ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାଜରାସ୍ତା।
ଭୁବନେଶ୍ବର : ଗତକାଲି ରାତିରେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାଜରାସ୍ତା। ଜମି ଦଖଲକୁ ନେଇ ଆତଙ୍କ ଖେଳାଇଥିଲେ ୩୦ରୁ ଅଧିକ ଯୁବକ। ଖଣ୍ଡା ଭୁଜାଲିଧରି ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଛନ୍ତି। ଏଭଳି ଘଟଣା ଏୟାରପୋର୍ଟ ଛକରେ ଦେଖିବାକୁ ମିଳିଥିଲା। ଆଉ ଏହି ଘଟଣା ପରେ ଆଜି ଏୟାରପୋର୍ଟ ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଅଭିଯୁକ୍ତମାନେ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ହୋଇଥିବା ବେଳେ ଏମାନଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି।
ସୂଚନା ଅନୁସାରେ, ନୂଆ ଫରେଷ୍ଟ ପାର୍କ ଏଟିଏମ୍ ନିକଟରେ ଏକ ଜାଗା ରହିଛି। ଏହି ଜାଗାକୁ ନେଇ ବିଭିନ୍ନ ମାମଲା ମଧ୍ୟ ରହିଛି। ଜାଗାର ମାଲିକ ସେଠାରେ ରହୁନଥିବା ବେଳେ ସ୍ଥାନୀୟ ଯୁବକ ଶିବ ଓ ରାକାକୁ ଦେଖାରଖା କରିବାକୁ ଦାୟିତ୍ୱ ଦେଇଥିଲେ। ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କୁ ହଟାଇ ଜାଗା ଦଖଲ କରିବା ପାଇଁ ଚେଷ୍ଟା କରିଥିଲେ। ବାରମ୍ଭାର ଜାଗା ଉପରକୁ ଯାଇଥିଲେ ମଧ୍ୟ ଶିବ ଏବଂ ରାକା ସେମାନଙ୍କୁ ବିଦା କରି ଦେଉଥିଲେ। ତେଣୁ ସେମାନଙ୍କୁ ସେଠାରୁ ହଟାଇବା ପାଇଁ ଅନ୍ୟ ଜଣେ ମାଲିକ ସୁନ୍ଦରପଦାର ରଶ୍ମୀ ଏବଂ ଅନ୍ୟମାନଙ୍କୁ ଲଗାଇଥିଲେ। ଫଳରେ ଗତକାଲି ରାତି ପ୍ରାୟ ୯ଟାରେ ସେମାନଙ୍କ ପକ୍ଷରୁ ୧୫ଟି ବାଇକ୍ ଧରି ୩୦ ଜଣ ଯୁବକ ଆସିଥିଲେ। ସମସ୍ତଙ୍କ ହାତରେ ଖଣ୍ଡା ଆଉ ଭୁଜାଲି ରହିଥିଲା। ରାଲି କରିବା ଷ୍ଟାଇଲ୍ରେ ଆସି ବିବାଦୀୟ ଜାଗା ନିକଟରେ ପହଞ୍ଚିଥିଲେ। ପହଞ୍ଚିବାବେଳକୁ ପୂର୍ବଭଳି ଶିବ ଏବଂ ରାକା ସେଠାରେ ବସିଥିଲେ। ତାଙ୍କୁ ପ୍ରଥମେ ସେମାନେ ଧମକାଇଥିଲେ। ପରେ ଖଣ୍ଡା, ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଯାହାକି ଫୁଲ୍ମ ସୁଟିଂର ଦୃଶ୍ୟ ଭଳି ପ୍ରତୀୟମାନ ହୋଇଥିଲା। ଶିବ ଓ ରାକା ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଏତେ ସମୟ ଧରି ଏଭଳି କାଣ୍ଡ ଚାଲିଥିଲେ ବି ପ୍ରାୟ ୧୫ ମିନିଟ୍ ପରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।