Search for:
  • Home/
  • ରାଜ୍ୟ/
  • ଛାତ୍ର ସଙ୍ଘ(AISF) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ବସ୍ ସେବା ଦାବିରେ ଭୁବନେଶ୍ଵର ଠାରେ ପ୍ରତିବାଦ

ଛାତ୍ର ସଙ୍ଘ(AISF) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ବସ୍ ସେବା ଦାବିରେ ଭୁବନେଶ୍ଵର ଠାରେ ପ୍ରତିବାଦ

Spread the love

Loading

 

ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ବସରେ ମାଗଣା ଯାତାୟତ ଏବଂ ଘରୋଇ ବସ୍ ରେ ୫୦% ରିହାତି ଦାବି କଲା ଏ.ଆଇ.ଏସ୍.ଏଫ୍

ଭୁବନେଶ୍ୱର:(୨୭/୦୫/୨୦୨୫) ଅଖିଳ ଭାରତ ଛାତ୍ର ସଙ୍ଘ(AISF) ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ବସ୍ ସେବା ଦାବିରେ ଭୁବନେଶ୍ଵର ଠାରେ ପ୍ରତିବାଦ ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦରେ ରାଜ୍ୟସମ୍ପାଦକ କାହ୍ନୁ ଚରଣ ପରିଡ଼ାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ରାଜ୍ୟସଭାପତି ସଙ୍ଘମିତ୍ରା ଜେନାଙ୍କ କହିବା ଅନୁଯାୟୀ, ଶିକ୍ଷା ଯେକୌଣସି ଏକ ଦେଶ ପାଇଁ ମେରୁଦଣ୍ଡ ସଦୃଶ ହୋଇଥାଏ। କିନ୍ତୁ ବିଡ଼ମ୍ବନା ଏହା ଯେ, ଭାରତ ଭଳି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଶିକ୍ଷାର ମାନ ଧୀରେ ଧୀରେ ରସାତଳଗାମୀ ହୋଇ ହୋଇ ଚାଲିଛି । ଜାତୀୟ ଶିକ୍ଷାନୀତି-୨୦୨୦ ସାରା ଦେଶରେ ଲାଗୁ ହେବା ପୃଷ୍ଠଭୂମିରେ ଆମ ରାଜ୍ୟରେ ପ୍ରାୟ ଆଠ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଛି। ବାରମ୍ବାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡ଼ୁଥିବା ଶିକ୍ଷକ ତଥା ଅଣଶିକ୍ଷକ ପଦବୀ ଗୁଡ଼ିକ ବିପକ୍ଷରେ ନିଯୁକ୍ତିକୁ ସୁନିଶ୍ଚିତ କରିବାରେ କେବଳ ପୂର୍ବ ସରକାର କାହିଁକି ବର୍ତ୍ତମାନ ସରକାର ମଧ୍ୟ ବିଫଳ ହୋଇଛନ୍ତି । ଇତି ମଧ୍ୟରେ ଯଦି ଗୋଟିଏ ସାଧାରଣ ବିଶ୍ଳେଷଣ ଦେଖିବା, ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା ଭିତରକୁ ପ୍ରବେଶ କରୁଥିବା ପ୍ରତି ୧୦୦ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୮୫ଜଣ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇ ପାରନ୍ତି, ପ୍ରତି ୮୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ଜଣ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ପାଦ ଥାପି ପାରୁଛନ୍ତି ଏବଂ ପ୍ରତି ୭୦ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ମାତ୍ର ୫୫ ରୁ ୬୦ଜଣ ଛାତ୍ରଛାତ୍ରୀ ହିଁ ମହାବିଦ୍ୟାଳୟକୁ ପ୍ରବେଶ କରିପାରନ୍ତି । ଶିକ୍ଷାର୍ଥୀ ମାନଙ୍କ ପାଠ ଛାଡ଼ିବାର ମୂଳ କାରଣ ସେମାନଙ୍କ ଅର୍ଥନୈତିକ ଏବଂ ସାମାଜିକ ପୃଷ୍ଠଭୂମି । ଭାରତ ଭଳି ଏକ ଜନମଙ୍ଗଳକାରୀ ରାଷ୍ଟ୍ର ନିମନ୍ତେ ଏବଂ ଦେଶ ସ୍ବାଧୀନତାର ୭୬ ବର୍ଷ ବିତି ସାରିଥିବା ସତ୍ତ୍ୱେ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ଅଧିକାରରୁ ଉପେକ୍ଷିତ ହେବା ନିହାତି ଭାବେ ସରକାରୀ ନୀତି ଓ କର୍ତ୍ତଵ୍ୟର ଅବହେଳା । ତେବେ ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅବା ବିଶ୍ଵ ବିଦ୍ୟାଳୟରେ ଅଧ୍ୟୟନରତ ତଥା ଅଧ୍ୟୟନ ପରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଥିବା ଯୁବକ ଯୁବତୀ ମାନଙ୍କ ନିମନ୍ତେ ସରକାର ଅନ୍ତତଃ ଦେୟମୁକ୍ତ ଯାତାୟାତ ନିଶ୍ଚିତ କରିବା ନିତାନ୍ତ ଆବଶ୍ୟକ ।
ଓଡ଼ିଶା ରାଜ୍ୟ ପରିଷଦ, ଅଖିଳ ଭାରତ ଛାତ୍ର ସଙ୍ଘ (AISF) ରାଜ୍ୟ ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟଙ୍କ ନିକଟରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ ଏବଂ ସୁଗମ ଯାତାୟତ ସୁବିଧା ନିଶ୍ଚିତ କରିବାକୁ ଦାବି ଉପସ୍ଥାପନ କରୁଅଛୁ।
AISF ଓଡ଼ିଶାର ମୁଖ୍ୟ ଦାବିସମୂହ:

