ବଡ଼ ଧରଣର ଧର୍ମାନ୍ତରୀକରଣକୁ ପଣ୍ଡ କଲା ବଜରଙ୍ଗ ଦଳ ।
ବଡ଼ ଧରଣର ଧର୍ମାନ୍ତରୀକରଣକୁ ପଣ୍ଡ କଲା ବଜରଙ୍ଗ ଦଳ ।
ଭୁବନେଶ୍ୱର , ୮/୭ : ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ନୟାପଲ୍ଲୀସ୍ଥିତ ହୋଟେଲ ଦ ଲଭେଣ୍ଡରରେ ଏକ ବଡ଼ ଧରଣର ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ସେମାନଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ମହାନଗର ଭିତରେ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ଚାଲିଆସୁଥିବା ବେଳେ ସଠିକ୍ ସୂଚନା ଅଭାବରୁ ଅପରାଧୀ ମାନେ ଧର୍ମାନ୍ତରୀକରଣ ଭଳି ଅପରାଧିକ କାର୍ଯ୍ୟକଳାପ ଏଭଳି ବଡ଼ ବଡ଼ ହୋଟେଲ ପରିସର ମଧ୍ୟରେ କରାଇ ଖସି ଯାଉଥିଲେ। କିନ୍ତୁ ଆଜି ତାହା କାର୍ଯ୍ୟକର୍ତ୍ତାମାନଙ୍କ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇ ପାରିଲା ନାହିଁ ଏବଂ ମିଶନାରୀମାନଙ୍କ ଦ୍ବାରା ଚାଳିତ ଏ ଅପରାଧିକ କାର୍ଯ୍ୟ ପଣ୍ଡ ହୋଇଗଲା । କାର୍ଯ୍ୟକର୍ତ୍ତାଙ୍କ ଠାରୁ ସୂଚନା ପାଇ ଚଢ଼ାଉ ପରେ ଉପରୋକ୍ତ ସ୍ଥାନରେ ନୟାପଲ୍ଲୀ ପୋଲିସ୍ ତିନି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି । ଖୋଦ୍ ରାଜଧାନୀ ଛାତି ଉପରେ ଏଭଳି ରାକେଟ ଚାଲିଥିବା ବେଳେ ପୋଲିସ୍ ପ୍ରଶାସନର ଭୂମିକା ଉପରେ ଏକ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ । ପାର୍ଲିଆମେଣ୍ଟରେ ଆଇନ୍ କରି ଏଭଳି ଅନୈତିକ ଧର୍ମାନ୍ତରୀକରଣକୁ ବେଆଇନ୍ ଘୋଷଣା କରାଯାଇଛି । ଏଭଳି ବେଆଇନ୍ ନିଷିଦ୍ଧ କାର୍ଯ୍ୟକ୍ରମ କରୁଥିବା ରାକେଟକୁ ଠାବ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ୍ ପ୍ରଶାସନର କାମ । ପୋଲିସ୍ ପ୍ରଶାସନର ସନ୍ଦିଗ୍ଧ ଭୂମିକା ଭିତରେ କେବଳ ସନାତନ ସଂସ୍କୃତିର ସୂରକ୍ଷା ନିମନ୍ତେ ନିଜର ପ୍ରତିବଦ୍ଧତା ପାଇଁ ଆମର କାର୍ଯ୍ୟକର୍ତ୍ତାମାନେ ନିଜ ଜୀବନ ଜୀବିକାକୁ ବିପଦରେ ପକାଇ ଏଭଳି ଅନୈତିକ କାର୍ଯ୍ୟକଳାପ ରୋକିବା ପାଇଁ ଆଗକୁ ଆସିବାକୁ ବାଧ୍ୟ ହେଉଛନ୍ତି ବୋଲି ଅତ୍ୟନ୍ତ କ୍ଷୋଭ ଓ ଦୁଃଖର ସହିତ ସେ କହିଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିଲା ବେଳେ ଏମିତି ଅସାମାଜିକ ତତ୍ତ୍ଵମାନେ ଅଯଥା ଆମକୁ ଅଶାନ୍ତ କରି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଉଠାଇଛନ୍ତି ପ୍ରାନ୍ତ ସହ ସଂଯୋଜକ ପ୍ରଭାତ ଭୁଷଣ ତ୍ରିପାଠୀ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସହ ସମ୍ପାଦକ ଜ୍ୟୋତିପ୍ରକାଶ ସ୍ବାଇଁ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ପ୍ରତ୍ୟୁଷ ରାଉତରାୟ , ମିଳନ କେନ୍ଦ୍ର ପ୍ରମୁଖ ଅର୍ଜ୍ଜୁନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।