ଡ. ବି. ଆର ଆମ୍ବେଦକର ସମାଜର ଆଲୋକ ବର୍ତିକା ଥିଲେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ
ଡ. ବି. ଆର ଆମ୍ବେଦକର ସମାଜର ଆଲୋକ ବର୍ତିକା ଥିଲେ
ପିସିସି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ
ଭୁବନେଶ୍ୱର ତା. ୧୪.୪- ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ସ୍ୱର୍ଗତ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ପିସିସି ଅନୁସୂଚୀତ ଜାତି ବିଭାଗର ଶ୍ରୀ ବାଙ୍କନିଧି ବେହେରା ପରିଚାଳନା କରିଥିଲେ । ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ ଭାରତୀୟ ସମ୍ବିଧାନର ରଚୟିତା ଡ. ଭୀମରାଓ ଆମ୍ବେଦକରଙ୍କର ସଂଘର୍ଷମୟ ଜୀବନ କଥା ଓ ଜୀବନ ଦର୍ଶନ ରାଜନୀତି ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟକରୁଥିବା ସମସ୍ତଙ୍କ ପାଇଁ ପାଥେୟ । ମହିଳାମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାବଲମ୍ବନ ଏବଂ ଅର୍ଥନୈତିକ ଉନ୍ନତିପାଇଁ ଆମ୍ବେଦକରଜୀ ଅଧିକ ଗୁରୁତ୍ୱ ଦେଉଥିଲେ । ଆଜି ଓଡ଼ିଶାରେ ମହିଳା ଉପେକ୍ଷିତା, ଅତ୍ୟାଚାରିତା ଓ ଦୁଷ୍କର୍ମପୀଡ଼ିତା । ୬୪ ହଜାର ମହିଳା ନିଖୋଜ । ପ୍ରଦେଶ କଂଗ୍ରେସର ନାରୀନ୍ୟାୟ ଆନ୍ଦୋଳନ ଆମ୍ବେଦକରଙ୍କ ଦିଗଦର୍ଶନ, ଉପଦେଶ ଏବଂ ନୀତିର ପ୍ରେରଣାରେ ଜାରି ରହିଛି ଏବଂ ଏହା ଜନ ଆନ୍ଦୋଳନରେ ପରିଣତ ହେବ । ଆମ୍ବେଦକର ସମସ୍ତ ଭାରତୀୟ ଶିକ୍ଷିତ ହେବାପାଇଁ ସ୍ୱପ୍ନ ଦେଖୁଥିଲେ । ଅଶିକ୍ଷା, ଧର୍ମାନ୍ଧତା ଆଡ଼କୁ ଟାଣିନିଏ ଯାହା ଭାରତର ଧର୍ମ ନିରପେକ୍ଷତା ଓ ଏକତା ପ୍ରତି ବିପଦ ସୃଷ୍ଟି କରେ । ଶ୍ରୀ ଦାସ କହିଲେ ଯେ ସବୁ ଧର୍ମର ଦିଗ ଗୋଟିଏ । ମାତ୍ର ଆଜି ଗୈରିକ ସଂଗଠନମାନେ ଧର୍ମନାମରେ ଭାରତକୁ ଭାଗ ଭାଗ କରିବାପାଇଁ ଷଡଯନ୍ତ୍ର କରୁଛନ୍ତି, ଧର୍ମ ନାମରେ ଶୋଷଣ କରାଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ନିରପେକ୍ଷ ରହିବାକୁ ଦିଆଯାଉ ନାହିଁ । ଗଣତନ୍ତ୍ରକୁ ଦୁର୍ବଳ କରିଦିଆଯାଉଛି । ଆମ୍ବେଦକରଙ୍କ ରଚିତ ସମ୍ବିଧାନ ଭାରତୀୟ ମାନଙ୍କୁ ସ୍ୱାଧୀନଭାବେ ଏବଂ ନିର୍ଭୟରେ ବଂଚିବାପାଇଁ ଅଧିକାର ଦେଇଛି । ଆମ୍ବେଦକର ପେଟକୁ ପାଣି ଓ କ୍ଷେତକୁ ପାଣିର ବ୍ୟବସ୍ଥା ପାଇଁ ଓଡ଼ିଶାରେ ହୀରାକୁଦ ଡ୍ୟାମ ଓ ଭାରତରେ ଅନେକ ନଦୀବନ୍ଧ ଯୋଜନାର ରୂପରେଖ କରିଥିଲେ । ଦେଶର ଅର୍ଥନୀତି, ଶିକ୍ଷାବ୍ୟବସ୍ଥା, କୃଷି, ବ୍ୟାଙ୍କ ଓ ଇନସ୍ୟୁରାନ୍ସ ପ୍ରଭୃତି ବ୍ୟବସ୍ଥା ସମ୍ପର୍କରେ ସେ ନିର୍ଦ୍ଦିଷ୍ଟ ଦିଗଦର୍ଶନ ଦେଇଥିଲେ । ଉପେକ୍ଷିତ, ଅତ୍ୟାଚାରିତ, ଅବହେଳିତ ଓ ପୀଡ଼ିତ ଜନତାଙ୍କର ସେ ପ୍ରେରଣା । ଆମ୍ବେଦକରଙ୍କ ସ୍ୱପ୍ନ ୧୦ ପ୍ରତିଶତ ବି ସାକାର ହୋଇପାରି ନାହିଁ । ଏବେବି ଜାତି, ଧର୍ମ, ବର୍ଣ୍ଣର ବ୍ୟାଧିରେ ସମାଜ ବ୍ୟାଧିଗ୍ରସ୍ତ । ଜାତୀୟ ଶିକ୍ଷାନୀତି-୨୦୨୦ ଆମ୍ବେଦକରଙ୍କ ବିଚାରଧାରାର ପରିପନ୍ଥି । ଏହା ଭାରତର ସାଧାରଣ ଜନତାଙ୍କ ପାଇଁ ନୁହେଁ ଆରଏସଏସ ଏବଂ ଭାରତୀୟ ଜନତାପାର୍ଟିର ମନମୁଖୀ ନୀତିରେ ପ୍ରସ୍ତୁତ । ବିଜେପି ଏବଂ ଆରଏସଏସ ଓ ମୋଦି ସରକାର ପ୍ରତିଦିନ ସମ୍ବିଧାନକୁ ଆକ୍ରମଣ କରୁଛି । ଯାହା ଆମ୍ବେଦକରଙ୍କ ପ୍ରତି ଅପମାନ । ସମ୍ବିଧାନ ଦୁର୍ବଳ ହେଲେ ଦେଶ ଦୁର୍ବଳ ହେଲେ ଏବଂ ସାଧାରଣ ନାଗରିକ ଅସହାୟ ହୋଇପଡ଼ିବେ । ସମ୍ବିଧାନକୁ ସୁରକ୍ଷିତ ଓ ସଶକ୍ତ କରିବା ଦାୟିତ୍ୱ ହିଁ ଆମର । ଏଥିପାଇଁ ହୃଦୟ ଭିତରେ ଆମ୍ବେଦକରଙ୍କ ପ୍ରତି ସମର୍ପଣ ଭାବ ଆସିବା ଦରକାର । ଏକ ସରକାର ଗଢ଼ିବା ସହଜ କିନ୍ତୁ ଏକ କ୍ରାନ୍ତି ଆଣିବା ଅସହଜ । କ୍ରାନ୍ତିରେ ସାଧାରଣ ଜନତାଙ୍କ ପରିବର୍ତନ ଆସିଥାଏ ସରକାରରେ ନୁହେଁ । ଯାହାକି ଆମ୍ବେଦକରଙ୍କ ପ୍ରମୁଖ ବିଚାରଧାରା । ଓଡ଼ିଶାରେ ଆମ୍ବେଦକରଙ୍କ ବିଚାରଧାରାକୁ ନେଇ ବିପ୍ଳବ ହେବ ଯାହାକି ଜନନାୟକ ରାହୁଲ ଗାନ୍ଧୀଙ୍କର ସଂକଳ୍ପ ଓ ଦିଗଦର୍ଶନ । ସେହି କ୍ରାନ୍ତି ମାଧ୍ୟମରେ ଓଡ଼ିଶାର ମହିଳା ନ୍ୟାୟ ପାଇବେ, ବେକାର ଯୁବକ କର୍ମସଂସ୍ଥାନ ପାଇବେ, ଦଳିତ, ଆଦିବାସୀ, ପଛୁଆବର୍ଗ ଓ ଗରିବ ଲୋକ ସେମାନଙ୍କର ଅଧିକାର ପ୍ରାପ୍ତ ହେବେ । ସୁତରାଂ ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନର ଧ୍ୱନୀ ପୁରପଲ୍ଲୀରେ ପ୍ରକମ୍ପିତ ହେବ ।
