ବସ୍ ଚାପାରେ ଛାତ୍ର ମୃତ୍ୟୁ ଘଟଣା
ବସ୍ ଚାପାରେ ଛାତ୍ର ମୃତ୍ୟୁ ଘଟଣା
ଯାତ୍ରୀଙ୍କୁ ସୁରକ୍ଷା ଦେଲା ପୁଲିସ, ଜିଲ୍ଲା ପ୍ରଶାସନ
୫ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
୯ ଯାତ୍ରୀ ଆହତ, ୨ ଚିକିତ୍ସାଧୀନ
ସମ୍ବଲପୁର, : ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମୁଦିପଡ଼ା ଓ ଲକ୍ଷ୍ମୀଟକିଜ ଛକ ଏକ ଟୁରିଷ୍ଟ ବସ ଚାପାରେ ଛାତ୍ର ଦିଶାନଙ୍କ ମୃତ୍ୟୁ ଘଟଣାକୁ ନେଇ ଚାପାଉତ୍ତେଜନା ଲାଗିଥିଲା। ପ୍ରଥମେ ସ୍ଥାନୀୟ ଲୋକମାନେ ବସରେ ଥିବା ଯାତ୍ରୀ ମାନଙ୍କୁ ମାଡପିଟ କରିଥିଲେ। ମହିଳା ଯାତ୍ରୀ ମାନଙ୍କୁ ମଧ୍ୟ ମାଡପିଟ କରି ଅସଦାଚରଣ କରିଥିବା ନେଇ ଯାତ୍ରୀମାନେ ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଘଟଣା ଘଟିବା ମାତ୍ରେ ପୁଲିସ ଓ ପ୍ରଶାସନର ଅଧିକାରୀମାନେ ପହଞ୍ଚି ଯାଇଥିଲେ। ଯାତ୍ରୀ ମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବା ପିଇବା ଦେଇ ରଖା ଯାଇଥିଲା। ଆସନ୍ତାକାଲି ଘରକୁ ଫେରିବାର ବ୍ୟବସ୍ଥା ପ୍ରଶାସନ କରିଛି। ଘଟଣା ସ୍ଥଳରେ ପୁଲିସ ବୁଝା ସୁଝା କରୁଥିବା ସମୟରେ ବିକ୍ଷୋଭକାରୀଙ୍କ ସହ ଠେଲାପେଲା ହୋଇଥିଲା। ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥି୍ିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ବାଧ୍ୟ ହୋଇ ପୁଲିସ ମୃଦୁ ଲାଠି ଚାଳଣା କରିଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଥିଲା। ୫ ଜଣ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଦୁଇ ଜଣ ପର୍ଯ୍ୟଟକ ବିଜୟ ଦାସ, ଶୁଭଶ୍ରୀ ଦତ୍ତଙ୍କୁ ହାର୍ଟ ଆଟାକ ଆସିଯାଇଥିଲା। ପୁଲିସ ଉଦ୍ଧାର କରି ସୁରକ୍ଷା ବ୍ୟବସ୍ଥାରେ ଏକ ମେଡିକାଲରେ ଚିକିତ୍ସିତ କରୁଛି। ଅନ୍ୟପଟେ ଯାତ୍ରୀ ବିଜୟ ଦାସ ଦୁର୍ବୁତ୍ତଙ୍କ ମାଡରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ରାସ୍ତାରେ ପଡ଼ିଥିବା ସମୟରେ ପୁଲିସ ଟିମ ଉଦ୍ଧାର କରି ରିଜର୍ଭ ଲାଇନକୁ ଓ ପରେ ମେଡିକାଲ ନେଇଥିଲା। ଯାତ୍ରୀମାନେ ବସ ଭିତରେ ଥିବା ସମୟରେ ବସକୁ ଭଙ୍ଗା ରୁଜା କରିବା ସହ ଜାଳି ଦେବାକୁ ଦୁର୍ବତ୍ତମାନେ ଉଦ୍ୟମ କରୁଥିଲେ। ପୁଲିସ ନ ପହଞ୍ଚିଥିଲେ ଏକ ବଡ ଧରଣର ଘଟଣା ଘଟିଯିବାର ଆଶଙ୍କା ରହିଥିଲା। ସୂଚନା ଯୋଗ୍ୟଯେ, ମୟୁରଭଞ୍ଜରୁ ବସ ଯୋଗେ ସମ୍ବଲପୁରକୁ ବୁଲିବାକୁ ଆସିଥିଲେପ୍ରାୟ ୭୫ଜଣ ପର୍ଯ୍ୟଟକ। ସେମାନେ ଦିନ ତମାମ ହୀରାକୁଦ ଡ୍ୟାମ, ବୁର୍ଲା, ଘଣ୍ଟେଶ୍ୱରୀ ବୁଲିସାରି ଶେଷରେ ସମଲେଇଙ୍କ ଦର୍ଶନ କରିବାକୁ ଯାଇଥିଲେ। ହେଲେ ମୁଦିପଡ଼ା ଛକ ନିକଟରେ ଘଟିଯାଇଥିଲା ଅଭାବନୀୟ ଘଟଣା। ସ୍କୁଟିରେ ଯାଉଥିବା ସମୟରେ ଦିଶାନ ନାମକ ଜଣେ ଛାତ୍ରଙ୍କୁ ଧକ୍କା ଦେବା ଫଳରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ବସ ଓ ସ୍କୁଟିକୁ ଜବତ କରିଛି। ବସ ଚାଳକ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି।