ନିୟମଗିରି ସୁରକ୍ଷା ସମିତିର ଦୁଇ ଲଢ଼ୁଆ ସାଥୀ ଦୀର୍ଘ ୬ ମାସ ପରେ ଜେଲ୍ ରୁ ମୁକ୍ତ:ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା
ନିୟମଗିରି ସୁରକ୍ଷା ସମିତିର ଦୁଇ ଲଢ଼ୁଆ ସାଥୀ ଦୀର୍ଘ ୬ ମାସ ପରେ ଜେଲ୍ ରୁ ମୁକ୍ତ ସଂଗଠନ ପକ୍ଷରୁ ଶୁଭେଚ୍ଛା
ଭୁବନେଶ୍ୱର ତା ୧୦/୦୨/୨୪: ନିୟମଗିରି ସୁରକ୍ଷା ଆନ୍ଦୋଳନର ଦୁଇ ଲଢ଼ୁଆ ଯୁବ ସାଥି କୃଷ୍ଣ ସିକକା ଓ ଉପେନ୍ଦ୍ର ବାଗ୍ ବିଭିନ୍ନ ମିଛ ମକଦ୍ଦମାରେ ଦୀର୍ଘ ୬ ମାସ କାଳ ଜେଲରେ ରହିବା ପରେ ଗତକାଲି ଖଲାସ୍ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଜୀବନ ଓ ଜୀବିକା ତଥା ପରିବେଶର ସୁରକ୍ଷା ପାଇଁ ନିୟମଗିରି ସୁରକ୍ଷା ସମିତିର ନ୍ୟାୟ ସଙ୍ଗତ ଆନ୍ଦୋଳନ ପ୍ରତି ସଂହତି ଜଣାଇବା ସାଥେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ସମେତ ବିଭିନ୍ନ ଜନ ଆନ୍ଦୋଳନ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏ ସଂପର୍କିତ ବିବରଣୀରୁ ପ୍ରକାଶ ଯେ ନିୟମଗିରି ସୁରକ୍ଷା ସମିତିର କୃଷ୍ଣ ସିକକାଙ୍କୁ ଗତ ୫ ଅଗଷ୍ଟ ୨୦୦୬, ୨୦୨୩ ରେ ଲାଞ୍ଜିଗଡ଼ ହାଟରେ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ ପ୍ରଚାର କରୁଥିବା ବେଳେ ଏକ ବୋଲେରୋ ଗାଡ଼ିରେ ସାଧା ପୋଷାକଧାରୀ ପୋଲିସ୍ ଆସି ତାଙ୍କୁ ଉଠାଇ ନେଇଥିଲେ। ବହୁ ପ୍ରତିବାଦ ପରେ ମଧ୍ୟ ପୋଲିସ୍ କିଛି ଜାଣିନାହିଁ ବୋଲି ନାଟକ ରଚନା କରିଥିଲା। କିନ୍ତୁ ଓଡ଼ିଶା ହାଇକୋର୍ଟରେ ହେବିୟସ୍ କର୍ପସ୍ ଦାଖଲ ଦିନ ପୋଲିସ୍ ତାଙ୍କୁ ଅଗଷ୍ଟ ୮ ତାରିଖ ଦିନ ୨୦୧୮ ମସିହାର ଗୋଟିଏ ମିଥ୍ୟା କେଶ୍ ରେ କୋର୍ଟ ଚାଲାଣ କରିଥିଲା ଏବଂ ପରେ ପରେ ଆଉ ଦୁଇଟି ମିଛ ମକଦ୍ଦମାରେ ଜଡ଼ିତ କରାଇଥିଲେ । କୃଷ୍ଣ (ଲସ୍କେ) ଗୋଟିଏ ମିଛ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଉ ଦୁଇଟି ମିଛ ମାମଲାରେ ଜାମିନ ପାଇ ୬ ମାସ ପରେ ଜେଲରୁ ମୁକ୍ତ ହୋଇଛନ୍ତି ।।
ସେହିପରି ଅନ୍ୟତମ ଲଢ଼ୁଆ ସାଥୀ ଉପେନ୍ଦ୍ର ବାଗ୍ ଙ୍କୁ ପୋଲିସ୍ ରାୟଗଡ଼ାରୁ ୧୧ ଅଗଷ୍ଟରୁ ଉଠାଇ ନେଇ ବହୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ୧୪ ଅଗଷ୍ଟରେ କୋର୍ଟ ଚାଲାଣ କରିଥିଲା।ତାଙ୍କ ନାମରେ ୟୁଏପିଏ ସମେତ ବିଭିନ୍ନ ମିଛ ମକଦ୍ଦମା ରୁଜ୍ଜୁ କରାଯାଇଥିଲା। ଗତ ୨ ତାରିଖରେ ସେ ହାଇକୋର୍ଟରୁ ଜାମିନ୍ ପାଇଥିଲେ। ସିଜିମାଳୀ ଅଞ୍ଚଳରେ ଖଣିଖନନ ତଥା ବେଦାନ୍ତ କମ୍ପାନୀ ବିରୋଧରେ ସ୍ଥାନୀୟ ଜନସାଧାରଣଙ୍କ ଆନ୍ଦୋଳନକୁ ନିୟମଗିରି ସୁରକ୍ଷା ସମିତି ସଂହତି ଜଣାଉଥିବାରୁ ପୋଲିସ୍ ଓ ପ୍ରଶାସନ ଆକ୍ରୋଶମୂଳକ ଭାବେ ଏପରି ମିଥ୍ୟା ମକଦ୍ଦମା ଜରିଆରେ ସାରା ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଭୟର ଆତଙ୍କ ସୃଷ୍ଟିଲାଗି ଉଦ୍ୟମ କରିଥିଲା। ଉଭୟଙ୍କ ମୁକ୍ତି ପରେ ନିୟମଗିରି ସୁରକ୍ଷା ସମିତିର
ବହୁ ସଂଗ୍ରାମୀ ସାଥୀ ଉପସ୍ଥିତ ରହି କୃଷ୍ଣ ଓ ଉପେନ୍ଦ୍ରଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଏକ ଶୋଭାଯାତ୍ରାରେ ରାୟଗଡା ଉପ-କାରାଗାରରୁ ପାଛୋଟି ନେଇଥିଲେ। ଏହି ପରିପ୍ରେକ୍ଷୀରେ ନିୟମଗିରି ସୁରକ୍ଷା ସମିତି ସମେତ ଖଂଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି, ମା’ ମାଟି ମାଳି ସୁରକ୍ଷା ପରିଷଦ, ମାଳି ପର୍ବତ ସୁରକ୍ଷା ସମିତି, ଜିନ୍ଦଲ୍ -ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଏବଂ ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ସମିତି ଇତ୍ୟାଦି ଜନ ଆନ୍ଦୋଳନ,ବହୁ ମାନବାଧିକାର ଓ ସାମାଜିକ କର୍ମୀ ସାଥୀ କୃଷ୍ଣ ସିକକା ଓ ଉପେନ୍ଦ୍ର ବାଗ୍ ଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି