ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ
ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପୁସ୍ତକ ‘ମୋ ଜୀବନ ମୋ ପୁସ୍ତକ’ ଶୁକ୍ରବାର ଉନ୍ମୋଚିତ ହୋଇଛି। ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଅତନୁଙ୍କ ଏହି ପୁସ୍ତକ ସ୍ମୃତିର ସମାହାର। ଜୀବନର ଅଙ୍ଗେନିଭା କଥା ଏବଂ ସାମ୍ବାଦିକରୁ ରାଜନେତା ହେବାର ଅନୁଭୂତିକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି। ଉଭୟ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ନିଖୁଣ ଭାବେ ଉଲ୍ଲେଖ କରିଛନ୍ତି। ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନର ଅନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ। କାରଣ ଏଥିରୁ ନୀତି ନିର୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ୍ ସୂଚନା ମିଳିଥାଏ। ଜଣେ ସାମ୍ୱାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ପୁସ୍ତକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦନା ନିର୍ଦ୍ଦେଶକ ପ୍ରଭୁ ଚାୱଲା ଯୋଗଦେଇ କହିଛନ୍ତି, ବହି ଲେଖିବା ବେଳେ ନେତାମାନେ ସତ କମ ଲେଖନ୍ତି; ମିଛକୁ ଲୁଚାଇ ଦିଅନ୍ତି। ହେଲେ ଲେଖକ ଏହାଠାରୁ ଊର୍ଦ୍ଧ୍ବରେ ରହି ଜୀବନରେ ଦେଖିଥିବା ଘଟଣାବଳୀକୁ ବର୍ଣ୍ଣନା କରିପାରିଛନ୍ତି। ଏହି ବହିରେ ଓଡ଼ିଶା ବିକାଶର ପ୍ରତିଫଳିତ ଉଜ୍ଜ୍ବଳ ଚିତ୍ର ଆଗାମୀପିଢ଼ିଙ୍କୁ ମାର୍ଗଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଲେଖକ ଅତନୁ ସବ୍ୟସାଚୀ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି, ପୁସ୍ତକଟି କୌଣସି ଆତ୍ମଜୀବନୀ ନୁହେଁ; ଜୀବନ କାଳ ମଧ୍ୟରେ ମନକୁ ଛୁଇଁଁଥିବା କିଛି ପ୍ରସଙ୍ଗ ରହିଛି। ପ୍ରଭାବିତ କରିଥିବା ବ୍ୟକ୍ତି, ପଥ ପ୍ରଦର୍ଶନ କରିଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ ଉଲ୍ଲେଖ କରିଥିବା କହିଛନ୍ତି। ଓଡ଼ିଶାର ବିକାଶ ପାଇଁ ପ୍ରୟାସ କରିଥିବା ନେତୃତ୍ୱଙ୍କ ବିଷୟରେ ଲେଖିଛନ୍ତି। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସଭାପତିତ୍ୱ କରି ଅତିଥି ଓ ଲେଖକଙ୍କ ପରିଚୟ ସହ ପୁସ୍ତକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
:ନବୀନଙ୍କ ପୋଷାକ ପୂର୍ବପରି ସ୍ୱଚ୍ଛ ରହିଛି: ପ୍ରଭୁ ଚାୱଲା;
କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସଂଶା କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦନା ନିର୍ଦ୍ଦେଶକ ପ୍ରଭୁ ଚାୱଲା। ନବୀନଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇନି। ହେଲେ ତାଙ୍କ ଅନବରତ ଉଦ୍ୟମ ଓଡ଼ିଶାକୁ ପରିବର୍ତ୍ତନ କରିଛି। ତାଙ୍କର କାର୍ଯ୍ୟଧାରା ଓ ବିକାଶ ମଡେଲ ଦେଶ ଓ ବିଶ୍ୱରେ ସ୍ୱତନ୍ତ୍ର ପରିଚିତି ପାଇପାରିଛି ବୋଲି ସେ କହିଛନ୍ତି। ୧୯୯୭ ମସିହାରେ ନବୀନ ପଟ୍ଟନାୟକ ଜଣେ ତରୁଣ ରାଜନେତା ଭାବେ ରାଜନୀତିରେ ପଦାର୍ପଣ କରିଥିଲେ। ସେତେବେଳେ ପିନ୍ଧୁଥିବା କୁର୍ତ୍ତା ପାଇଜାମା ଓ ଚପଲ ଆଜି ବି ବ୍ୟବହାର କରୁଛନ୍ତି। ଆଚରଣ ଓ ଉଚ୍ଚାରଣରେ କୌଣସି ପରିବର୍ତ୍ତନ ହୋଇନି। ତାଙ୍କ ଧଳା ପୋଷାକ ପୂର୍ବପରି ସ୍ୱଚ୍ଛ ରହିଛି। ଏହା ତାଙ୍କ ନିରାଡ଼ମ୍ବର ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଶ୍ରୀ ଚାୱଲା କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦେଶ ଓ ବିଶ୍ୱରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅର୍ଥନୈତିକ ଅଭିବୃଦ୍ଧି ପରି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ବିଭିନ୍ନ ସୂଚକାଙ୍କରେ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ିଥିବା ଶ୍ରୀ ଚାୱଲା କହିଛନ୍ତି।