର ୱାକ୍ ମଧ୍ୟ ଆୟୋଜିତ ହେବ l
ବୈତରଣୀ ନଦୀ ଉପରେ ନିର୍ମିତ କାନପୁର ନଦୀ ବନ୍ଧ ର ପାଣି କେବଳ ଚାଷୀ ମାନଙ୍କ ପାଇଁ ବ୍ୟବହାର ସହିତ ବୈତରଣୀ ନଦୀ ର ପାଣିକୁ ପାଇପ ଯୋଗେ ଲୁହା ଗୁଣ୍ଡ ପରିବହନ ପାଇଁ ବ୍ୟବହାର ନକରିବାକୁ ମଧ୍ୟ ଆଜି ବୈଠକ ରେ ଦାବି କରାଯାଇଛି l
ଆଜିର ଏହି ବୈଠକରେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ମାନଦ ଅଧିକାର ପ୍ରବକ୍ତା ମନୋଜ ଜେନା, ଆଇନଜୀବୀ ଶଙ୍କର ପାଣି, ଜାତୀୟ ଯୁବ ପ୍ରକଳ୍ପ ର ଆବାହକ ମଧୁ ଭାଇ, କୁଶଭଦ୍ରା ଆନ୍ଦୋଳନ ର ଆବାହକ ନିରଦ ବରଣ ଖୁଣ୍ଟିଆ, ଦୟା ଆନ୍ଦୋଳନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବୈତରଣୀ ଆନ୍ଦୋଳନ ର ବିପ୍ଳବ ମିଶ୍ର, ଅଶୋକ ଥାକର, ଗଣେଶ ପାତ୍ର, ଦିଲୁ ସ୍ବାମୀ ସାଳନ୍ଦୀ ଆନ୍ଦୋଳନ ର ଆବାହକ ପ୍ରତାପ ପାଢ଼ୀ, ଗାଙ୍ଗୁଆ ଆନ୍ଦୋଳନର ଡ ପ୍ରଦୀପ ତରାଇ, ଧନୁଆ ନଦୀ ଆନ୍ଦୋଳନର ଦେବରାୟ ସାହୁ, ରାଜକିଶୋର ପରିଡ଼ା, ପ୍ରଶାନ୍ତ ସାମନ୍ତରାୟ, ବସନ୍ତ କୁମାର ଜେନା, ଉତ୍ପଳ କୁମାର ଦାସ, ସର୍ବେଶ୍ଵର ପଣ୍ଡା ପ୍ରମୁଖ ନଦୀ ଆନ୍ଦୋଳନକାରୀ ମାନେ ଯୋଗ ଦେଇଥିଲେ l
ମହାନଦୀ ବଞ୍ଚାଅ ଆନ୍ଦୋଳନ ର ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ଓ ଯୁଗ୍ମ ସଂଯୋଜକ ଶ୍ରୀ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l