ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ପୁରସ୍କାର ଉତ୍ସବ ସହିତ ଭାରତନାଟ୍ୟମ ଓ ସମସାମୟିକ ସମରକଳା ନୃତ୍ୟ
ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ପୁରସ୍କାର ଉତ୍ସବ ସହିତ ଭାରତନାଟ୍ୟମ ଓ ସମସାମୟିକ ସମରକଳା ନୃତ୍ୟ
ଭୁବନେଶ୍ୱର (ଧଉଳି) : ୧୧.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ପୁରସ୍କାର ଉତ୍ସବ ସହିତ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ।
ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ବୁଦ୍ଧ ସମ୍ମାନ ୨୦୨୪ ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ମାଧବୀ ମୁଦ୍ଗଲ୍ ତାଙ୍କ ଜୀବନବ୍ୟାପୀ ଓଡ଼ିଶୀ ନୃତ୍ୟ ସାଧନା ପାଇଁ ପ୍ରଦାନ କରାଯାଇଥିଲା ସେହିପରି ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ୨୦୨୪ ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ସିମାଞ୍ଜଳ ପାତ୍ର, ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଖ୍ୟାତନାମା ସାଧାରଣ ଚିକିତ୍ସକଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ, ସଙ୍ଗୀତ ସାଧନା ଓ ଜନସେବା ପାଇଁ ପ୍ରଦାନ କରାଯାଇଥିଲା ।
ଉଦ୍ଯାପନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଭୈବଭ ଆରେଖଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ସଂଖ୍ୟା ଡ଼୍ୟାନ୍ସ କ୍ରୀଏସନ୍ର ଶିଳ୍ପୀମାନଙ୍କ ଦ୍ୱାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରସ୍ତୁତିରେ ଥିଲା ଅଭଙ୍ଗ ରଙ୍ଗ ଯାହା ମହାରାଷ୍ଟ୍ରରେ ସନ୍ଥ କବିଙ୍କ ଭକ୍ତି ଉପରେ ଆଧାରିତ ଥିବା ସହିତ ମହାରାଷ୍ଟ୍ରର ସାହିତ୍ୟକୁ ସମୃଦ୍ଧ କରି ତାର ପ୍ରଭାବ ଜନସାଧାରଣଙ୍କ ଉପରେ ପକାଇପାରିଛି । ଉକ୍ତ ନୃତ୍ୟଟିର ନୃତ୍ୟ ସଂରଚନା କରିଥିଲେ ଭୈବଭ ଆରେଖ ଓ ସଂଯୋଜନା କରିଥିଲେ ଅରୁଣା ସାଇରାମ, କେ.ଏ. ଗଣେଶନ୍, ଜୟନ୍ତ ନଜିରଫେଲକର ଏବଂ ଅମ୍ବିକା ବିଶ୍ୱନାଥ ।
ଉଦ୍ଯାପନୀ ସଂଧ୍ୟାର ଅନ୍ତିମ ଉପସ୍ଥାପନା ଥିଲା ସମସାମୟିକ ସମରକଳା ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଜନାର୍ଦ୍ଦନ ରାଜ ଉର୍ସ ଓ ସାଥୀ । ସେମାନଙ୍କ ଉପସ୍ଥାପନରେ ଥିଲା ମହାକ୍ଷେତ୍ରୀୟ, କୌଶିକା ଜଣେ ଶକ୍ତିଶାଳୀ ଓ ଗର୍ବୀ ରାଜା ଯିଏ ଅନୁଭବ କଲେ ଯେ ଆଧ୍ୟାତ୍ମିକ ବୀରତ୍ୱ ତୁଳନାରେ ସାଂସାରିକ ଧନ ଓ ଶକ୍ତି କିଛି ନୁହେଁ । ତାଙ୍କର ଏହି ଆଦର୍ଶକୁ ସମଗ୍ର ମାନବଜାତି ଅନୁକରଣ କଲେ ଏହି ମାନବସମାଜ ଉନ୍ନତି ପଥରେ ଆଗେଇ ଚାଲିବ । ଏହାକୁ ଆଧାର କରି କର୍ଣ୍ଣକୋପିୟା କ୍ରୀଏସନ୍ର ଶିଳ୍ପୀମାନେ ସମସାମୟିକ ସମରକଳା ନୃତ୍ୟ ପରିବେଷଣ କରିଥିଲେ ଯାହାର ସଂଳାପ ପ୍ରସ୍ତୁତ କରିଥିଲେ ଡକ୍ଟର ଶତାବଦାନୀ ଗଣେଶ, ନୃତ୍ୟ ସଂରଚନା କରିଥିଲେ ଜନାର୍ଦ୍ଦନ ରାଜ ଉର୍ସ, ସଙ୍ଗୀତ ସଂଯୋଜନା କରିଥିଲେ ପରବିନ୍ ଡ଼ି ରାଓ ଓ ଆଲୋକ ପରିଚାଳନା କରିଥିଲେ ଦେବୀପ୍ରସାଦ ମିଶ୍ର ।
ଉଦ୍ଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର (ପ୍ରଫେସର) ପ୍ରିୟମ୍ବଦା ମହାନ୍ତି ହେଜମାଦି; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି; ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ଲଳିତ୍ ମାନସିଂହ; ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଶାସନ ସଚିବ ଆରତି ଆହୁଜା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ (ଡଃ) ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡକ୍ଟର (ଇ.) ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ ।