ରାଜ୍ୟ ସରକାରଙ୍କ ନିକଟରେ ଆମ୍ ଆଦ୍ମୀ ପାର୍ଟିର ଦୃଢ଼ ଦାବୀ ।
ଲୋକାୟୁକ୍ତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କୁ ୧୫ ଦିନ ମଧ୍ୟରେ ନିଯୁକ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଆମ୍ ଆଦ୍ମୀ ପାର୍ଟିର ଦୃଢ଼ ଦାବୀ ।
ଭୁବନେଶ୍ୱର:ଆପଣମାନଙ୍କୁ ସୂଚିତ କରିବା ପାଇଁ ଚାହୁଁଛୁ ଯେ ଲୋକପାଳ ବିଲ ଆଇନ ଅନୁଯାୟୀ ତତ୍କାଳୀନ ବିଜେଡି ସରକାର ୨୩/୦୬/୨୦୧୮ ରେ ବିଲ ପାରିତ କରିବା ପରେ ୨୮/୦୨/୨୦୧୯ ରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ । ତା ୦୪/୦୩/୨୦୧୯ ରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ଵିଚାର ପତି ଶ୍ରୀ ଅଜିତ ସିଂ ଓଡ଼ିଶା ଲୋକାୟୁକ୍ତର ପ୍ରଥମ ଅଧକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଲୋକାୟୁକ୍ତ କମିଟିର ଅନ୍ୟତମ ସଦସ୍ୟ ଭାବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବିଜୟ ନାୟକ, ଜଷ୍ଟିସ ଦେବବ୍ରତ ସ୍ୱାଇଁ ଓ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଧ୍ୟ ତତ୍କାଳୀନ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଥଲେ।
ପ୍ରକାଶଯୋଗ୍ୟ ଯେ ରାଜ୍ୟର ଅନେକ ଦୁର୍ନୀତି ଅଭିଯୋଗ ଉପରେ ବିଚାର ଚାଲିଥିବା ବେଳେ ଗତ ମାର୍ଚ୍ଚ ୨୦୨୪ ମସିହାରେ ୫ ବର୍ଷ ପୂରଣ ହେବାରୁ ପ୍ରଥମ ଅଧକ୍ଷଙ୍କ କାର୍ଯ୍ୟକାଳ ସରିବାପରେ ତାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଭାବରେ ତତ୍କାଳୀନ ସରକାର କାହାରିକୁ ନିଯୁକ୍ତ ଦେବାରେ ବିଳମ୍ବ ପ୍ରକାଶ କରିଥିଲେ। ନ୍ୟାୟିକ ସଦସ୍ୟ ଜଷ୍ଟିସ ବିଜୟ ନାୟକ ମଧ୍ୟ ୨୦୨୪ ମାର୍ଚ୍ଚ ଓ ଅଣନ୍ୟାୟିକ ସଦସ୍ୟ ଶ୍ରୀ ଦେବବ୍ରତ ସ୍ୱାଇଁ ୨୦୨୪ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ। ବସ୍ତୁତଃ କମିଟିରେ ଏକମାତ୍ର ଅଣନ୍ୟାୟିକ ସଦସ୍ୟ ଥିବା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ତା ୦୪/୦୪/୨୦୨୪ ରିଖରେ ତତ୍କାଳୀନ ସରକାର କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗତ ୦୪/୦୭/୨୦୨୪ ରେ ଡଃ ଶର୍ମାଙ୍କ ଅବସର ପରେ ଏହି ପଦବୀଟି ମଧ୍ୟ ଖାଲି ହୋଇଯାଇଥିଲା। ବିଡ଼ମ୍ବନାର ବିଷୟ ଯେ ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦବୀ ଖାଲି ପଡ଼ିଥିବା ରାଜ୍ୟ ଲୋକାୟୁକ୍ତ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି ଯାହା ଫଳରେ ଅସଂଖ୍ୟ କେସ୍ ଶୁଣାଣି ନହୋଇ ପଡ଼ିରହିଛି। ବିରୋଧୀ ଆସନରେ ଥିଲା ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଗଳା ଗର୍ଜନ କରି ସଶକ୍ତ ଲୋକାୟୁକ୍ତ ଗଠନ ପାଇଁ ତତ୍କାଳୀନ ବିଜେଡି ସରକାର ନିକଟରେ ଦାବି ଜଣାଉଥିଲେ। କିନ୍ତୁ ପରିତାପର ବିଷୟ ଯେ ନିର୍ବାଚନ ସରି ସରକାର ଗଠନ କରିବାର ପ୍ରାୟ ୮ ମାସ ପୂର୍ଣ୍ଣ ହେବାକୁ ଯାଉଥିଲା ବେଳେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ପଦବୀ ପୂରଣ ପାଇଁ ରାଜ୍ୟ ଭାଜପା ପଦୁଟିଏ ବି ମୁଁହ ନ ଖୋଲିବା ଏ ସଂକ୍ରାନ୍ତରେ ତାହାର ଅନାଗ୍ରହମକୁ ଉଜାଗର କରୁଛି। ଅର୍ଥାତ୍ ବର୍ତ୍ତମାନର ଭାଜପା ସରକାର କେବଳ କଥାରେ ବିଶ୍ୱାସ କରୁଥିବା ଏବଂ କାମରେ ଦୁର୍ନୀତି ନିବାରଣ ନେଇ ଏକ ପ୍ରକାର ମୂକ ପାଲଟିଯିବା ଭଳି ମନେ ହେଉଛି। ଫଳତଃ ରାଜ୍ୟର ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ମନରେ ଲୋକାୟୁକ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ଓ ଅସନ୍ତୋଷ ବୃଦ୍ଧି ପାଉଛି। ଦୁର୍ନୀତିର ମୂଳୋତ୍ପାଟନ କଥା କହୁଥିବା ଭାଜପାର ଦୋହରା ଚରିତ୍ରକୁ ନେଇ ସାଧାରଣରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
୧୫ ଦିନ ମଧ୍ୟରେ ସର୍ଚ୍ଚ କମିଟି ଗଠନ କରି ଲୋକାୟୁକ୍ତ ଅଧ୍ୟକ୍ଷ ଓ କମିଟିର ନ୍ୟାୟୀକ ଓ ଅଣନ୍ୟାୟୀକ ସଦସ୍ୟ ମଣ୍ଡଳୀଙ୍କୁ ନିଯୁକ୍ତି ପ୍ରଦାନ କରି ପଡିରହିଥିବା ଶହ ଶହ କେସର ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ଆମ୍ ଆଦମୀ ପାର୍ଟି ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଉଛି। ଦୁର୍ନୀତି ମୂଳୋତ୍ପାଟନ ନିମନ୍ତେ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଥିବା ଆମ୍ ଆଦ୍ମୀ ପାର୍ଟି ଏକ ସଶକ୍ତ ଲୋକାୟୁକ୍ତ ଗଠନ ନିମନ୍ତେ ଏକ ଦାୟିତ୍ୱ ସମ୍ପନ୍ନ ଦଳ ଭାବେ ଆଗାମୀ ଦିନରେ ନିଜର ଭୂମିକା ନିର୍ବହନ କରିବା ସହ ଲୋକାଯୁକ୍ତ ଅଧ୍ୟକ୍ଷ ଓ ସମସ୍ତ ପଦବୀ ପୂରଣ ନ ହେବାଯାଏ ସରକାରଙ୍କ ନିକଟରେ ଦଳର ସ୍ୱରକୁ ଶାଣିତ କରିବା ନିମନ୍ତେ ଜନସାଧାରଣଙ୍କ ନିକଟରେ ପ୍ରତିଶ୍ରୁତି ପ୍ରଦାନ କରୁଛି।
ଏହି ପ୍ରେସ ବାର୍ତ୍ତାରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ ଏବଂ ପୁରୀ ଜିଲ୍ଲା ସଭାପତି ଶ୍ରୀ ସଂଜୀବ କୁମାର ମହାନ୍ତି ଉପସ୍ଥିତ ଥିଲେ ।