Search for:
  • Home/
  • ରାଜ୍ୟ/
  • ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡ଼ିଗଲା ଭଳି ଲାଗୁଛି

ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡ଼ିଗଲା ଭଳି ଲାଗୁଛି

Spread the love

Loading

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା, ନବୀନ କହିଲେ – ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡ଼ିଗଲା ଭଳି ଲାଗୁଛି
ଭୁବନେଶ୍ବର : ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଥିଲା। ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡ଼ିଗଲା ଭଳି ଲାଗୁଛି। ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ପୁଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।

ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ଵି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ଥିବାରୁ, ଆମେ ଗୃହ ପରିତ୍ୟାଗ କଲୁ ବୋଲି ନବୀନ କହିଛନ୍ତି।
ସୂୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଓ ବିଜେଡି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ସହିତ ବିରୋଧୀଦଳ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ । ଏହାପରେ କଂଗ୍ରେସ ଓ ବିଜେଡ଼ି ବିଧାୟକ କକ୍ଷତ୍ୟାଗ କରିଥିଲେ ।କଂଗ୍ରେସ ବିଧାୟକ ତାରା ବାହିନୀପତି ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟାପଳ ବିଦା ହୁଅନ୍ତୁ ବୋଲି ସେ ଦାବି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିବା ସହିତ ଆଗକୁ ବିରୋଧ ଜାରି ରହିବ ବୋଲି ଗୃହ ବାହାରେ ତାରା କହିଛନ୍ତି ।

Leave A Comment

All fields marked with an asterisk (*) are required