ପାଲେଷ୍ଟାଇନର ଗାଜାରେ ଇସ୍ରାଏଲର ଗଣହତ୍ୟା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗିରଫଦାରୀ ନିନ୍ଦନୀୟ
ପାଲେଷ୍ଟାଇନର ଗାଜାରେ ଇସ୍ରାଏଲର ଗଣହତ୍ୟା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗିରଫଦାରୀ ନିନ୍ଦନୀୟ: ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ/ଇନସାଫ୍,
ଭୁବନେଶ୍ୱର, ତା ୯/୧୧:ପାଲେଷ୍ଟାଇନର ଗାଜାରେ ଇସ୍ରାଏଲ୍ ଦ୍ୱାରା କରାଯାଉଥିବା ବର୍ବୋରୋଚିତ୍ତ ଆକ୍ରମଣ ଓ ହଜାର ହଜାର ନିରୀହ ଶିଶୁ, ମହିଳା, ଓ ସାଧାରଣ ନାଗରିକଙ୍କ ଗଣହତ୍ୟାକୁ ବିରୋଧ କରି ହୋଇଥିବା ଆଜି ହୋଇଥିବା ପ୍ରତିବାଦରେ ଦିଲ୍ଲୀ ପୋଲିସ୍ ଦ୍ୱାରା ରିଭୋଲ୍ୟୁସନାରୀ ୱାର୍କରସ୍ ପାର୍ଟି ଅଫ୍ ଇଣ୍ଡିଆ (RWPI) କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି। ମୋଦୀ ସରକାରଙ୍କ ମାନବତା ବିରୋଧୀ ଇସ୍ରାଏଲ ପ୍ରତି ଲଜ୍ଜାଜନକ ଦରଦ ତଥା ସମର୍ଥନ କୁ ଧୀକ୍କାର କରି ଇସ୍ରାଏଲ ବିରୋଧୀ ପ୍ରତିବାଦକାରୀ ମାନଙ୍କୁ ଅଟକ ତଥା ଗିରଫଦାରୀକୁ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ( Campaign Against Fabricated Cases, Odisha) ଏବଂ ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ୍ ଫୋରମ୍(INSAF) ଓଡ଼ିଶା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ପାଲେଷ୍ଟାଇନବାସୀଙ୍କ ମୁକ୍ତି ସଂଗ୍ରାମକୁ ସମର୍ଥନ କରି ଏହି ପ୍ରତିବାଦରେ ଭାଗ ନେବାକୁ ଇସ୍ରାଏଲ୍ ଦୂତାବାସ (ଦିଲ୍ଲୀ) ସମ୍ମୁଖରେ ଏକାଠି ହୋଇଥିବା ବିଭିନ୍ନ ଛାତ୍ର ଓ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ୍ ଘଟଣା ମୋଦୀ ସରକାରଙ୍କ ସାମ୍ରାଜ୍ୟବାଦୀ ତଥା ଯୁଦ୍ଧଖୋର ଇସ୍ରାଏଲ ପ୍ରତି ଗୋଡାଣିଆ ଚରିତ୍ରକୁ ପଦାରେ ପକାଇ ଦେଇଛି। ଦିଲ୍ଲୀ ପୋଲିସ ନଉ ଜୱାନ୍ ଭାରତ ସଭା (NJBS) ର ସଭାପତି ଆଶିଷ କୁମାର ଏବଂ ପ୍ରିୟମ୍ବଦାଙ୍କ ସମେତ ଦିଶା (Disha) ଛାତ୍ର ସଂଗଠନର ଅନ୍ୟାନ୍ୟ ଛାତ୍ର ଓ ଯୁବକଙ୍କ ସହ ଅଟକ ରଖିଛି।