ସ୍ମୃତିଚାରଣ କରି ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, କୃଷ୍ଣଚନ୍ଦ୍ର ଶଗରିଆ, ସୁଦର୍ଶନ ଦାସ, ହଳଧର ସେଠୀ, ଜିଆଉଲ ହକ, ରଣଜିତ ପାତ୍ର, ଉଦିତ ପ୍ରଧାନ, ଅନିମା ମିଞ୍ଜ୍, ମାନସ ମଲ୍ଲିକ ପ୍ରମୁଖ ମାନବ ସମାଜକୁ ଏବଂ ଭାରତୀୟମାନଙ୍କୁ ଆମ୍ବେଦକରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିକୂଳ ପରିସ୍ଥିତି, ଜୀବନର ଝଡ଼ଝଞ୍ଜାକୁ ଅତିକ୍ରମ କରି ସେ କିପରି ମହାପୁୁରୁଷ ହୋଇପାରିଥିଲେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମେର ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ମନୋରଞ୍ଜନ ଦାଶ, ଅମିୟ କୁମାର ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଶ୍ରୀନିବାସ ରାଉତରାୟ, ମନୋରଞ୍ଜନ ରାଉତରାୟ, ତରୁଣ ମିଶ୍ର, ପ୍ରଭାସକର ମହାପାତ୍ର, ସୁଧାଂଶୁ ମହାନ୍ତି, ରଜନୀ ମହାନ୍ତି, ସୁଧାଂଶୁ ଦେଓ, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ସାରଦା ପ୍ରଧାନ, ମିହିର ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ଦୀପକ କୁମାର ମହାପାତ୍ର, ଏମଡି ସାହାଦୁଲ୍ଲା, ହିଂମାଶୁ ଲେଙ୍କା, ସୁଦିପ ସାମଲ, ଦୀପକ ସାହୁ, ସୁଭାଷ ପ୍ରଧାନ, ବିଜୟ ଦ୍ୱିବେଦୀ, ସଂଜୟ ମିଶ୍ର, ଗୁରୁ ମହାନ୍ତି, ଆଲୋକ ନନ୍ଦ, ଖଗେଶ୍ୱର ମଲ୍ଲିକ, ମଣ୍ଟୁ ମଲ୍ଲିକ, ଜମ୍ବେଶ୍ୱର ମଲ୍ଲିକ, ସିର୍ଦ୍ଧାଥ ରାଉତରାୟ, ରାଇଚରଣ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ବିନୋଦ ପାଣି, ରଞ୍ଜନ ସେଠୀ, ଦେବେନ୍ଦ୍ର ପ୍ରସାଦ ଦାସ, ନିହାର ରଞ୍ଜନ ମହାପାତ୍ର, ଅଶୋକ ମଙ୍ଗରାଜ, ଶିବପ୍ରସାଦ ଦାଶ ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ ସେବାଦଳର କର୍ମୀମାନେ ଯୋଗଦେଇଥିଲେ । ଶେଷରେ ଶ୍ରୀ ସାନ୍ତନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।