୧. OSRTC ଅଧୀନରେ ପରିଚାଳିତ ସମସ୍ତ ସରକାରୀ ବସ୍ ରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ଯାତାୟତ ସୁବିଧା ସୁନିଶ୍ଚିତ କରାଯାଉ, କାରଣ ବ୍ୟୟ ବହୁଳ ଯାତାୟତ ଖର୍ଚ୍ଚ ବର୍ତ୍ତମାନ ଶିକ୍ଷା ଜାରି ରଖିବାରେ ଏକ ବଡ଼ ଅବରୋଧ ହୋଇଛି।

୨. ଅଧିକାଂଶ ଛାତ୍ରଛାତ୍ରୀ ବିଶେଷକରି ସରକାରୀ ବସ୍ ସୁବିଧା ପର୍ଯ୍ୟାପ୍ତ ନଥିବା କାରଣରୁ ଘରୋଇ ବସ୍ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ସମସ୍ତ ଘରୋଇ ତଥା ବେସରକାରୀ ବସ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ଭଡ଼ା ରିହାତି ବାଧ୍ୟତାମୂଳକ କରାଯାଉ।

୩.  ରାଜ୍ୟ ସରକାର କର୍ପୋରେଟ୍ ସଂସ୍ଥାମାନଙ୍କ CSR ଫଣ୍ଡ ବ୍ୟବହାର କରି, ଉକ୍ତ ସଂସ୍ଥା ଗୁଡ଼ିକ କାର୍ଯ୍ୟ ନିର୍ବାହ କରୁଥିବା ଅଞ୍ଚଳର ନିକଟବର୍ତ୍ତୀ ସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନିମନ୍ତେ ସ୍ଵତନ୍ତ୍ର ବସ୍ ଚଳାଚଳ ନିମନ୍ତେ ବନ୍ଦୋବସ୍ତ ଗ୍ରହଣ କରନ୍ତୁ । ଅନ୍ୟୁନ ପ୍ରତି ୧୦୦୦ ଛାତ୍ରଛାତ୍ରୀଙ୍କ ଅନୁପାତରେ ଗୋଟିଏ ଲେଖାଏଁ ବସ୍ ନିଶ୍ଚିତ କରାନ୍ତୁ। ଯାହା ପ୍ରକୃତରେ କର୍ପୋରେଟ୍ ସଂସ୍ଥା ମାନଙ୍କ CSR ଫଣ୍ଡ୍ ଉପଯୁକ୍ତ ବିନିଯୋଗ ହୋଇପାରିବ ।

ଏହା ଆମ ସଂଗଠନର ଉପଲବ୍ଧି ଯେ, ଯାତାୟତ ଖର୍ଚ୍ଚ ଯଦି ସୁଲଭ ନହୁଏ, ତାହା ହେଲେ ଶିକ୍ଷା କେବେ ବି ସାର୍ବଜନୀନ ହୋଇପାରିବ ନାହିଁ। ଉପରୋକ୍ତ ଦାବୀ ଦୃଷ୍ଟିକୋଣରୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଦାବୀ ପୂରଣ କରନ୍ତୁ ଯାହାଦ୍ୱାରା ଯାତାୟତ ସମସ୍ୟା ଯୋଗୁଁ କୌଣସି ଛାତ୍ରଛାତ୍ରୀ ଶିକ୍ଷା ଛାଡ଼ିବାକୁ ବାଧ୍ୟ ହେବେ ନାହିଁ। ଯଦି ସରକାର ଶୀଘ୍ର କୌଣସି ସକରାତ୍ମକ ପ୍ରତିକ୍ରିୟା ନଦେଖାନ୍ତି, ତେବେ ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ନେଇ ଆସନ୍ତା ଦିନରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ହେବ ଯେଉଁ ଘଟଣା ପାଇଁ ରାଜ୍ୟସରକାର ଦାୟୀ ରହିବେ । ଏହି ପ୍ରତିବାଦରେ ରାଜ୍ୟ ଉପସଭାପତି ରାଜାରାମ ଡଙ୍ଗରୀ, ପପୁ ରାଉତ, ମନୋରଞ୍ଜନ ରାଉତ, ସାଗର ପ୍ରଧାନ, ଅମରେଶ ପରିଡ଼ା ଓ ସୋନାଲି ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

 

Leave A Comment

All fields marked with an asterisk (*) are required