ଭି.କେ.ପାଣ୍ଡିଆନ୍ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ ।
ଭୁବନେଶ୍ୱର: ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ । ଦଳରେ ଏକ ପ୍ରମୁଖ ଦାୟିତ୍ୱରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଦୈନିକ ଇଂରାଜୀ ଖବରକାଗଜ ଟାଇମସ୍ ଅଫ ଇଣ୍ଡିଆରେ ଆଜି ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି ।
ଶ୍ରୀ ପାଣ୍ଡିଆନ୍ ରାଜନୀତିରେ ଯୋଗଦେବା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ନୂଆ ନୁହେଁ । ଏମିତିକି ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଉଛି । ମାତ୍ର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନିକଟରେ ଆସିଥିବା ଦ ଉଇକ୍ ମାଗାଜିନ୍ ରିପୋର୍ଟ ଏବଂ ଆଜି ପ୍ରକାଶିତ ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟ ।
ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଉକ୍ତିକୁ ଉଦ୍ଧାର କରି ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ପାଣ୍ଡିଆନ୍ କୌଣସି ବି ସମୟରେ ବିଜେଡିରେ ଯୋଗଦେଇପାରନ୍ତି । ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ପ୍ରସ୍ତୁତିରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବେ ।
ଖୋଦ୍ ଶ୍ରୀ ପାଣ୍ଡିଆନ ମଧ୍ୟ ଏହି ଦୈନିକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିରେ ଯୋଗଦେବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଦାୟିତ୍ୱ ଉପରେ ସେ ଫୋକସ୍ କରିଛନ୍ତି । ୫-ଟି ଉପଯୋଗରେ ମୁଖ୍ୟମନ୍ତ୍ରୀଙ୍କର ନୂଆ ଓଡ଼ିଶା ଗଠନ ଭିଜନ୍ ର ରୂପାୟନ ପାଇଁ ସେ ବର୍ତ୍ତମାନ ବ୍ୟସ୍ତ ବୋଲି କହିଛନ୍ତି ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ପଦବୀରେ ଥିବା ବେଳେ ଶ୍ରୀ ପାଣ୍ଡିଆନ ଗତ ମାସ ୨୩ ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତା’ ପରଦିନ ମୁଖ୍ୟମନ୍ତ୍ରୀ ତାଙ୍କୁ “୫-ଟି’ ଏବଂ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ପଦରେ ବସାଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ ସଂକଳ୍ପ ନେଇଥିବା ବେଳେ ଏହାର କାର୍ଯ୍ୟକାରିତା ଶ୍ରୀ ପାଣ୍ଡିଆନଙ୍କ ହାତରେ ଛାଡ଼ିଛନ୍ତି । ତାହାକୁ ସଠିକ୍ ଭାବେ ସାକାର କରିବା ପାଇଁ ସେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।