ଇସ୍ରାଏଲ୍ ଦୂତାବାସ ସମ୍ମୁଖରେ ପାଲେଷ୍ଟାଇନର ଗାଜା ପଟି ଅଞ୍ଚଳରେ ଇସ୍ରାଏଲ୍ ର ଆକ୍ରମଣ ଓ ଗଣହତ୍ୟା ବିରୁଦ୍ଧରେ, ପାଲେଷ୍ଟାଇନର ମୁକ୍ତି ସଂଗ୍ରାମ ପାଇଁ ଦାବି କରି ଗାଜାରେ ଇସ୍ରାଏଲର ଯୁଦ୍ଧ ଅପରାଧ ବିରୋଧରେ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ବିକ୍ଷୋଭରେ ଦିଲ୍ଲୀର ବିଭିନ୍ନ କାର୍ଯ୍ୟକର୍ତ୍ତା, ଛାତ୍ର ତଥା ନ୍ୟାୟ ପ୍ରେମୀ ନାଗରିକମାନେ ଯୋଗ ଦେଇଥିଲେ। “ ପାଲେଷ୍ଟାଇନକୁ ମୁକ୍ତ କର; ନଦୀଠାରୁ ସମୁଦ୍ର ପର୍ଯ୍ୟନ୍ତ ପାଲେଷ୍ଟାଇନକୁ ମୁକ୍ତ କର; ମୋଦୀ ସରକାର ମୁର୍ଦାବାଦ୍; ସାମ୍ରାଜ୍ୟବାଦ ଡାଉନ୍ ଡାଉନ୍ ଇତ୍ୟାଦି ସ୍ଲୋଗାନ ଦେଇ ବିକ୍ଷୋଭକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କିଛି ସମୟ ମଧ୍ୟରେ ଦିଲ୍ଲୀ ପୋଲିସ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ବଳ ପ୍ରୟୋଗ କରିଥିଲା। ମହିଳା ସ୍ୱେଚ୍ଛାସେବୀମାନଙ୍କୁ ଦିଲ୍ଲୀ ପୋଲିସର ପୁରୁଷ ଅଧିକାରୀମାନେ ଆକ୍ରମଣ କରିଥିଲେ ଏବଂ ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖି ମନ୍ଦିର ମାର୍ଗ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଇସ୍ରାଏଲ୍ ର ନିର୍ଲଜ ସମର୍ଥକ ଭାବେ ନେତାନ୍ୟାହୁଙ୍କ ଜିଓନିଷ୍ଟ ଶାସନକୁ ସମର୍ଥନ କରିବା ଏବଂ ୭ ଅକ୍ଟୋବରରୁ ୧୦,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ହତ୍ୟାକାଣ୍ଡ ପାଇଁ ସେମାନେ ଫାସିଷ୍ଟ ମୋଦୀ ସରକାରଙ୍କୁ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ପ୍ରତି ଦିଲ୍ଲୀ ପୋଲିସର ଅତ୍ୟାଚାରୀ ମନୋଭାବକୁ ମଧ୍ୟ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ( Campaign Against Fabricated Cases, Odisha) ଏବଂ ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ୍ ଫୋରମ୍(INSAF) ଓଡ଼ିଶା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ରିଭୋଲ୍ୟୁସନାରୀ ୱାର୍କରସ୍ ପାର୍ଟି ଅଫ୍ ଇଣ୍ଡିଆ (RWPI) ସମସ୍ତ ପ୍ରଗତିଶୀଳ ତଥା ନ୍ୟାୟ ପ୍ରେମୀ ଜନସାଧାରଣଙ୍କୁ ନିବେଦନ କରି ଗିରଫ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରିବା ପାଇଁ ପୋଲିସ ଉପରେ ଚାପ ପକାଇବାକୁ ଆହ୍ୱାନ ଦେଇଛନ୍ତି । ପ୍ରତିବାଦକାରୀ ମାନେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନ ଭିତରେ ସେମାନଙ୍କ ଶାନ୍ତିପୂର୍ଣ୍ଣ ବିରୋଧ ଜାରି ରଖିଛନ୍ତି।