Search for:
  • Home/
  • ରାଜ୍ୟ/
  • ଆଶାଏଁ ଅନୁଷ୍ଠାନର ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପିତ

ଆଶାଏଁ ଅନୁଷ୍ଠାନର ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପିତ

Spread the love

Loading

ଆଶାଏଁ ଅନୁଷ୍ଠାନର ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପିତ

ଭୁବନେଶ୍ୱର:ପଥପ୍ରାନ୍ତ ଶିଶୁମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ଦୀର୍ଘଦିନ ଧରି କାମ କରିଆସୁଥିବା ଯୁବ ସ୍ବେଛାସେବୀ ଅନୁଷ୍ଠାନ ଆଶାଏଁ ତରଫରୁ ଏକ ଗ୍ରୀଷ୍ମ କାଳୀନ ଶିଶୁ ଶିବିର ଉଦଯାପନୀ ଉତ୍ସବ ସ୍ଥାନୀୟ ବୁଧନଗର କମ୍ୟୁନିଟି ହଲରେ ଆୟୋଜିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଦୈନିକ ସମ୍ବାଦ ପତ୍ର ନିତିଦିନ ସମ୍ପାଦକ ଶ୍ରୀଯୁକ୍ତ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଵା ସହିତ ଏହିଭଳି ଅଭିନଵ ପ୍ରୟାସ ପାଇଁ ଆୟୋଜକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ସହ ବରିଷ୍ଠ ଗାନ୍ଧିବାଦୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂହ, ରୟାଲ ଲାଗୁନ ଲେଡୀସ କ୍ଲବ ସଦସ୍ୟା ଶ୍ରୀମତୀ ଶାନ୍ତି ରାୟ ସମେତ ଅନ୍ୟାନ୍ୟ ସଦସ୍ୟ, ପ୍ରଶାନ୍ତି ଏଜୁକେସନ ଡେଭେଲପମେଣ୍ଟ ଟ୍ରଷ୍ଟ ସଦସ୍ୟା ତପସ୍ୱିନୀ ପଣ୍ଡା ସମେତ ଅନ୍ୟାନ୍ୟ ସଦସ୍ୟା, ସମାଜସେବୀ ଜୟଶ୍ରୀ ମହାପାତ୍ର, ସମାଜସେବୀ ଘାସିରାମ ପଣ୍ଡା, ଶିକ୍ଷାବିତ ଜାହୀଦ ଅଖତର, ସମାଜସେବୀ ଶ୍ରୀମତୀ ପ୍ରତିମା ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନ ସହିତ ଜଡିତ ଅନେକ ବ୍ୟକ୍ତିବିଶେଷ ଓ ଶୁଭେଚ୍ଛୁ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜୁନ ମାସ ତିନି ତାରିଖରୁ ଆରମ୍ଭ କରି ବାର ତାରିଖ ପର୍ଯ୍ୟନ୍ତ ଦଶଦିନ ବ୍ୟାପି କରାଯାଇଥିବା ଏହି ଶିବିରରେ ଅନୁଷ୍ଠାନର ଛଅଟି କେନ୍ଦ୍ରର ପ୍ରାୟ 200 ରୁ ଅଧିକ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ପିଲାମାନେ ସକାଳୁ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବର୍ତ୍ତମାନର ସମୟରେ ସ୍କୁଲ ଛୁଟି ଥିବାରୁ ପିଲାମାନଙ୍କ ସମୟକୁ ସଦୁପଯୋଗ କରିବା ସହିତ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ଏହି ଶିବିରରେ ଲକ୍ଷ୍ୟ ରଖାଯାଇଥିଲା । ଅନେକ ଅଭିଜ୍ଞ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମର ବିଭିନ୍ନ ସମୟରେ ଉପସ୍ଥିତ ରହି ପିଲାମାନଙ୍କୁ ବିଭିନ୍ନ ଉପାଦେୟ କଥା ଶିଖାଇଥିଲେ । ବିଶିଷ୍ଟ ସାମ୍ବାଦିକ ଅନୁଜ ଦାସ ପିଲାଙ୍କୁ ମିଡ଼ିଆ ରିପୋର୍ଟିଂ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ପିଲାମାନଙ୍କୁ ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ନିମନ୍ତେ ନିୟମିତ ଯୋଗାଭ୍ୟାସ କରାଯାଇଥିଲା । ପିଲାମାନଙ୍କ ଭିତରେ ରହିଥିବା ସୃଜନଶୀଳତାକୁ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଖେଳ, ଡ୍ରାମା, ଗପଶୁଣିବା ଓ ଗପ ଲେଖିବା କାର୍ଯ୍ୟକ୍ରମ ରଖାଯାଇଥିଲା । ଓଡ଼ିଶାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ୍ନେହାଶିଷ ଦାସ ପିଲାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣ କୌଶଳ ଓ ଉପସ୍ଥାପନା ବିଷୟରେ ଶିଖାଇଥିଲେ । ଏହା ସହିତ ପିଲାମାନେ ନିଶାମୁକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ଶରୀର, ନୀତିଶିକ୍ଷା, ମାନବତା ସମ୍ପର୍କରେ ମୋବାଇଲ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯାହା ସମସ୍ତ ଅତିଥି ମାନଙ୍କ ଦ୍ୱାରା ଆଦୃତ ହୋଇଥିଲା । ଏଥିସହ ପିଲାମାନେ ଗୀତ, ନାଚ, ଚିତ୍ର, ହାତତିଆରି ସାମଗ୍ରୀ ତିଆରି କରିବା ଶିକ୍ଷା ଗ୍ରହଣ କରିଥିଲେ ଯାହା କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଗଣିତ ହାଟ । ପିଲାମାନେ ବିଭିନ୍ନ ସାମଗ୍ରୀ ବିକ୍ରି କରି ହିସାବ କିତାବ ଓ ଗ୍ରାହକ ସେବା ବିଷୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରାୟ ଏଗାରଟି ଦୋକାନରେ ଭଳିକି ଭଳି ସାମଗ୍ରୀ ସବୁକୁ ଦର୍ଶକ ଓ ନିମନ୍ତ୍ରିତ ଅତିଥି ବୁଲି କିଣାବିକାର ସୁନ୍ଦର ନଜିର ପ୍ରସ୍ତୁତ କରିଥିଲେ । ଏହି ସମୟରେ ଶିଶୁ ରିପୋର୍ଟର ହାଟରେ ବୁଲି ବୁଲି ଗ୍ରାହକ ସାଜିଥିବା ଅତିଥି ମାନଙ୍କର ସାକ୍ଷାତକାର ନେଇଥିଲେ ଯାହା ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଅନ୍ୟ ଏକ ଆକର୍ଷଣ ଥିଲା ଆଶାଏଁ ଅନୁଷ୍ଠାନର ଏହିବର୍ଷ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ସାତ ଜଣ ପିଲାମାନଙ୍କୁ ପ୍ରଶାନ୍ତି ଏଜୁକେସନ ଡେଭେଲପମେଣ୍ଟ ଟ୍ରଷ୍ଟ ଓ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା । ଏହି ସମ୍ବର୍ଦ୍ଧନା ସମୟରେ ପିଲାମାନଙ୍କର ବ୍ୟକ୍ତିଗତ କାହାଣୀ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । କିଏ ଦିନେ ପାଠ ପଢ଼ାରେ ଡୋରି ବାନ୍ଧି ଜରି ଗୋଟାଉଥିଲା ତ ଆଉ କେହି ହାଣ୍ଡିଆ ବିକ୍ରି କରୁଥିଲା। ଆଉ ଆଜି ସେମାନେ ଦଶମ ଶ୍ରେଣୀ ପାସ କରି ନିଜ ବସ୍ତି ଓ ଅନ୍ୟ ପିଲାମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେମାନଙ୍କ ମା ମାନେ ମଧ୍ୟ ପିଲା ମାନଙ୍କ ବିଷୟରେ କହିବା ବେଳେ ସେମାନଙ୍କ ମୁହଁରେ ନିଆରା ଖୁସି ପରିଲକ୍ଷିତ ହୋଇଥିଲା ।
। ଆଶାଏଁ ଅନୁଷ୍ଠାନ ଏହିଭଳି ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଦୀର୍ଘ ଏଗାର ବର୍ଷ ଧରି କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ ଅଧିକ ପିଲାଙ୍କୁ ସାମିଲ କରିବା ପାଇଁ ପ୍ରୟାସ କରୁଅଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରତ୍ନାକର ସାହୁ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ବିକ୍ରମ ନାୟକ ପରିଚାଳନା କରିଥିବାବେଳେ ସଂଗ୍ରାମ ରାଉତରାୟ ଧନ୍ୟବାଦ ଦେଇଥିଲେ । ଆଶାଏଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଶୁଭେଛୁ ଓ ସ୍ବେଛାସେବୀ ସାଥି ଏଥିରେ ସହଯୋଗ କରିଥିଲେ।

 

Leave A Comment

All fields marked with an asterisk (*) are required